କେବେ ଖୋଲିବ ରତ୍ନଭଣ୍ଡାର? ସୁରକ୍ଷିତ ରହିଛି ତ ମହାପ୍ରଭୁଙ୍କ ଅଳଙ୍କାର?

84

କନକ ବ୍ୟୁରୋ: ରଥଯାତ୍ରା ପରେ ହୋଇଥିବା ପ୍ରଥମ ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ପ୍ରସଙ୍ଗ ଉଠିବ ବୋଲି ପୂର୍ବରୁ ଆକଳନ କରାଯାଉଥିଲା । କିନ୍ତୁ ସମୟ ଅଭାବରୁ ଏହି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠିପାରିନଥିଲା ।

ଘୋଷଯାତ୍ରା ପରର ପ୍ରଥମ ପରିଚାଳନା କମିଟି ବୈଠକ । ବିଧାନସଭାରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠିବା ଏହି ବୈଠକରେ ରତ୍ନଭଣ୍ଡାରକୁ ନେଇ କିଛି ନିଷ୍ପତି ଆସିବ ବୋଲି ଆଶା ଥିଲା । କିନ୍ତୁ ରାଜ୍ୟବାସୀଙ୍କ ଭାବାବେଗ ସହ ଜଡିତ ରତ୍ନଭଣ୍ଡାର ପ୍ରସଙ୍ଗରେ ସମୟ ଅଭାବରୁ କୌଣସି ଆଲୋଚନା ହୋଇପାରିନଥିଲା, ଯାହାକି ରତ୍ନଭଣ୍ଡାର ସମ୍ପର୍କରେ ଥିବା ସନ୍ଦେହକୁ ଆହୁରି ଘନିଭୂତ କରିଛି । କିନ୍ତୁ ବୈଠକ ପରେ ଏଏସଆଇ ତରଫରୁ କୁହାଯାଇଛି ରତ୍ନଭଣ୍ଡାର ଖୋଲିବାକୁ ନେଇ ଅନୁମତି ଆସିଲେ ହି କଥା ଆଗକୁ ବଢାଇହେବ ଏବଂ ଏହା ପରେ ହି ଏହାକୁ ନେଇ ଯାଞ୍ଚ କରାଯାଇପାରିବ ।

ଏହାରି ମଧ୍ୟରେ ରତ୍ନଭଣ୍ଡାରକୁ ନେଇ ଚାଂଚଲ୍ୟକର ବୟାନ ଦେଇଛନ୍ତି ଭଣ୍ଡାର ମେକାପ ସେବାୟତ । କହିଛନ୍ତି ରତ୍ନଭଣ୍ଡାର ଭିତରେ ରହିଛି ବିଶାକ୍ତ ଶରିସୃପ । ସେପଟେ ବାରମ୍ବାର ଦାବି ସତ୍ୱେ ରତ୍ନଭଣ୍ଡାର ଖୋଲାଯାଉନାହିଁ କି ଅଳଙ୍କାରର ଗଣନା ହେଉନାହିଁ । ଅନ୍ୟପଟେ ୧୧୭ ବର୍ଷ ହେଲା ହୋଇନଥିବା ରଘୁନାଥ ବେଶ କରିବା ପାଇଁ ସବୁ ମହଲରୁ ଦାବି ହେଉଛି । ତେଣୁ ରଘୁନାଥ ବେଶ ପାଇଁ ଆବଶ୍ୟକ ଅଳଙ୍କାର ଓ ବିଭିନ୍ନ ଦେବଦେବୀଙ୍କ ସୁବର୍ଣ୍ଣ ପ୍ରତିମା ରତ୍ନ ଭଣ୍ଡାରରେ ସୁରକ୍ଷିତ ଅଛି କି ନାହିଁ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବହୁ ଦିନ ହେଲା ରତ୍ନ ଭଣ୍ଡାର ଖୋଲାଯାଇ ନଥିବାରୁ ସେଠାରେ ବଡ ବଡ ଶରୀସୃପ ଥିବା କଥା କହିଛନ୍ତି ଭଣ୍ଡାର ମେକାପ ସେବାୟତ ।

କିଛି ଦିନ ତଳେ ବିଧାନସଭାରେ ରତ୍ନ ଭଣ୍ଡାର କାହିଁକି ଖୋଲାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେହିପରି ବିରୋଧୀ ଦଳ ନେତା ହେବା ପରେ ପୁରୀ ଗସ୍ତରେ ଯାଇ ଜୟନାରାୟଣ ମିଶ୍ର ମଧ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ସରକାରଙ୍କ ଟାଳଟୁଳ ନୀତିକୁ ସମାଲୋଚନା କରିଛନ୍ତି । ଶ୍ରୀମନ୍ଦିର ସେବାୟତ ମଧ୍ୟ ରତ୍ନଭଣ୍ଡାର ଖୋଲି ସ୍ୱର୍ଣ୍ଣ ଆଭୁଷଣର ଆକଳନ କରିବାକୁ ଦାବି କରିଛନ୍ତି ।