ଚୁରମାର ହେଲା ନୀତୀଶଙ୍କ ପ୍ରଧାନମନ୍ତ୍ରୀ ସ୍ୱପ୍ନ! ମୋଦୀଙ୍କୁ ଚ୍ୟାଲେଞ୍ଜ କରୁଥିଲେ, ଏବେ ଦୋସ୍ତିର ହାତ ବଢ଼ାଇଲେ

ଇଣ୍ଡିଆ ମେଣ୍ଟରୁ ଓହରିବା ପରେ ନୀତୀଶଙ୍କ ଭବିଷ୍ୟତ କ’ଣ?

268

କନକ ବ୍ୟୁରୋ: ସ୍ୱପ୍ନ ତ ଅନେକ ଦେଖନ୍ତି । କିନ୍ତୁ ଅନେକ ପୂରଣ କରିବାକୁ ଯାଇ ବାରମ୍ବାର ତଳେ କଚାଡି ପଡନ୍ତି । ଯାହା ନୀତୀଶଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଦେଶର ରାଜନୀତିରେ ନୀତୀଶ କୁମାର ଏବଂ ନରେନ୍ଦ୍ର ମୋଦୀ ଦୁଇ ସମସ୍କନ୍ଧ ନେତା । ଜଣେ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ । ଅନ୍ୟଜଣେ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନ ଏବେ ବି ଅଧୁରା ରହିଛି ।

୨୦୧୪ରୁ ନୀତୀଶ ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନ ଦେଖୁଛନ୍ତି । କିନ୍ତୁ ତାଙ୍କର ଏହି ସ୍ୱପ୍ନ ଧୂୂଳିସାତ ହୋଇ ଚାଲିଛି । ଏଥର ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀଙ୍କ ଭଳି ଚେହେରାକୁ ମାତ୍ ଦେବାକୁ ଇଣ୍ଡିଆ ମେଣ୍ଟ ଗଠନ ହୋଇଥିଲା । ଆଉ ଏହାର ମଞ୍ଜି ପୋତିଥିଲେ ନିଜେ ନୀତୀଶ କୁମାର । ଜେଡିୟୁ ସୁପ୍ରିମୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରେ ମମତାଙ୍କୁ ଭେଟିବା ପରେ ଏହି ମେଣ୍ଟ ରୂପ ନେଇଥିଲା । କିନ୍ତୁ ଏବେ ନିଜେ ମେଣ୍ଟରୁ ଓହରି ଆସିବା ଏବଂ ବିଜେପି ସହ ମିଶି ବିହାରରେ ସରକାର ଗଢିବା ପରେ ନୀତୀଶଙ୍କ ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନ ପୁଣିଥରେ ଧୂଳିସାତ ହୋଇଛି । ଆଉ ନିଜେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କହିଛନ୍ତି, ସେ ଆଉ ବିଜେପିଠୁ ଅଲଗା ହେବେନି । ତେବେ ପଲଟୁରାମ ଭାବେ ପରିଚିତ ଏହି ନେତାଙ୍କ ବୟାନ କିନ୍ତୁ ସମୟ ଅନୁସାରେ ବଦଳେ ।

  • ୧୦ ଅଗଷ୍ଟ ୨୦୨୨
  • ବିହାରରେ ଏନଡିଏରୁ ଅଲଗା ହେଲା ଜେଡିୟୁ

ଗତ ବର୍ଷ ଜୁନ୍ ୨୩ ତାରିଖରେ ନୀତୀଶ ପାଟନାରେ ବିରୋଧୀ ଦଳଗୁଡ଼ିକର ଏକ ବୈଠକ କରିବା ପରେ ଏବଂ ୧୫ଟି ଆଗଧାଡ଼ିର ବିରୋଧୀ ଦଳଙ୍କୁ ଗୋଟିଏ ମଞ୍ଚକୁ ଆଣିବା ପରଠାରୁ ଜେଡିୟୁ ବାରମ୍ବାର ନୀତୀଶଙ୍କୁ “ପ୍ରଧାନମନ୍ତ୍ରୀ” ପ୍ରାର୍ଥୀ ବୋଲି କହୁଥିଲା । ଏହାପରେ ବେଙ୍ଗାଲୁରୁ, ମୁମ୍ବାଇ ଏବଂ ଦିଲ୍ଲୀରେ ବିରୋଧୀଙ୍କ ଆଉ ତିନୋଟି ବୈଠକ ଅନୁଷ୍ଠିତ ହୋଇଥିଲା । କିନ୍ତୁ ବିରୋଧୀ ଏକତାର ନିର୍ମାତା ନୀତୀଶଙ୍କୁ ମେଣ୍ଟର ଆବାହକ ଭାବେ ନିଯୁକ୍ତ କରିବା ନେଇ ସର୍ବସମ୍ମତି ହୋଇନଥିଲା । ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଖଡଗେଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଆପ୍ ମଧ୍ୟ ଏହାକୁ ସମର୍ଥନ କରିଥିଲା । ଏହାପରେ ନୀତୀଶ ଧୈାର୍ଯ୍ୟ ହରାଇଥିବା କୁହାଯାଏ ।

  • ହଠାତ୍ ନୀତୀଶଙ୍କ ପାଇଁ କାହିଁକି ବିଜେପି ଖୋଲିଲା ଦ୍ୱାର?
  • କ’ଣ ରହିଛି ବିଜେପିର ଭିତିରିଆ ରାଜନୀତି?

୨୦୨୨ରେ ବିଜେପି ସହ ସଂପର୍କ ଛିନ୍ନ କରିବା ପରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, ସବୁଦିନ ପାଇଁ ନୀତୀଶଙ୍କ ବାଟ ବନ୍ଦ । କିନ୍ତୁ ଏବେ ବିଜେପି ରଣନୀତି ପରିବର୍ତନ କରିବା ପଛରେ ଇଣ୍ଡିଆ ମେଣ୍ଟକୁ ଦୁର୍ବଳ କରିବା ଉଦ୍ଦେଶ୍ୟ ବୋଲି କୁହାଯାଉଛି । ନୀତୀଶ କୁମାର ବିଜେପି ସହ ଆସିବା ପରେ ବିହାରରେ ୪୦ଟି ଲୋକସଭା ଆସନକୁ ଅଧିକ ଲାଭବାନ ହେବ ବୋଲି ଦଳ ଆଶା ରଖିଛିି । ଏନଡିଏ ବିହାରରେ ସାଧାରଣ ନିର୍ବାଚନରେ ସମସ୍ତ ଆସନ ଜିତିବାକୁ ଚାହୁଁଛି । ପଶ୍ଚିମବଙ୍ଗରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ଏବଂ ପଞ୍ଜାବରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଆସନ ବୁୁଝାମଣା ନେଇ ତିକ୍ତତା ରହିଛି । ଏହି ପର୍ଯ୍ୟାୟରେ ବିହାରରେ ଆରଜେଡି-ଜେଡିୟୁ ମେଣ୍ଟର ଅନ୍ତ ଇଣ୍ଡିଆ ମେଣ୍ଟ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଛି । ତେବେ ଏଥିରୁ ବିଜେପିକୁ ବହୁତ ଫାଇଦା ମିଳିବ ବୋଲି କୁହାଯାଉଛି । ବିହାରରେ ଜେଡିୟୁ କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଛି । ୨୦୧୦ ବିହାର ନିର୍ବାଚନରେ ୧୧୫ଟି ଆସନ ଜିତିଥିବା ବେଳେ ୨୦୧୫ରେ ୭୧ଟି ଓ ୨୦୨୦ରେ ମାତ୍ର ୪୩ଟି ଆସନ ଜିତିଥିବା ବେଳେ ବିଧାନସଭାରେ ଜେଡିୟୁର ସଂଖ୍ୟା କମିଚାଲିଛି ।

ଏହାପୂର୍ବରୁ ମହାରାଷ୍ଟ୍ରରେ ଏନସିପି-କଂଗ୍ରେସ ଏବଂ ଶିବସେନା ଗୋଷ୍ଠୀ ବିଜେପି ତୁଳନାରେ ବେଶ ପ୍ରଭାବଶାଳୀ ଥିଲା । ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇବା ପରେ କିନ୍ତୁ ପର୍ଯ୍ୟାୟକ୍ରମେ ଶିବସେନା ଓ ଏନସିପି ଦୁଇ ଭାଗ ହୋଇଗଲା । ଏପରି କରି ବିଜେପି ନିଜ ଉଦ୍ଦେଶ୍ୟରେ ସଫଳ ହୋଇଛି ।