କାହିଁକି ଏକ୍ସ ପୋଷ୍ଟକୁ ଡିଲିଟ୍ କଲେ ବିଜେପି ରାଜ୍ୟ ସଭାପତି? ମେଣ୍ଟ ଚର୍ଚ୍ଚାରେ ଦ୍ୱନ୍ଦ୍ୱ ବଢ଼ାଇଲା ମନମୋହନଙ୍କ ୟୁ-ଟର୍ଣ୍ଣ ।

915

କନକ ବ୍ୟୁରୋ: ଏକ୍ସର ପୋଷ୍ଟକୁ କାହିଁକି ଡିଲିଟ୍ କଲେ ବିଜେପି ରାଜ୍ୟ ସଭାପତି? ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼ି ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ବାଢ଼ି ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରିଥିଲେ ମନମୋହନ, ହେଲେ ଏହାର କିଛି ସମୟ ପରେ କାହିଁକି ପୋଷ୍ଟ ଟିକୁ ଡିଲିଟ୍ କରିଦେଲେ ରାଜ୍ୟ ବିଜେପି ସଭାପତି? ତେବେ ଏସବୁ ଭିତରେ ମନମୋହନଙ୍କ ବାରମ୍ବାର ଦିଲ୍ଲୀଗସ୍ତ, ଆଉ ଗଣମାଧ୍ୟମ ଏବଂ ସୋସିଆଲ ମିଡ଼ିଆରେ ମେଣ୍ଟକୁ ନେଇ ମନା କରିବା କଥା ସବୁବେଳେ ଚର୍ଚ୍ଚାରେ ରହିଆସିଛି । କିନ୍ତୁ ଏବେ ଏକ୍ସ ପୋଷ୍ଟକୁ ଡିଲିଟ୍ କରିବା ପରେ ରାଜନୀତି ମହଲରେ ଅନେକ ପ୍ରଶ୍ନ ଝଡ଼ ଭଳି ଉଠିବାରେ ଲାଗୁଛି ।

 

ସେପଟେ ପୁଣି ମେଣ୍ଟ ଚର୍ଚ୍ଚା ଭିତରେ ଦ୍ୱନ୍ଦ୍ୱ ବଢ଼ାଇ ବଡ଼ ବୟାନ ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି- ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ଯାହା କରିବେ, ତାହା ଦଳର ଚୁଡ଼ାନ୍ତ ନିଷ୍ପତି । ମେଣ୍ଟ ହେଉ ବା ଅନ୍ୟ ଯାହା ନିଷ୍ପତ୍ତି ହେଉ, ସେ ନେଇ ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ନେବେ । ରାଷ୍ଟ୍ରୀୟ ନେତୃତ୍ୱ ଯାହା ନିଷ୍ପତି ନେବେ ଆମେ ମାନିବୁ ବୋଲି କହିଛନ୍ତି ମନମୋହନ ସାମିଲ ।

ଏପରିକି ୮ ଦିନ ଧରି ମିଡ଼ିଆ ବିଭିନ୍ନ ଆକଳନ କରି ଖବର ପ୍ରସାରଣ କଲା । ଏଥିରୁ ନିବୃତ୍ତ ରହିବା ପାଇଁ ଗଣମାଧ୍ୟମକୁ ଅନୁରୋଧ କରଛନ୍ତି ମନମୋହନ । ଏବେ ନିର୍ବାଚନ ଥିବାରୁ ଏହା ଏକ ସମ୍ବେଦଶୀଳ ସମୟ । ମୁଁ ଯାହା ଶବ୍ଦ କହୁଛି, ତାକୁ ଚିତ୍ରଣ କରି ବାଖ୍ୟା କରିବା ଉଚିତ ନୁହେଁ । ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ଯାହା କହିବେ, ତାହା ଦଳ ଚୁଡ଼ାନ୍ତ ନିଷ୍ପତ୍ତି । ସେହି ନିଷ୍ପତ୍ତିକୁ ଆମେ ମାନିନେବୁ । ତେବେ ବିଜେପି ଓଡ଼ିଶାର ୧୪୭ ବିଧାନସଭା ଏବଂ ୨୧ ଲୋକସଭା ସିଟ୍ ପାଇଁ ବିଜେପି କାମ କରୁଛି ।