କନକ ବ୍ୟୁରୋ : ସାମ୍ନାକୁ ଆସିଲା ଆଡପ ପହଣ୍ଡି ବେଳେ ବଡ଼ ଠାକୁର ପଡ଼ିଯିବାର କାରଣ । ଆବଶ୍ୟକଠାରୁ ଅଧିକ ସଂଖ୍ୟକ ସେବକ ରଥରେ ଚଢିବା ଓ ବିଡ଼ିଆ ମଣୋହି ନୀତି ବିଳମ୍ବ ଯୋଗୁ ୪୫ ମିନିଟ୍ ରଥରେ ଠାକୁର ଅଟକି ରହିଥିବାରୁ ଏତେ ବଡ଼ ଅଘଟଣ ଘଟିଥିଲା । ବଡ଼ ଠାକୁରଙ୍କୁ ପକାଇଦେଖା ଘଟଣାରେ କମିଟି ତଦନ୍ତ ରିପୋର୍ଟ ଦେଇଛି । ୩ ଜଣିଆ ତଦନ୍ତକାରୀ କମିଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ପ୍ରଦାନ କରିଛି । ଆସନ୍ତା ପରିଚାଳନା କମିଟି ବୈଠକରେ ରିପୋର୍ଟ ଉପସ୍ଥାପନ ହେବ ଓ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ଗତ ଜୁଲାଇ ୯ ତାରିଖରେ ଆଡ଼ପ ପହଣ୍ଡି ବେଳେ ଏପରି ବଡ଼ ଅଘଟଣ ଘଟିଥିଲା । ଏହାର କାରଣ ଖୋଜିବା ପାଇଁ ଏକ ତିନି ଜଣିଆ ତଦନ୍ତ କମିଟି ଗଠନ କରାଯାଇଥିଲା । ତଦନ୍ତ ବେଳେ ବଡ଼ଠାକୁରଙ୍କ ବାଡ଼ଗ୍ରାହୀଙ୍କ ପ୍ରତିନିଧି ଭାବେ ପୁଅ ଅନାଥ ମହାପାତ୍ରଙ୍କ ସମେତ ଜେଟିପି, ନିଯୋଗ କାର୍ଯ୍ୟକର୍ତାଙ୍କୁ ଜେରା କରାଯାଇଥିଲା । ଶ୍ରୀମନ୍ଦିର କମାଣ୍ଡର ଓ ଅନ୍ୟମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଥିଲେ । ପଚରାଉଚରା ବେଳେ ଆବଶ୍ୟକଠାରୁ ଅଧିକ ସଂଖ୍ୟକ ସେବକ ରଥରେ ଚଢିବା ଓ ବିଡ଼ିଆ ମଣୋହି ନୀତି ବିଳମ୍ବ ଯୋଗୁ ୪୫ ମିନିଟ୍ ରଥରେ ଠାକୁର ଅଟକି ରହିଥିବାରୁ ଅଘଟଣ ଘଟିଥିବା କହିଥିଲେ ।