କାହିଁକି ଜୀବନ ହାରିଲେ ଅଭିନେତ୍ରୀ? ସୁଇସାଇଡ ନୋଟରୁ ଖୋଲୁଛି ଗୁମର

226

କନକ ବ୍ୟୁରୋ: ଛୋଟପଦରାର ଅଭିନେତ୍ରୀ ବୈଶାଳୀ ଠକ୍କର । ନୂଆ କରି ଅଭିନୟ ଜୀବନ ଆରମ୍ଭ କରୁଥିଲେ ଓ କଳା ଦୁନିଆରେ ଅନେକ କିଛି କରିବା ପାଇଁ ହୁଏତ ସ୍ୱପ୍ନ ମଧ୍ୟ ଦେଖିଥିବେ । ହଠାତ କିନ୍ତୁ ଲିଭିଯାଇଛି ନାୟିକାଙ୍କ ଜୀବନ ଦୀପ । ସବୁଦିନ ପାଇଁ ଆଖି ବୁଝିଛନ୍ତି ଏହି ଅଭିନେତ୍ରୀ । ରବିବାର ଇନ୍ଦୋର ସ୍ଥିତି ତାଙ୍କ ବାସଭବନରୁ ମିଳିଥିଲା ତାଙ୍କର ଝୁଲନ୍ତା ଶବ । ଘଟଣାସ୍ଥଳରେ ପୁଲିସ ପହଁଚି ଯାଂଚ କରୁଛି ଓ ଏବେ ହାତରେ ଲାଗିଛି ସୁଇସାଇଡ ନୋଟ୍ । ଯେଉଁଥିରେ ବୈଶାଳୀ ଏମିତି କିଛି କଥା ଲେଖିଛନ୍ତି ଯାହା ଦର୍ଶାଉଛି କି ହୁଏତ ଚାପଗ୍ରସ୍ତ ହୋଇ ସେ ଆତ୍ମହତ୍ୟା କରି ପାରିଥାନ୍ତି ।

ବୈଶାଳୀଙ୍କ ସୁଇସାଇଡ ନୋଟ:
ମା, ବାପା ଆଇ ଲଭ ୟୁ । ମୋତେ କ୍ଷମା କରିବେ । ମୁଁ ଜଣେ ଭଲ ଝିଅ ହୋଇପାରିଲିନି । ରାହୁଲ ଓ ଦିଶା ମୋତେ ଅଢେଇବର୍ଷ ହେବ ମାନସିକ ନିର୍ଯ୍ୟାତନା ଦେଉଥିଲେ । ରାହୁଲ ଓ ତା ପରିବାରକୁ ଯେମିତି ହେଲେ ବି ଶାସ୍ତି ଦେବେ । ନଚେତ ମୋ ଆତ୍ମାକୁ ଶାନ୍ତି ମିଳିବନି । ଆପଣଙ୍କୁ ମୋ ରାଣ । ଖୁସିରେ ରହିବେ । ଆପଣ ସମସ୍ତଙ୍କୁ ବହୁତ ଭଲ ପାଏ । ନିତେଶକୁ କହିବ ମୋତେ କ୍ଷମା କରିଦେବ । ଆଇ କୁଇଟ ।

ସୂଚନା ଅନୁସାରେ ରାହୁଲ ଓ ଦିଶା ହେଉଛନ୍ତି ବୈଶାଳୀଙ୍କ ପଡୋଶୀ । ଇନ୍ଦୋରର ଜଣେ ଜଣାଶୁଣା ବ୍ୟବସାୟୀ । ଘର ଲୋକ ଅଭିଯୋଗ କରିଛନ୍ତି କିଛି ଦିନ ପରେ ବୈଶାଳୀଙ୍କ ବାହାଘର ହୋଇଥାନ୍ତା ଓ ଏହି ସମୟରେ ରାହୁଲ ବୈଶାଳୀକୁ ବହୁତ ହଇରାଣ ହରକତ କରୁଥିଲା । ତେଣୁ ବାଧ୍ୟ ହୋଇ ସେ ଆତ୍ମହତ୍ୟା କରିଛନ୍ତି । ପୋଲିସ ବୈଶାଳୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବାବେଳେ ପୋଷ୍ଟମର୍ଟମ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛନ୍ତି । ତେବେ ଏନେଇ ପାଖ ପଡ଼ୋଶୀ ଓ ସାଙ୍ଗସାଥୀଙ୍କୁ ଅଧିକ ପଚରାଉଚରା କରୁଛି ପୋଲିସ ।

ଆଙ୍କରିଙ୍ଗରୁ କ୍ୟାରିୟର ଆରମ୍ଭ କରିଥିଲେ ମୃତ ଟିଭି ଅଭିନେତ୍ରୀ ବୈଶାଳୀ ଠକ୍କର । ୨୦୧୫ରେ ବୈଶାଳୀଙ୍କୁ ପ୍ରଥମେ ଷ୍ଟାର ପ୍ଲସର ଲୋକପ୍ରିୟ ସୋ ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ପରେ ପରେ ସସୁରାଲ ସିମର କା, ସୁପର ସିଷ୍ଟରର୍ସ, ବିଷ ୟା ଅମୃ୍ତ, ମନମୋହିନୀ ଟୁ’ ଆଦି ସିରିୟଲରେ ଅଭିନୟ କରିଥିଲେ ବୈଶାଳୀ ।

ରାହୁଲ ଓ ଦିଶା ବୈଶାଳୀକୁ କାହିଁକି ଦେଉଥିଲେ ନିର୍ଯାତନା ? କାହିଁକି ଆତ୍ମହତ୍ୟା ଭଳି ଚରମ ନିଷ୍ପତିକୁ ବାଛିନେଲେ ବୈଶାଳୀ ? ନା ଆଉ କିିଛି ରହିଛି ବୈଶାଳୀଙ୍କ ମୃତ୍ୟୁର କାରଣ ? ଏପରି ଅନେକ ପ୍ରଶ୍ନର ଉତର ଖୋଜୁଛି ଇନ୍ଦୋର ପୋଲିସ । ତେବେ ମିଳିଥିବା ସୁଇସାଇଡ଼ ନୋଟକୁ ନେଇ ତଦନ୍ତ କେଉଁଆଡ଼କୁ ମୁହାଁଉଛି ଆଗାମୀ ଦିନରେ ଜଣାପଡ଼ିବ । ବୈଶାଳୀଙ୍କ ରୁମରୁ ମିଳିଥିବା ଏହି ନୋଟକୁ ତଦନ୍ତ ଜାରି ରଖିଛି ଇନ୍ଦୋର ପୋଲିସ ।