କନକ ବ୍ୟୁରୋ: ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତକଙ୍କ ସଂଖ୍ୟା ବଢି ୧୩କୁ ଛୁଇଁଛି । ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଖବର ପୁରୀ ସହରକୁ ସ୍ତବ୍ଧ କରିଦେଇଛି । ଦିନକୁ ଦିନ ମୃତ୍ୟୁ ଖବର ମେଡିକାଲରୁ ଆସୁଥିବାରୁ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିବାରେ ଲାଗିଛି । ଭଉଁରୀ ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବିରୋଧରେ କାଯ ର୍୍ୟାନୁଷ୍ଠାନ ପାଇଁ ଦାବି କରିଛି କଂଗ୍ରେସ । ଅନ୍ୟପଟେ ପୁରା ଘଟଣାର ତଦନ୍ତ ଦାୟିତ୍ୱ ଏସଆରସିଙ୍କୁ ଦେଇଛନ୍ତି ସରକାର । ହେଲେ ଏହାରି ଭିତରେ ୫ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ମାତ୍ର ୨ ଜଣଙ୍କୁ ଅଟକ ରଖିଛି ।

ପୁରୀ ବାଣ ବିସ୍ଫୋରଣର ଦୁଃଖ ବଢି ବଢି ଚାଲିଛି । ସମୟ ଯେତେ ବଢୁଛି, ସେତେ ଦୁଃଖଦ ଓ ଅଶୁଭ ଖବର ଡାକ୍ତରଖାନାରୁ ଆସୁଛି ।
ମେଡିକାଲରେ ଆଖି ବୁଜୁଛନ୍ତି ଆହତ
୧୩ ଛୁଇଁଲା ମୃତକଙ୍କ ସଂଖ୍ୟା

ହସ୍ପିଟାଲରୁ ଖବର ଆସିଛି, ସ୍ୱାମୀ ଆଉ ନାହାନ୍ତି । ପରେ ପୁଣି ଖବର ଆସିଲା କୁନି ଝିଅ ଆଉ ନାହିଁ । ଖବର ତ ନୁହେଁ ଭୂମିକମ୍ପ ଭଳି ପାଦତଳୁ ମାଟି ଖସେଇ ଦେଇଛି । କାନ୍ଦି କାନ୍ଦି ଭୁଇଁରେ ଲୋଟି ଯାଉଛନ୍ତି ଖଣ୍ଡିଆବନ୍ଧର ମୀରା ସାହୁ । ଏ ଦୃଶ୍ୟ ଦେଖି ସାହି ପଡିଶା ବି କୋହ ସମ୍ଭାଳି ପାରୁ ନାହାନ୍ତି । ଖଣ୍ଡିଆବନ୍ଧର ହେମନ୍ତ ସାହୁଙ୍କ ସମେତ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି । ବାଣବିସ୍ଫୋରଣ ଘଟଣାର ୫ ଦିନ ପରେ ମୃତ୍ୟୁ ସଂଖ୍ୟା ୧୩କୁ ଛୁଇଁଛି । ଏବେ ବି ବିଭିନ୍ନ ହସ୍ପିଟାଲରେ ୨୦ରୁ ଅଧିକ ଆହତ ଚିକିତ୍ସିତ ହେଉଛନ୍ତି । ଏପଟେ ପ୍ରଶାସନିକ ଅବହେଳାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢୁଛି ।

ଭଉଁରୀଯାତ୍ରା ଦୁର୍ଘଟଣାରେ ଗୋଟିଏ ପରେ ଗୋଟିଏ ମୃତ୍ୟୁ ଖବର ଆସୁଥିବାରୁ ଲୋକ ଦୋଷ ଖୋଜିବାରେ ଲାଗିଛନ୍ତି । ପୋଲିସ ଆଗୁଆ ସତର୍କ ହୋଇଥିଲେ ଅଘଟଣକୁ ରୋକାଯାଇପାରିଥାନ୍ତା ବୋଲି କୁହାଯାଉଛି ।

ଭଉଁରୀ ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ଦାବି କରିଛି । ଅନ୍ୟପଟେ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୁରୀ ବିଧାୟକ ପ୍ରାର୍ଥୀ ଜୟନ୍ତୀ ଷଡଙ୍ଗୀ ।

ଭଉଁରୀଯାତ୍ରା ବାଣବିସ୍ଫୋରଣ ଘଟଣାର ତଦନ୍ତ ଦାୟିତ୍ୱ ଏସଆରସିଙ୍କୁ ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତା ୫ ତାରିଖରେ ଏସଆରସି ପୁରୀ ସର୍କିଟ ହାଉସରେ ଅପରାହ୍ଣ ୩ଟାରୁ ରାତି ୭ଟା ଯାଏଁ ଆପତି ଅଭିଯୋଗ ଶୁଣିବେ । ପ୍ରତ୍ୟକ୍ଷଦର୍ଶୀ, ବିଭିନ୍ନ ବିଭାଗର ଅଧିକାରୀଙ୍କ ଠାରୁ ପୁରା ଘଟଣା ପଚାରି ବୁଝିବେ । ଅନ୍ୟପଟେ ପୁରୀ ପୋଲିସ ଏହି ମାମଲାରେ ୨ ଜଣ ବାଣ ବେପାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଏବେ ସ୍ଥିତି ଏମିତି ଯେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତଙ୍କ ସଂପର୍କୀୟ ଆଶୁ ଆରୋଗ୍ୟ କାମନା କରି ଜଗନ୍ନାଥଙ୍କୁ ଡାକୁଛନ୍ତି । ଅନ୍ୟପଟେ କିଭଳି ମୃତ୍ୟୁ ସଂଖ୍ୟା ଆଗକୁ ନବଢିବ ସେଥିପାଇଁ କଳବଳ ଲଗାଇ ଦେଇଛନ୍ତି ସରକାର ।