କନକ ବ୍ୟୁରୋ : ଭାରତର ଏକ ମିସାଇଲ ପାକିସ୍ତାନରେ କ୍ରାସ କରିବା ପରେ ଏବେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ, ଭାରତରୁ ଆସିଥିବା ମିସାଇଲ ପାକିସ୍ତାନ ବାୟୁସୀମା ନିୟମର ଉଲ୍ଲଘଂନ କରିଛି । ଏପରିକି ଏହି କ୍ରାସ ଫଳରେ ପାକିସ୍ତାନର କିଛି ବିଲ୍ଡିଂ ନଷ୍ଟ ହୋଇଛି । ଭାରତ ପକ୍ଷରୁ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରାଯିବା ସହ ନିୟମିତ ରକ୍ଷାଣବେକ୍ଷଣ ସମୟରେ ଭୁଲବଶତଃ ଏଭଳି ଘଟଣା ହୋଇଥିଲା । ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ, ଏହି ମିସାଇଲ ଉପରେ ନଜର ରଖାଯାଇଥିଲା । କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ପାକିସ୍ତାନ ବାୟୁସେନା ଭାରତରୁ ଆସୁଥିବା ମିସାଇଲ ଉପରେ ଦୃଷ୍ଟି ରଖିଥିଲେ ମଧ୍ୟ କାହିଁକି ଏହାକୁ ନଷ୍ଟ କରିବାରେ ସଫଳ ହୋଇପାରିନଥିଲା ।

Advertisment

ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ, ସିରସାରୁ ମିସାଇଲ ନିକ୍ଷେପ ହେବା ପରେ ଆକାଶପଥରେ ଏହା ଦିଗ ପରିବର୍ତ୍ତନ କରିଥିଲା ଏବଂ ପାକିସ୍ତାନ ଆଡକୁ ମୁହାଁଇଥିଲା । ପରେ ପାକିସ୍ତାନର ମିୟାଁ ଚନ୍ନୁ ଅଞ୍ଚଳରେ କ୍ରାସ ହୋଇଥିଲା । ପାକିସ୍ତାନ ଏହା ଜାଣିବା ସତ୍ତେ୍ୱ ମଧ୍ୟ କିଭଳି ଏହି ମିସାଇଲକୁ ଆକାଶପଥରେ ନଷ୍ଟ କରିପାରିଲାନି ତାହାକୁ ନେଇ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ ଏହି ଘଟଣାରେ ନୂଆଦିଲ୍ଲୀ ସେଣ୍ଟର ଫର୍ ଏୟାର ପାୱାର ଷ୍ଟଡିଜ ଥିଙ୍କ ଟ୍ୟାଙ୍କର ପ୍ରମୁଖ ତଥା ଅପସରପ୍ରାପ୍ତ ଏୟାର ମାର୍ଶଲ ଅନୀଲ ଚୋପ୍ରା କହିଛନ୍ତି, ଭାରତରୁ ଯେଉଁ ଗତିରେ ଏହି ମିସାଇଲ ପାକିସ୍ତାନ କ୍ଷେତ୍ରରେ ପଶିଥିଲା । ତାହାକୁ ଅଟକାଇବା ପାକିସ୍ତାନ ପାଇଁ ସମ୍ଭବପର ନଥିଲା କାରଣ ଆକାଶପଥରେ ଏହାକୁ ନଷ୍ଟ କରିବାକୁ ପାକିସ୍ତାନ ପାଖରେ ଖୁବ୍ କମ ସମୟ ହିଁ ଥିଲା ।

ଯେତେବେଳେ କୌଣସି ମିସାଇଲ ଏତେ ଦ୍ରୁତ ଗତିରେ ମାଡି ଆସେ ସେତେବେଳେ ଏହାକୁ ବିନା ପ୍ରସ୍ତୁତିରେ ପ୍ରତିରୋଧ କରିବା ସମ୍ଭବପର ହୋଇନଥାଏ । ପାକିସ୍ତାନରେ ଭାରତର ମିସାଇଲ ମାଡ ହୋଇଥିଲେ ବି ସ୍ଥିତି ସେତେଟା ଉତ୍ତେଜନାପୂର୍ଣ୍ଣ ନାହିଁ । କାରଣ ଉଭୟ ଦେଶ ମଧ୍ୟରେ ଏବେ କିଛି ମାତ୍ରାରେ ଶାନ୍ତି ଫେରିଛି । ଏହାଛଡା ଉଭୟ ଦେଶ ମଧ୍ୟରେ ମିସାଇଲ ପରୀକ୍ଷଣକୁ ନେଇ ଏକ ଚୁକ୍ତି ମଧ୍ୟ ହୋଇଛି । ଚୁକ୍ତି ଅନୁଯାୟୀ, ଉଭୟ ଦେଶ ମିସାଇଲ ପରୀକ୍ଷଣର ୩ ଦିନ ପୂର୍ବରୁ ହିଁ ଏନେଇ ସୂଚନା ଆଦାନପ୍ରଦାନ କରିବେ । ଏହି ଚୁକ୍ତି ସମସ୍ତ ପ୍ରକାର ମିସାଇଲ ପରୀକ୍ଷଣ କ୍ଷେତ୍ରରେ ଲାଗୁ ହୋଇଥାଏ । ଏହାବାଦ୍ ପରୀକ୍ଷଣକୁ ନେଇ ମଧ୍ୟ କିଛି ନିୟମ ରହିଛି । ଯେଉଁ ସ୍ଥ୍ାନରୁ ମିସାଇଲ ପରୀକ୍ଷଣ ହେବ ତାହା ଉଭୟ ଦେଶର ସୀମାଠାରୁ ୪୦ କିଲୋମିଟର ଦୂରରେ ଥିବା ଆବଶ୍ୟକ । ମିସାଇଲ କ୍ରାସ ହେଉଥିବା ସ୍ଥାନ ନିୟନ୍ତ୍ରଣ ରେଖା ଓ ଉଭୟ ଦେଶ ମଧ୍ୟରେ ଥିବା ଅନ୍ତର୍ଜାତୀୟ ସୀମା ଠାରୁ ୭୫ କିଲୋମିଟର ଦୂରରେ ଥିବା ଆବଶ୍ୟକ ।

ଏହି ଘଟଣାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି, ପାକିସ୍ତାନରେ ଭାରତର ମିସାଇଲ ପଡିବା ଘଟଣାରେ ଆମେ ମଧ୍ୟ ଜବାବ ଦେଇ ପାରିଥାଆନ୍ତୁ କିନ୍ତୁ ଆମେ ଧୈର୍ଯ୍ୟ ଧରି ରହିଲୁ । ତେବେ ଏହି ଘଟଣାରେ ଭାରତ ପକ୍ଷରୁ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ପାକିସ୍ତାନ ମିଳିତ ଯାଞ୍ଚ ପାଇଁ ଦାବି କରୁଛି ।