କାହିଁକି ମେଣ୍ଟ ଭାଙ୍ଗିବାକୁ ଚାହିଁଲେ ନୀତିଶ? ଦଳକୁ ଦୁର୍ବଳ କରିବାକୁ ପ୍ରୟାସ କରୁଥିଲା କି ବିଜେପି ପଢନ୍ତୁ …

279

କନକ ବ୍ୟୁରୋ: ମାତ୍ର ୨୦ ମାସରେ ସରକାର ଭାଙ୍ଗିବାକୁ କାହିଁକି ନିଷ୍ପତ୍ତି ନେଲେ ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏବେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା । ଗୋଟିଏ ପଟେ ଜେଡିୟୁର ଶୀର୍ଷ ନେତା କହୁଛନ୍ତି ବିଜେପି ମେଣ୍ଟ ସରକାରରେ ରହି ଜେଡିୟକୁ ଦୁର୍ବଳ କରିବାକୁ ପ୍ରୟାସ କରୁଥିଲା । କିନ୍ତୁ ଏ ବାବଦରେ ବିଜେପି ନିରବ ରହିଛି । ୨୦୨୦ରେ କିନ୍ତୁ ସରକାର ଗଢିବା ବେଳେ ବିଜେପି କହିଥିଲା ଜେଡିୟୁ ପାଖରେ କମ୍ ବିଧାୟକ ରହିଥିଲେ ମଧ୍ୟ ଏନଡିଏର ନେତା ନୀତିଶ ।

ନଜର ପକାନ୍ତୁ କାହିଁକି ନୀତିଶ ବିଜେପିକୁ ସନ୍ଦେହରେ ଦେଖିଲେ ।

ଆରସିପି ସିଂ, ପୂର୍ବତନ ଜେଡିୟୁ ନେତା ତଥା ଦଳର ପୂୂର୍ବତନ ସଭାପତି । ଲଲନ ସିଂହ ଓରଫ ରାଜୀବ ରଂଜନ ସିଂହ ଏବେ ଜେଡିୟୁ ରାଷ୍ଟ୍ରୀୟ ସଭାପତି । ସୁପ୍ରିମୋ ନୀତିଶ କୁମାରଙ୍କ ପରେ ଦୁଇ କ୍ଷମତାଶାଳୀ ନେତା ଥିଲେ । ଆରସିପି କେନ୍ଦ୍ରରେ ମନ୍ତ୍ରୀ ହେବାରୁ ଲଲନ ସିଂହ କେନ୍ଦ୍ରରେ ମନ୍ତ୍ରୀ ହେବାରୁ ବଂଚିତ ହୋଇଥିଲେ । ଦୁଇ ନେତା ଦଳରେ ଥିଲେ ମଧ୍ୟ ପରସ୍ପରର ବିରୋଧୀ ବୋଲି କୁହାଯାଏ । କିନ୍ତୁ ଆରିସିପି ସିଂଙ୍କୁ ନେଇ ନୀତିଶ ଅସନ୍ତୋଷ ଥିବାରୁ ଲଲନ ସିଂହ ତାଙ୍କର ନିକଟତମ ହୋଇଥିଲେ ।

ନିକଟରେ ଆରସିପି ଦଳରୁ ଇସ୍ତଫା ଦେବା ସହ ନୀତିଶ କେବେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ବୋଲି କହିଥିଲେ । ହେଲେ ଆରସିପି ପୂର୍ବରୁ ଦଳୀୟ ଟିକେଟ ବାଂଟିବା ଦାୟିତ୍ୱରେ ଥିବାରୁ ଆଗାମୀ ଦିନରେ ଦଳ ଭିତରେ ଗୃହ ଶତ୍ରୁ ହୋଇପାରନ୍ତି ଭାବି ଜେଡିୟୁ ମେଂଟ ଭାଙ୍ଗିବାକୁ ଚିନ୍ତା କରିଥିଲା ବୋଲି କୁହାଯାଉଛି ।