କାହିଁକି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ ? ବିନା ନୋଟିସରେ ସାମ୍ବାଦିକଙ୍କ ଘରେ ପଶି କାହିଁକି ଜୋରଜବରଦସ୍ତ ଉଠାଇନେଲା ପୋଲିସ ?

623

କନକ ବ୍ୟୁରୋ : ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୋଲିସ ଆଜି ଗିରଫ କରିଛି । ଅର୍ଣ୍ଣବଙ୍କ ମୁମ୍ବାଇସ୍ଥିତ ବାସଭବନରୁ ଏହି ଗିରଫଦାରି ହୋଇଛି । ସମ୍ବାଦସରବରାହ ସଂସ୍ଥା ପିଟିଆଇ ଅନୁସାରେ, ୨୦୧୮ ମସିହାର ଜଣେ ଇଂଟେରିୟର ଡିଜାଇନରଙ୍କୁ କଥିତ ଭାବେ ଆତ୍ମହତ୍ୟା କରିବା ପାଇଁ ଉସୁକାଇବା ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରାଯାଇଛି । ଆଜି ସକାଳୁ ସକାଳୁ ମୁମ୍ବାଇ ପୋଲିସ ଅର୍ଣ୍ଣବଙ୍କ ଘରେ ପଂହଚି ତାଙ୍କୁ ହେପାଜତକୁ ନେବାକୁ ଉଦ୍ୟମ କରିଥିଲା । ଏହା ସହ ମୁମ୍ବାଇ ପୋଲିସ ଦୁର୍ବବ୍ୟହାର କରିଥିବା ଖୋଦ ଅର୍ଣ୍ଣବ ଅଭିଯୋଗ କରିଛନ୍ତି ।

୨୦୧୮ ମସିହାରେ ମହାରାଷ୍ଟ୍ରର ଆଲିବାଗରେ ୫୩ ବର୍ଷିୟ ଇଂଟେରିୟର ଡିଜାଇନର ଅନଭୟ ନାଏକ ଓ ତାଙ୍କ ମା ଆତ୍ମହତ୍ୟା କରିଥିଲେ । ପରେ ଅନଭୟ ନାଏକଙ୍କ ଏକ ସୁଇସାଇଡ ନୋଟ ମିଳିଥିିଲା । ଏଥିରେ କୁହାଯାଇଥିଲା, ଅର୍ଣ୍ଣବ ଗୋସ୍ୱାମୀ ଓ ଦୁଇଜଣ ତାଙ୍କୁ ୫ କୋଟିରୁ ଅଧିକ ଟଙ୍କା ମାଗିଥିଲେ । ଏହା ତାଙ୍କୁ ସମସ୍ୟାରେ ପକାଇଥିଲା । ମାମଲାରେ ଆଲିବାଗ ପୋଲିସ ୨୦୧୯ରେ ମାମଲା ରୁଜୁ କରିଥିଲା । କିନ୍ତୁ ଏହି ମାମଲାକୁ ପରେ ବନ୍ଦ କରିଦିଆଯାଇଥିଲା ।

ତେବେ ଅନଭୟଙ୍କ ଝିଅ ମାମଲା ସମ୍ପର୍କରେ ମହାରାଷ୍ଟ ଗୃହମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଘଟଣାର ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କିଛି ଦିନ ତଳେ ଟିଆରପି ସ୍କାମରେ ବି ରିପବ୍ଲିକ ଟିଭିର ନାଁ ଆସିଥିଲା । ଏହାକୁ ନେଇ ଅର୍ଣ୍ଣବ ଗୋସ୍ୱାମୀ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ଓ ମୁମ୍ବାଇ ପୋଲିସକୁ ଟାର୍ଗେଟ କରିଥିଲେ । ସେପଟେ ମହାରାଷ୍ଟ୍ର ସରକାର ଅଂଶୀଦାର ଥିବା ଶିବସେନା କହିଛି , ଆଇନ ତା ବାଟରେ ଯିବ ।

ରିପବ୍ଲିକ ଟିଭ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରିକୁ ନିନ୍ଦା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏଥିପାଇଁ କଂଗ୍ରେସ ଓ ସହଯୋଗୀ ଦେଶର ଗଣତନ୍ତ୍ରକୁ ଲଜ୍ଜିତ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଏହା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଓ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଆକ୍ରମଣ । ଏହା ୧୯୭୭ର ଜରୁରୀକାଳୀନ ସ୍ଥିତିକୁ ମନେପକାଉଛି ଓ ପ୍ରେସକୁ ଆକ୍ରମଣକୁ ବିରୋଧ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଅମିତ ଶାହା । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ କରି ଏଭଳି ଗିରଫଦାରିକୁ ନିନ୍ଦା କରିଛନ୍ତି । କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଧର୍ମେନ୍ଦ୍ର ଟାର୍ଗେଟ କରିଛନ୍ତି । ମହାରାଷ୍ଟ୍ରର ମେଂଟ ସରକାର ଭୟଭୀତ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।