ବିଜେପିରୁ ପ୍ରାର୍ଥୀ ହେବେ କି ମିଥୁନ ଚକ୍ରବର୍ତ୍ତି ।  ମିଥୁନ ଦା ଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ୍  । ପଶ୍ଚିମବଙ୍ଗ ରାଜନୀତି ସରଗରମ

107

କନକ ବ୍ୟୁରୋ : କିଛିଦିନ ମଧ୍ୟରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପୁରା ବଙ୍ଗଳାରେ ନିର୍ବାଚନ ମାହୋଲ । ଏହାରି ମଧ୍ୟରେ ମଙ୍ଗଳବାର ସକାଳେ ବରିଷ୍ଠ ଚଳଚିତ୍ର ଅଭିନେତା ମିଥୁନ ଚକ୍ରବର୍ତ୍ତିଙ୍କୁ ଭେଟିଛନ୍ତି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ପ୍ରମୁଖ ମୋହନ ଭାଗବତ ।

କୁହାଯାଉଛି କି କିଛିଦିନ ପୂର୍ବରୁ ମିଥୁନ ଚକ୍ରବର୍ତ୍ତି ନାଗପୁର ସ୍ଥିତ ଆରଏସଏସ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ସେ ମୋହନ ଭାଗବତଙ୍କୁ ତାଙ୍କ ଘରକୁ ଆସିବାକୁ ନିମନ୍ତ୍ରଣ କରିଥିଲେ । ହେଲେ ବର୍ତମାନ ପଶ୍ଚିମବଙ୍ଗରେ ନିର୍ବାଚନ ଲଢେଇକୁ ଜୋରଦାର କରିବାକୁ ବିଜେପି ଏକ ଭଲ ଚେହେରା ଖୋଜୁଥିବା ସମୟରେ ଭାଗବତ ମିଥୁନ ଚକ୍ରବର୍ତ୍ତିଙ୍କୁ ଭେଟିବା ନେଇ ପଶ୍ଚିମବଙ୍ଗରେ ଚର୍ଚ୍ଚା ଜୋର ଧରିଛି ।

କହିରଖୁ କି ପଶ୍ଚିମବଙ୍ଗରେ ଜନ୍ମ ହୋଇଥିବା ମିଥୁନ ଚକ୍ରବର୍ତ୍ତି ସିନେମା ଠାରୁ ଆରମ୍ଭ କରି ସମାଜ ସେବା ଓ ରାଜନେତା ଭାବେ ବେସ୍ ନାମ କମାଇଛନ୍ତି । ସେ ରାଜ୍ୟସଭା ସାଂସଦ ଭାବେ ବି ନିଜର ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ତାଙ୍କୁ ତୃଣମୂଳ କଂଗ୍ରେସ ପକ୍ଷରୁ  ରାଜ୍ୟସଭାକୁ ପଠା ଯାଇଥିଲା । ସେ ଦୁଇବର୍ଷ ରାଜ୍ୟସଭା ସାଂସଦ ରହିବା ପରେ ପଦରୁ ଇସ୍ତଫା ଦେଇଥିଲେ । ତୃଣମୂଳ କଂଗ୍ରେସରୁ କିଛି ବରିଷ୍ଠ ନେତା ଏବେ ବିଜେପିରେ ସାମିଲ ହୋଇଛନ୍ତି । ଏହା ସହ ଆହୁରି ଅନେକ ନେତା ଏବେ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।

ବର୍ତ୍ତମାନ ଯେତେବେଳେ ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ଜୋର ଧରିଛି ଓ ବିଜେପି ଜଣେ ସ୍ଥାନୀୟ ନେତା ଖୋଜୁଛି ଏହି ସମୟରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ମିଥୁନ ଚକ୍ରବର୍ତ୍ତି ଙ୍କୁ ଭେଟିବା ରାଜନୈତିକ ବିଶେଷଜ୍ଞଙ୍କୁ ଚକିତ କରିଛି ।