କନକ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ । ସୂଚନା ମିଳିଛି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିବା ପାଇଁ ପ୍ରମୋସନ୍ ନେଉନଥିଲା ଗୋପାଳ । ଏଏସଆଇ ପଦରେ କାର୍ଯ୍ୟରତ ଥିବା ଗୋପାଳର ଏସଆଇ ରାଙ୍କକୁ ପଦୋନ୍ନତି ହୋଇଥିଲା । ହେଲେ ଏହାକୁ ପ୍ରତ୍ୟାଖାନ କରିଥିଲା ଗୋପାଳ ।

Advertisment

କାରଣ ପଦୋନ୍ନତିି ହୋଇଥିଲେ ତାକୁ କାଳେ ଅନ୍ୟ ଜିଲ୍ଲାକୁ ବଦଳି କରିଦିଆଯିବ, ଗୋପାଳ ମନରେ ସେଇ ଆଶଙ୍କା ରହିଥିଲା । ଆଉ ଅନ୍ୟ ଜିଲ୍ଲାକୁ ବଦଳି ହୋଇଗଲେ, ମନ୍ତ୍ରୀଙ୍କୁ ହତ୍ୟା କରିବାର ତାର ଷଡଯନ୍ତ୍ର ପୁରଣ ହୋଇ ପାରିନଥାନ୍ତା । ଝାରସୁଗୁଡା ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ପ୍ରମୋସନ୍ ବିଷୟରେ ଗୋପାଳ ଜାଣିବାକୁ ପାଇଥିଲା । କିନ୍ତୁ ଏହାକୁ ଯୋଜନାବଦ୍ଧ ଭାବେ ପ୍ରତ୍ୟାଖାନ କରି କହିଥିଲା, ସେ ଏଏସଆଇ ପଦରେ ହିଁ ରହିବାକୁ ଚାହୁଁଛି । କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ପକ୍ଷରୁ ହସ୍ତଗତ ହୋଇଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ । ଅଧିକାରୀଙ୍କ ସୂଚନା ଅନୁସାରେ ଗୋପାଳ ଜାଣିଶୁଣି ନିଜ ପ୍ରମୋସନକୁ ପ୍ରତ୍ୟାଖାନ କରିଥିବା ସ୍ୱୀକାର କରିଛି ।

ସେପଟେ ଗୋପାଳ ନାର୍କୋ ଟେଷ୍ଟରେ କଣ କହିଛି ତାର ମଧ୍ୟ ତଥ୍ୟ ମିଳିଛି । ମନ୍ତ୍ରୀଙ୍କୁ ଗୋପାଳ କାହିଁକି ହତ୍ୟା କଲା ସେ କଥା ମଧ୍ୟ ନାର୍କୋ ଟେଷ୍ଟରେ ସ୍ୱିକାର କରିଛି । ମନ୍ତ୍ରୀ ନବ ଦାସଙ୍କ ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପକୁ ନେଇ ଗୋପାଳ ତାଙ୍କୁ ହତ୍ୟା କରିଥିବା କଥା ନାର୍କୋ ଟେଷ୍ଟରେ ବାରମ୍ବାର କହିଛି ଗୋପାଳ । କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି ଯେ, ନାର୍କୋ ଟେଷ୍ଟ ବେଳେ ଗୋପାଳ ନିଜକୁ ବିପ୍ଳବୀର ଆଖ୍ୟା ଦେଇଥିଲା ।