କନକ ବ୍ୟୁରୋ: ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟାକଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । କିନ୍ତୁ ଏହାରି ଭିତରେ ସାମନାକୁ ଆସିଛି ଅଭିଯୁକ୍ତ ଗୋପାଳର ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟ । ଆଉ ରିପୋର୍ଟରେ ଅନୁସାରେ ମନୋଜ ବରିହା ନାମକ ଜଣେ ବ୍ୟକ୍ତି ଗୋପାଳଙ୍କୁ ଧମକାଇଥିଲେ । ଆଉ ସେଥିପାଇଁ ଗୋପାଳ ନବ ଦାସଙ୍କ ହତ୍ୟା କରିବାକୁ ନିଷ୍ପତି ନେଇଥିଲା ।

Advertisment
  • ନବ ଦାସ ହତ୍ୟା ମାମଲାରେ ନୂଆ ନାଁ
  • ଗୋପାଳକୁ ଧମକାଇ ଥିଲେ ମନୋଜ ବରିହା!

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳର ପଲିଗ୍ରାଫ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିଛି । ଗୁଜରାଟ ଗାନ୍ଧୀନଗର ସ୍ଥିତ ଡାଇରେକ୍ଟୋରେଟ୍ ଅଫ ଫରେନସିକ ସାଇନ୍ସରେ ହୋଇଥିଲା ଗୋପାଳର ପଲିଗ୍ରାଫ ପରୀକ୍ଷା । ରିପୋର୍ଟରେ କୁହାଯାଇଛି- ନବ ଦାସଙ୍କ ଲୋକ ଭାବରେ ଗୋପାଳକୁ ଧମକାଇଥିଲେ ମନୋଜ ବରିହା । ଆଉ ସେଥିପାଇଁ ସେ ନବ ଦାସଙ୍କୁ ହତ୍ୟା କଲା । ନବ ଦାସ ହତ୍ୟାକାଣ୍ଡ ନେଇ ଗୋପାଳକୁ ୨୬ଟି ପ୍ରଶ୍ନ ପଚରାଯାଇଥିଲା । ୧୩ଟିର ଉତ୍ତର ସେ ହଁରେ ଦେଇଥିବାବେଳେ ୧୩ ଉତ୍ତରରେ ନାଁ କହିଥିଲା ।

  • କିଏ ଏହି ମନୋଜ ବରିହା?
  • ନବଙ୍କ ନାଁ ନେଇ ଗୋପାଳକୁ କାହିଁକି ଧମକାଇଥିଲେ?

ଏ ପ୍ରଶ୍ନର ଉତର ମଧ୍ୟ ପଲିଗ୍ରାଫ ଟେଷ୍ଟ ରିପୋର୍ଟରେ ରହିଛି । ଗାନ୍ଧୀଛକରେ ୨ ବର୍ଷ ପାଇଁ ପୋଷ୍ଟିଂ ହେବା ସମୟରେ ମନୋଜ ବରିହାଙ୍କ ସଂସ୍ପର୍ଷରେ ଆସିଥିଲା ଗୋପାଳ । ଝାରସୁଗୁଡା ଜିଲ୍ଲା ହସ୍ପିଟାଲରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ ମନୋଜ । ଦୁହିଁଙ୍କ ଭିତରେ ବନ୍ଧୁତା ହୋଇଥିଲା । ହତ୍ୟାକାଣ୍ଡର ପ୍ରାୟ ୪ ମାସ ପୂର୍ବରୁ ଥରେ ରାତିରେ ମନୋଜ ଓ ତାଙ୍କ ବଡଭାଇ ଏକାଠି ମଦ ପିଇବାବେଳେ ଗୋପାଳଙ୍କୁ ଧମକାଇଥିଲେ ମନୋଜ । ମନୋଜ କହିଥିଲେ- ଆପଣ ଯାହା କରୁଛନ୍ତି କିଛି ଠିକ୍ କରୁନାହାନ୍ତି । ଦାଦା (ନବ କିଶୋର ଦାସ) ଆପଣଙ୍କ ଉପରେ ଖୁସି ନାହାନ୍ତି । ଆପଣଙ୍କ ଜୀବନ ପ୍ରତି ବିପଦ ରହିଛି । ସେଦିନ ରାତିରେ ମନୋଜ ବାରମ୍ବାର ଏହି କଥା କହିଥିଲେ, ଯାହା ଗୋପାଳକୁ ଚିନ୍ତା ଓ ଭୟରେ ପକାଇ ଦେଲା ।

ପଲିଗ୍ରାଫ ଟେଷ୍ଟ ସମୟରେ ଗୋପାଳ ସମଲେଶ୍ୱରୀ ମନ୍ଦିର ଯାଇ ଶପଥ କରିବା କଥା ମଧ୍ୟ କହିଛି । ନବଙ୍କ ଆଡୁ ଜୀବନ ପ୍ରତି ଭୟ ଆଶଙ୍କା କରି, ଭାଇଙ୍କ ସହ ମୁଣ୍ଡନ ହେଲାବେଳେ ନବଙ୍କୁ ହତ୍ୟା କରିବାକୁ ମାନସିକ କରିଥିଲା ଗୋପାଳ । ଜାନୁଆରୀ ୧୩ କିମ୍ବା ୧୪ ତାରିଖରେ ନବ ଦାସ ତାଙ୍କର କିଛି ପିଲାଙ୍କୁ ଗୋପାଳଙ୍କ ଘରକୁ ପଠାଇଥିଲେ । ସେମାନେ ଗୋପାଳଙ୍କ ଘର ଗେଟ ଆଗରେ ପରିଶ୍ରା କରି ଚାଲି ଯାଇଥିଲେ । ସେମାନଙ୍କର ବୟସ ୩୦ରୁ ୩୮ ବର୍ଷ ଭିତରେ ଥିଲା । ଏହି ସମୟରେ ଘରେ ଥିବା ତାଙ୍କ ପୁତୁରା ଖୁବ ଭୟଭୀତ ହୋଇପଡିଥିଲେ ବୋଲି ଗୋପାଳ ସୂଚନା ଦେଇଛି । ଏହି ଘଟଣା ପରେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ଦୁଇଥର ଚେଷ୍ଟା କରିଥିଲା ଗୋପାଳ । ଶେଷରେ ଜାନୁଆରୀ ୨୯ ତାରିଖରେ ନବଙ୍କୁ ହତ୍ୟା କରିବାକୁ ସମର୍ଥ ହେଲା ।

ଜଣେ ପୋଲିସ ଅଧିକାରୀ ଭାବରେ ଗୋପାଳ ଯଦି ନବଙ୍କୁ ହତ୍ୟା ନକରେ ତେବେ ଆଉ କେହି ପାରିବେନି ବୋଲି ଗୋପାଳ ଭାବୁଥିଲା । ତେଣୁ ବିଶ୍ୱର ମଙ୍ଗଳ ପାଇଁ ନବ ଦାସଙ୍କୁ ହତ୍ୟା କରିଥିବା କଥା ପଲିଗ୍ରାଫ ଟେଷ୍ଟ ବେଳେ କହିଥିଲା ।