କନକ ବ୍ୟୁରୋ : ଗୁରୁବାର ଦିନ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସାମଲଙ୍କ ଭଦ୍ରକ ସ୍ଥିତ ଘର, ଭୁବନେଶ୍ୱର ପଳାସପଲ୍ଲୀରେ ଥିବା ପୁଅ ପ୍ରୟାସକାନ୍ତି ସାମଲଙ୍କ ଘର ସମେତ ୧୦ଟି ଠିକଣାରେ ରେଡ୍ କରିଥିଲା ଇଡି । ଭୁବନେଶ୍ୱର ପଳାସପଲ୍ଲୀ ଘରୁ ପ୍ରାୟ ୯ ଲକ୍ଷ ଟଙ୍କା ଓ ଏକ ଫର୍ଚୁନର୍ କାର ଜବତ କରାଯାଇଛି । ଜବତ ହୋଇଥିବା କାର୍, ପ୍ରୟାସକାନ୍ତି ସାମଲଙ୍କ ନାଁରେ ନଥିବା ବେଳେ ଏହି କାରଟି ତ୍ରିଷ୍ଣା ବିଲଡର ସଂସ୍ଥା ନାଁରେ ରେଜିଷ୍ଟ୍ରେସନ୍ ହୋଇଥିବା ଜଣାପଡ଼ିଛି । ତେବେ କାର କିଣାବିକାର ଖୋଳତାଡ କରୁଛି ଇଡି ।
ବରପଦା ଇଂଜିନିୟରିଂ କଲେଜର ପ୍ରାୟ ୨୦ କୋଟି ଟଙ୍କା ହେରଫେର ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଛାନଭିନ ଆରମ୍ଭ କରିଛି । ତେବେ ଏଥିରେ ରାଜନୀତିର ଗନ୍ଧ ବାରିଛନ୍ତି ପ୍ରଫୁଲ୍ଲ ସାମଲ । କିଏ ତାଙ୍କ ଘରକୁ ଇଡିକୁ ପଠାଇଛି ବୋଲି ପ୍ରଶ୍ନ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ।
ଗତକାଲି ଭଦ୍ରକ ଓ ଭୁବନେଶ୍ୱରରେ ପାଖାପାଖି ୧୫ ଘଂଟା ଧରି ଯାଂଚ କରିଥିଲା ଇଡି । ଏପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ ଅଭିଯୋଗ କରିଛନ୍ତି ଯେ ନେତାଙ୍କୁ ଡରାଇବା ପାଇଁ ଇଡିକୁ ବ୍ୟବହାର କରାଯାଉଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ନିୟମ ଅନୁସାରେ ଇଡି ତା’ର କାମ କରୁଛି । ବିଜେଡି ବିଧାୟକ ସୁଧୀର ସାମଲ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ।
ବରପଦା ଇଂଜିନିୟରିଂ କଲେଜରେ ହୋଇଥିବା ଦୁର୍ନୀତିରେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମିଲ ଥିବା ଅଭିଯୋଗ ହୋଇଥିଲା । କଲେଜ କର୍ମଚାରୀମାନେ ଦରମା ପାଉନଥିବା ବେଳେ ପ୍ରୟାସକାନ୍ତି ଦାମୀ ଗାଡ଼ି ଚଢୁଥିବା ନେଇ ଅଭିଯୋଗ କରିଥିଲେ କର୍ମଚାରୀ । ଏପଟେ ଭୁବନେଶ୍ୱର ଉପକଂଠରେ ବରପଦା ଇଂଜିନିୟରିଂ କଲେଜ ନାଁରେ କିଣାଯାଇଥିବା ଜମିକୁ ବିଲ୍ଡର ସଂସ୍ଥା ହାତରେ ଟେକି ଦିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଇଡି ଖୋଲତାଡ଼ କରୁଥିବା କୁହାଯାଉଥିବା ବେଳେ ଇଡି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।