କାହିଁକି ଇସ୍ତଫା ଦେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ? ଏବେ ନୂଆ ପ୍ରଧାନମନ୍ତ୍ରୀ ପଦ ପାଇଁ ପୁଣି ଚର୍ଚ୍ଚାକୁ ଆସିଲା ଭାରତୀୟ ବଂଶୋଦ୍ଧବ ଋଷି ସୁନକଙ୍କ ନାଁ ।

177

କନକ ବ୍ୟୁରୋ: ୬ ସପ୍ତାହ ତିଷ୍ଠି ପାରିଲେନି ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ । ବିରୋଧ ପରେ ଗୁରୁବାର ପଦରୁ ଇସ୍ତଫା ଦେଇଛନ୍ତି ଟ୍ରସ୍ । ବୋରିଶ ଜନଶନଙ୍କ ପରେ ଲିଜ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ସେ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ବଡ ଧରଣର ଆର୍ଥିକ ସଙ୍କଟ ଓ ପରେ ରାଜନୈତିକ ସଙ୍କଟ ଘନେଇଥିଲା । ଏହାକୁ ନେଇ କେବଳ ବିରୋଧୀ ନୁହେଁ ନିଜର ଦଳର ମଧ୍ୟ ବିରୋଧର ସମ୍ମୁଖୀନ ହୋଇଥିଲେ ଟ୍ରସ୍ । ସପ୍ତାହକ ଭିତରେ ଅର୍ଥ ସଚିବ ଓ ଗୃହ ସଚିବ ଇସ୍ତଫା ଦେବା ପରେ ଲିଜ୍ ଟ୍ରସଙ୍କ ପଦ ଉପରକୁ ବିପଦ ମାଡିବା ସହ ସେ ଇସ୍ତଫା ଦେବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଥିଲା ।

କୁହଯାଉଛି ଟ୍ରସ୍ ନିଜର ପ୍ରତିଶ୍ରୁତି ପାଳନ ନ କରିବାରୁ ତାଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଥିଲା । କର୍ପୋରେଟ୍ ଟ୍ୟାକ୍ସ ହ୍ରାସ କରିଥିଲେ, ଯାହାକୁ ଦଳର ବରିଷ୍ଠ ସାଂସଦମାନେ ବିରୋଧ କରିଥିଲେ । ତେବେ ଲିଜ ଟ୍ରସ୍ଙ୍କ ଇସ୍ତଫା ପରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟ୍ରେନର ନୂଆ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି ।

କାହିଁକି ଇସ୍ତଫା ଦେଲେ ଲିଜ୍ ଟ୍ରସ୍?

  • ଦେଶରେ ଟିକସ ହ୍ରାସ ପ୍ରତିଶ୍ରୁତି ପୂରଣ କରିପାରିଲାନି ନୂଆ ସରକାର
  • ଡଲାର ତୁଳନାରେ ପାଉଣ୍ଡର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିିଛି
  • ସେପ୍ଟେମ୍ବର ୨୩ରେ ଟ୍ରସଙ୍କ ଅର୍ଥମନ୍ତ୍ରୀ କ୍ୱାସି କ୍ୱାର୍ତେଙ୍ଗ ‘ମିନି ବଜେଟ’ ଆଣିଥିଲେ
  • ଏହି ବଜେଟ ପରେ ୟୁକେ ଷ୍ଟକ ମାର୍କେଟ ଓ ବଣ୍ଡ ମାର୍କେଟ ପ୍ରଭାବିତ ହୋଇଥିଲା
  • ଏହା ପରେ ବଦଳି ଥିଲେ ଅର୍ଥମନ୍ତ୍ରୀ
  • ବିରୋଧ ଯୋଗୁଁ ଅଧିକାଂଶ ପଲିସିକୁ ବଦଳାଇବା ପାଇଁ ବାଧ୍ୟ ହୋଇଥିଲେ ଦ୍ୱିତୀୟ ଅର୍ଥମନ୍ତ୍ରୀ ଜେରେମୀ ହଂଟ
  • ବିଗିଡୁଥିବା ସ୍ଥିତି ଦେଖି ବ୍ରିଟେନ ସଂସଦରେ ଲିଜ ଟ୍ରସ୍ କ୍ଷମା ପ୍ରାର୍ଥନା କରିଥିଲେ
  • ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ
  • ନିଜ ଦଳର ସାଂସଦମାନଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି ଲିଜ୍ ଟ୍ରସ
  • ଭୁଲ ପଲିସି ଯୋଗୁଁ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଲିଜ ଟ୍ରସଙ୍କ ହାତ ଛାଡୁଛନ୍ତି
  • ମାତ୍ର ୪୪ ଦିନ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଲିଜ୍ ଟ୍ରସ

ବର୍ତ୍ତମାନ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଦୌଡରେ ଅଛନ୍ତି

  • ଋଷି ସୁନକ ନୂଆ ପ୍ରଧାନମନ୍ତ୍ରୀ ଦୌଡରେ ସବୁଠାରୁ ଆଗରେ ଅଛନ୍ତି
  • ୪୨ ବର୍ଷିୟ ସୁନକ କହିଥିଲେ ଲିଜ ଟ୍ରସ ଆର୍ଥିକ କ୍ଷେତ୍ରରେ ଠିକ ନିଷ୍ପତି ନେଉନାହାନ୍ତି
  • ଏହାଦ୍ୱାରା ବ୍ରିଟିଶ ବଜାରର ସ୍ଥିତି ବିଗିଡିପାରେ
  • ଋଷି ସୁନକଙ୍କ କଥା ଏବେ ସତ ହୋଇଛି
  • କିଛି ଲୋକଙ୍କ ମତରେ ଲିଜ ଟ୍ରସଙ୍କ ସ୍ଥାନରେ ଋଷ ସୁନକଙ୍କୁ ପ୍ରଧାନମନ୍ତ୍ରୀ କରିବା ଠିକ ନିଷ୍ପତି ହେବ
  • ସଂସଦୀୟ ପାର୍ଟିରେ ଏବେ ବି ଋଷିଙ୍କୁ ଭଲ ସମର୍ଥନ ରହିଛି
  • ଏକ ତାଜା ସର୍ଭେରେ ଲିଜ ଟ୍ରସଙ୍କ ଭଲ ବିକଳ୍ପ ଋଷି ସୁନକ ବୋଲି ଦର୍ଶାଯାଇଛି
  • ବୋରିସ ଜନସନ ଓ ଜେରେମି ହଣ୍ଟ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡରେ ଅଛନ୍ତି