କନକ ବ୍ୟୁରୋ : କାହିଁକି ଆତ୍ମହତ୍ୟା କଲେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି । ଆତ୍ମହତ୍ୟାର କାରଣ ଖୋଜିବାକୁ ଛାତ୍ରୀ ନିବାସରେ ପୋଲିସ ପହଂଚି ଛାନଭିନ ଜାରି ରଖିଛି । ୧୩୪ଜଣ ସିନିୟର ଛାତ୍ରୀଙ୍କୁ ପଚରାଉଚରା କରୁଛନ୍ତି ମହିଳା ପୁଲିସ ଓ ଏସିପିଙ୍କ ଟିମ୍ । ସେହି ୩ଜଣ ସିନିୟର କିଏ, କେବେଠୁ ର୍ୟାଗିଂ କରୁଥିଲେ ଏବଂ କାହାର ଚାପ ଯୋଗୁ ରୁଚିକା ଆତ୍ମହତ୍ୟା ଭଳି ନିଷ୍ପତି ନେଲେ ସେନେଇ ପଚରାଉଚରା ଜାରି ରଖିଛି । ଏପର୍ଯ୍ୟନ୍ତ ୩ଜଣ ସିନିୟର ଚିହ୍ନଟ ହୋଇନଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ ।
ସିନିୟରଙ୍କ ର୍ୟାଗିଂ ଯୋଗୁଁ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂୂଚନା ଅନୁସାରେ ଗତକାଲି ବିଜେବି କଲେଜରେ ପ୍ଲସ-ଥ୍ରୀ ପଢୁଥିବା ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ । କଲେଜର ହଷ୍ଟେଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ପାଖରୁ ମିଳିଥିବା ସୁଇସାଇଡ ନୋଟରେ ସିନିୟରଙ୍କ ର୍ୟାଗିଙ୍ଗ ଅସହ୍ୟ ହେବାରୁ ଜୀବନ ହାରିଥିବା ଲେଖିଛନ୍ତି ରୁଚିକା । ଖବର ପାଇ ପରିବାର ଲୋକେ ଭୁବନେଶ୍ୱର ପହଂଚି ନ୍ୟାୟ ଦାବିରେ କଲେଜ ଗେଟରେ ଧାରଣାରେ ବସିଥିଲେ । ରୁଚିକାର ମୃତ୍ୟୁ ପାଇଁ କଲେଜ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ପରିବାର । ଏଥିସହ ର୍ୟାଗିଂ କରିଥିବା ୩ ଜଣ ଛାତ୍ରୀଙ୍କୁ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ହେଲେ ପୁରା ଘଟଣା ସନ୍ଦେହ ଘେରରେ ରହିଛି । କାରଣ ରୁଚିକା ଗତକାଲି ସକାଳେ ମାଆଙ୍କ ସହ ସ୍ୱାଭାବିକ ଭାବେ କଥା ହୋଇଥିଲେ । ସେହି ସମୟରେ ର୍ୟାଗିଂ ବାବଦରେ କିମ୍ବା ମାନସିକ ନିର୍ଯାତନା ବାବଦରେ ରୁଚିକା ମାଆଙ୍କୁ କିଛି କହିନଥିବା ଜଣାପଡିଛି । ତେଣୁ ପ୍ରଶ୍ନ ଉଠୁଛି, ମାଆଙ୍କ ସହ କଥା ହେବା ପରେ ଏମିତି କଣ ଘଟିଗଲା ଯେ ରୁଚିକା ଆତ୍ମହତ୍ୟା କଲେ? ହଷ୍ଟେଲରେ ର୍ୟାଗିଂ ହେଉଥିବା କଥା ହଷ୍ଟେଲ ସୁପରିଟେଣ୍ଡେଂଟ ଓ କଲେଜ କର୍ତୃପକ୍ଷଙ୍କୁ ଜାଣିପାରିଲେ ନାହିଁ କେମିତି? ଏସବୁ ପ୍ରଶ୍ନ ରୁଚିକାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରହସ୍ୟ ସୃଷ୍ଟି କରିଛି । ଏହା ଉପର ପରଦା ଉଠାଇବାକୁ ପରିବାର ଲୋକେ ଦାବି କରିଛନ୍ତି ।