କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଫ୍ଲାଇଂ ସ୍କ୍ୱାର୍ଡ ଦ୍ୱାରା ଯାଂଚ କରାଯିବାକୁ ଯାଉଥିବା ବେଳେ ସୃଷ୍ଟି ହେଲା ଅଭାବନୀୟ ପରିସ୍ଥିତି । ଯାଂଚର କାଗଜପତ୍ର ମାଗିବା ସହିତ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଯାଂଚ କରାଯାଉଛି କି ବୋଲି ପ୍ରଶ୍ନ ଉଠାଇଥିଲେ ଧର୍ମେନ୍ଦ୍ର । ବୁର୍ଲା ଏସଡିପିଓ ଘଟଣାସ୍ଥଳରେ ପହଂଚି ଉତେଜିତ ହୋଇପଡିଥିବା କେନ୍ଦ୍ରମନ୍ତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ବୁଝିବା ପରିବର୍ତ୍ତେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ ଧର୍ମେନ୍ଦ୍ର ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୁଲିସ ଅଧିକାରୀଙ୍କ ମଧ୍ୟରେ ଯୁକ୍ତି ତର୍କର ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ବଲପୁରରେ ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ବୁର୍ଲା ସ୍ଥିତ ଏମସିଏଲ ହେଲିପ୍ୟାଡରେ ପହଁଚିବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ହେଲିକପ୍ଟରକୁ ଯାଂଚ କରିବାକୁ ପହଁଚିଥିଲେ ଫ୍ଲାଇଂ ସ୍କ୍ୱାର୍ଡର ଦୁଇଟି ଟିମ୍ । ଗୋଟିଏ ଟିମ୍ ଯାଂଚ ପାଇଁ ଯାଇଥିବା ବେଳେ, ଯାଂଚ ବେଳର ଦୃଶ୍ୟ ଭିଡିଓଗ୍ରାଫି କରିବାକୁ ଯାଇଥିଲେ ଅନ୍ୟ ଏକ ଟିମ୍ । ତେବେ ଏହାକୁ ନେଇ କ୍ଷୁବ୍ଧ ହୋଇଯାଇଥିଲେ ଧର୍ମେନ୍ଦ୍ର ।
ସେପଟେ ଘଟଣାସ୍ଥଳରେ ଥିବା ଏହି ସୁଟକେଶକୁ ନେଇ ମଧ୍ୟ ବିବାଦ ଆହୁରି ତେଜିଛି । ବିଜେଡି ମୁଖପାତ୍ର ସୁଲୋଚନା ଦାଶ କହିଛନ୍ତି, ଏହି ବ୍ୟାଗକୁ ଚେକିଂ କରିବାକୁ ଚାହୁଁଥିବା ବେଳେ ପ୍ରତିକ୍ରିୟାଶୀଳ ହୋଇପଡିଥିଲେ କେନ୍ଦ୍ରମନ୍ତ୍ରୀ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଦେଶର ନିର୍ବାଚନ ପଦ୍ଧତିକୁ କେତେ ସମ୍ମାନ ଦିଅନ୍ତି କେନ୍ଦ୍ରମନ୍ତ୍ରୀ ।
Follow Us