କନକ ବ୍ୟୁରୋ : ବାତ୍ୟା ଅସାନିର ଗତିପଥକୁ ଆକଳନ କରିବା ପାଣିପାଗ ବିଜ୍ଞାନୀଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଥିଲା । ଆଗୁଆ ଆକଳନ କରିବା ଏତେ ସହଜ ହୋଇନଥିଲା । କିନ୍ତୁ ଭାରତୀୟ ପାଣିପାଗ ବିଭାଗର ଆକଳନ ମୋଟାମୋଟି ଠିକ୍ ହୋଇଛି । ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳରେ ସମାନ୍ତରାଳ ହୋଇ ସମୁଦ୍ରରେ ଉତର, ଉତର-ପୂର୍ବ ଦିଗରେ ଗତିକରୁଛି ବାତ୍ୟା । ଉପକୂଳର ନିକଟବର୍ତୀ ହୋଇଥିଲେ ବି ଲ୍ୟାଣ୍ଡଫଲ କରିନାହିଁ । ସ୍ଥଳଭାଗରେ ମଧ୍ୟ ବାତ୍ୟାର ସେଭଳି ପ୍ରଭାବ ଦେଖିବାକୁ ମିଳିନାହିଁ । ତେବେ ସମୁଦ୍ରରେ କେମିତି ଦୁର୍ବଳ ହୋଇଗଲା ଅସାନି, କେଉଁ କାରଣଗୁଡିକ ଏଥିପାଇଁ ସହାୟକ ହେଲା ସେନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Advertisment

ପ୍ରଥମତଃ ସମୁଦ୍ର ନିକଟରେ ବାତ୍ୟାର ଧୀର ଗତି ଏହାକୁ ଦୁର୍ବଳ କରିବାରେ ସହାୟକ ହେଲା । ଭୀଷଣ ବାତ୍ୟାର ରୂପ ନେଇଥିବା ଅସାନି ଆଜି ସକାଳୁ ବାତ୍ୟାରେ ପରିଣତ ହୋଇଥିଲା ଏବଂ ଆସନ୍ତା କାଲି ସୁଦ୍ଧା ଏହା ଅବପାତରେ ପରିଣତ ହେବ । ବାତ୍ୟାକୁ ଦୁର୍ବଳ କରିବାର ଦ୍ୱିତୀୟ କାରଣଟି ହେଉଛି ସ୍ଥଳଭାଗ ନିକଟରେ ବହୁ ସମୟ ଧରି ରହିବା । ତୃତୀୟରେ ସ୍ଥଳଭାଗରୁ ପଶ୍ଚିମା ଶୁଷ୍କ ବାୟୁ ବାତ୍ୟାର କେନ୍ଦ୍ରସ୍ଥଳ ଆଡକୁ ପ୍ରବାହିତ ହେଉଥିବାରୁ ଏହା ଅଧିକ ଶକ୍ତିଶାଳୀ ହୋଇପାରିଲା ନାହିଁ । ଉପଦ୍ୱୀପ ଅଞ୍ଚଳରେ ଏଭଳି ଶୁଷ୍କ ବାୟୁ ଅଧିକ ମାତ୍ରାରେ ପ୍ରବାହିତ ହେଉଥିବାରୁ ବାତ୍ୟାକୁ ଦୁର୍ବଳ କରିଦେଲା । ସେହିପରି ଏହିସବୁ ଅଞ୍ଚଳରେ ୱିଣ୍ଡ ସ୍ପିଅର ସାଧାରଣ ଠାରୁ ଅଧିକ ରହିଛି । ଯାହା ବାତ୍ୟାକୁ ଦୁର୍ବଳ କରିବାର ଆଉ ଏକ ପ୍ରମୁଖ କାରଣ ।

ଆନ୍ଧ୍ରପ୍ରଦେଶରେ ବାତ୍ୟା ଅସାନିର ପ୍ରଭାବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ମଛଲିପଟନମରେ ୭୦ରୁ ୮୦ କିଲୋମିଟର ବେଗରେ ବହୁଛି ପବନ । ୟନମରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ତୁହାକୁ ତୁହା ବର୍ଷା ହେଉଛି । ସମୁଦ୍ରରେ ବଡ ବଡ ଢେଉ ଉଠୁଛି । ପ୍ରଶାସନ ତରଫରୁ ବାରଣ ସତ୍ୱେ ଅନେକ ଲୋକ ବାତ୍ୟାକୁ ଉପଭୋଗ କରିବା ପାଇଁ ବେଳାଭୂମିରେ ଜମା ହୋଇଛନ୍ତି ।

ଅନ୍ୟପଟେ ବାତ୍ୟା ପ୍ରଭାବରେ କାକିନାଡାର ଉପାଡା ବେଳାଭୂମି କ୍ଷତିଗ୍ରସ୍ତ ହୋଇଛି । କାକିନାଡାରୁ ଉପାଡା ବେଳାଭୂମି ରାସ୍ତା ବନ୍ଦ ରହିଛି । ଏହି ଦୁଇଟି ସ୍ଥାନକୁ ସଂଯୋଗ କରୁଥିବା ପିଚୁ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ସମୁଦ୍ର ଅଶାନ୍ତ ଥିବାରୁ ପାଣି ଲହଡି ମାରି ରାସ୍ତା ଉପରକୁ ମାଡି ଆସିଥିବା ଦେଖିବାକୁ ମିଳିଛି । ତେଣୁ ଏହି ରାସ୍ତାକୁ ସାମୟିକ ସମୟ ପାଇଁ ବନ୍ଦ କରି ଦେଇଛି ପ୍ରଶାସନ ।