ବିଭିନ୍ନ ଫର୍ମାଟରେ କାହିଁକି ଭିନ୍ନ ଭିନ୍ନ ରଙ୍ଗର ବଲରେ ଖେଳ ହୁଏ କ୍ରିକେଟ । ଜାଣନ୍ତୁ ହ୍ୱାଇଟ, ରେଡ ଓ ପିଙ୍କ ବଲରେ କ୍ରିକେଟ ଖେଳିବାର ରହସ୍ୟ ।

403

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲିଠୁ ଆରମ୍ଭ ହେବ ଡେ-ନାଇଟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚ ଡେ ନାଇଟ ହେଉଥିବାରୁ ଏଥିରେ ପିଙ୍କ ବଲରେ ଖେଳାଯିବ । ଗତ ୬ ବର୍ଷ ମଧ୍ୟରେ ୧୬ ଥର ଓ ଭାରତ ମାଟିରେ ଦ୍ୱିତୀୟଥର ପାଇଁ ଡେ ନାଇଟ ଟେଷ୍ଟ ମ୍ୟାଚ ଖେଳାଯିବ । ତେବେ ଆପଣଙ୍କ ମନରେ ନଶ୍ଚେ ପ୍ରଶ୍ନ ଆସୁଥିବ ଡେ ନାଇଟ ଟେଷ୍ଟରେ କାହିଁକି ପିଙ୍କ ବଲରେ କ୍ରିକେଟରେ ଖେଳାଯାଏ । ଆସନ୍ତୁ ଜାଣିବା କ୍ରିକେଟର ବିଭିନ୍ନ ଫର୍ମାଟରେ କାହିଁକି ଅଲଗା ଅଲଗା ରଙ୍ଗର ବଲରେ ଖେଳାଯାଏ ।

କ୍ରିକେଟ ଆରମ୍ଭରୁ ହିଁ ରେଡ ବଲରେ ଖେଳାଯାଉଥିଲା । ପ୍ରଥମ ୪ଟି କ୍ରିକେଟ ବିଶ୍ୱକପ ମଧ୍ୟ ରେଡ ବଲରେ ଖେଳାଯାଇଥିଲା । ହେଲେ ବର୍ତ୍ତମାନ କ୍ରିକେଟ ଫର୍ମାଟ ଭିନ୍ନ ହେବା ସହ ବଲ ମଧ୍ୟ ଅଲଗା ଅଲଗା ଖେଳାଯାଉଛି । ଟେଷ୍ଟ ମ୍ୟାଚରେ ରେଡ ବଲ, ଦିନିକିଆ ଓ ଟି-୨୦ରେ ହ୍ୱାଇଟ ବଲ ଓ ଏବେ ଡେ-ନାଇଟ ଟେଷ୍ଟରେ ପିଙ୍କ ବଲରେ ଖେଳାଯାଉଛି ।

ଅନେକ ଘଣ୍ଟା ଧରି ମୈଦାନରେ କ୍ରିକେଟ ଖେଳ ହୋଇଥାଏ । ଆଉ ଏହାରି ମଧ୍ୟରେ ଆଲୋକର ମଧ୍ୟ ପରିବର୍ତ୍ତନ ହୋଇଥାଏ । ସେହିପରି ସନ୍ଧ୍ୟାରେ ଫ୍ରଡ ଲାଇଟ ଅନ ହେଲେ ପଡିଆରେ ହଠାତ ଆଲୋକର ପରିବର୍ତ୍ତନ ଖେଳାଳିଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ । ତେଣୁ କ୍ରିକେଟରେ ବିଭିନ୍ନ ରଙ୍ଗର ବଲରେ ଖେଳାଯାଏ ।

ରାତିରେ ଫ୍ରଡ ଲାଇଟରେ ଧଳା ବଲ ସ୍ପଷ୍ଟ ଭାବରେ ଦେଖାଯାଇଥାଏ । ହେଲେ ଟେଷ୍ଟ ମ୍ୟାଚରେ ଧଳା ବଲର ବ୍ୟବହାର କରାଯାଇନଥାଏ । ଏହା ପଛରେ ମଧ୍ୟ କାରଣ ରହିଛି । ହ୍ୱାଇଟ ବଲରେ ବେଶି ସମୟ କ୍ରିକେଟ ଖେଳିଲେ ଏହାର ରଙ୍ଗ ଛାଡି ଯାଇଥାଏ । ଆଉ ୩୦ ଓଭର ପରେ ଖେଳାଳିଙ୍କୁ ବଲ ଦେଖାଯିବାରେ ଅସୁବିଧା ହୋଇଥାଏ । ସେହିପରି ରେଡ ବଲରେ ନାଲି ରଙ୍ଗର ଆସ୍ତରଣ ରହିଥାଏ । ଆଉ ଲେଦର ନାଲି ରଙ୍ଗକୁ ଶୋଷି ନେଇଥାଏ । ଯେତେବେଳେ ବଲ ପୁରୁଣା ହୋଇଥାଏ ନାଲି ବଲର ରଙ୍ଗ ପରିବର୍ତ୍ତନ ହୋଇ ନଥାଏ । ତେଣୁ ଟେଷ୍ଟ କ୍ରିକେଟରେ ଅଧିକ ଓଭର ଖେଳାଯାଉଥିବାରୁ ଏଥିରେ ନାଲି ବଲର ବ୍ୟବହାର ହୋଇଥାଏ ।

କେବଳ ଏହି କାରଣ ନୁହେଁ ଜର୍ସିର ରଙ୍ଗ ପାଇଁ ମଧ୍ୟ ବଲରେ ପରିବର୍ତ୍ତନ ହୋଇଥାଏ । ଟେଷ୍ଟ କ୍ରିକେଟରେ ଧଳା ଜର୍ସି ହୋଇଥିବାରୁ ଧଳା ବଲରେ ଖେଳାଯାଏ ନାହିଁ । କାରଣ ଧଳା ଜର୍ସିରେ ଖେଳାଳି ମାନେ ବଲକୁ ଦେଖିପାରନ୍ତିନାହିଁ । ଦିନିକିଆ କ୍ରିକେଟରେ ଭିନ୍ନ ଭିନ୍ନ ରଙ୍ଗର ଜର୍ସି ହୋଇଥିବାରୁ ଏଥିରେ ଧଳା ବଲରେ ଖେଳାଯାଏ । କାରଣ ଧଳା ବଲ ରଙ୍ଗିନ ଜର୍ସିରେ ସ୍ପଷ୍ଟ ଦେଖାଯାଏ ।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯଦି ଟେଷ୍ଟ ମ୍ୟାଚରେ ନାଲି ବଲରେ ଖେଳାଯାଉଛି । ତେବେ ଡେନାଇଟ ଟେଷ୍ଟ ମ୍ୟାଚରେ କାହିଁକି ନାଲି ବଲରେ ଖେଳାଯାଉନି । ଏହାର କାରଣ ହେଉଛି ରାତିରେ ନାଲି ବଲ ସ୍ପଷ୍ଟ ଭାବରେ ଦେଖାଯାଇ ନଥାଏ । ତେଣୁ ପିଙ୍କ ବଲରେ କ୍ରିକେଟ ଖେଳାଯାଏ । ଆଉ ପିଙ୍କ ବଲ ପୁରୁଣା ହେବା ପରେ ମଧ୍ୟ ଏହାର ରଙ୍ଗରେ କୌଣସି ପରିବର୍ତ୍ତନ ହୋଇନଥାଏ । ତେବେ ଏହି ସବୁ କାରଣ ଯୋଗୁଁ କ୍ରିକେଟର ବିଭିନ୍ନ ଫର୍ମାଟରେ ଭିନ୍ନ ଭିନ୍ନ ବଲରେ ଖେଳାଯାଇଥାଏ ।