ପ୍ରଥମ ଡୋଜ୍ ଟିକାନେଲେଣି ୯୦ ପ୍ରତିଶତ ରାଜଧାନୀବାସୀ । ତଥାପି କାହିଁକି ଖୋଲୁନି ଭୁବନେଶ୍ୱର?

409

କନକ ବ୍ୟୁରୋ: ରାଜ୍ୟ ସରକାର ପୁଣି ଆଂଶିକ ତାଲାବନ୍ଦ ଅବଧିକୁ ବଢାଇ ଦେଇଛନ୍ତି । ହେଲେ ‘କ୍ୟାଟାଗୋରୀ –ବି’ରେ ଥିବା ଭୁବନେଶ୍ୱରରେ କଟକଣା ଜାରି ରହିବ । ସପ୍ତାହାନ୍ତ ସଟଡାଉନ ସମେତ ଅପରାହ୍ନ ୫ଟା ପରେ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ । କିନ୍ତୁ ପ୍ରଶ୍ନ ହେଉଛି ଦେଶର ଅନ୍ୟ ବଡ ସହର ଖୋଲୁଥିବା ବେଳେ କାହିଁକି ଖୋଲିବ ନାହିଁ ଭୁବନେଶ୍ୱର ?

ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅର୍ଥନୈତିକ ଗତିବିଧିର କେନ୍ଦ୍ରସ୍ଥଳୀ ରହିଛି ରାଜଧାନୀରେ । ଗୋଟିଏ ପଟେ ଦେଶର ରାଜଧାନୀ ଦିଲ୍ଲୀ ଖୋଲିଥିବା ବେଳେ, ଦେଶର ଅନ୍ୟତମ ବ୍ୟସ୍ତବହୁଳ ସହରଗୁଡିକ ମଧ୍ୟ ଖୋଲିବାରେ ଲାଗିଛି । ସେହିପରି ବିଶ୍ୱର ଅନେକ ରାଷ୍ଟ୍ର କଟକଣା କୋହଳ କରିସାରିଲେଣି । କରୋନା ସଂକ୍ରମଣ ଭିତରେ ଲୋକଙ୍କ ଜୀବନ ଜୀବିକାକୁ ଆଖିରେ ରଖି ଅନେକ ରାଷ୍ଟ୍ର କଟକଣା କୋହଳ କରିସାରିଛନ୍ତି । ଟିକାକରଣ ଆଧାରରେ ଓ ଅର୍ଥନୈତିକ ଗିତିବିଧିକୁ ବଳ ଦେବା ପାଇଁ ସେଠାକାର ପ୍ରଶାସନ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପଟେ ଭୁବନେଶ୍ୱରରେ ୯୦ ପ୍ରତିଶତ ଲୋକଙ୍କୁ ଗୋଟିଏ ଡୋଜ ଟିକା ଦିଆ ସରିଛି । ସଂଖ୍ୟା ଦୃଷ୍ଟିରେ ଦେଖିଲେ ୧୫ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଇ ସାରିଛି । ସେମାନଙ୍କ ମଧ୍ୟରୁ ୭ଲକ୍ଷ ଲୋକଙ୍କୁ ସଂପୂର୍ଣ୍ଣ ଟିକାକରଣ କରାଯାଇ ସାରିଛି । ଜୁଲାଇ ସୁଦ୍ଧା ରାଜଧାନୀବାସୀଙ୍କୁ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛିି ବିଏମସି  ଏବଂ ଭୁବନେଶ୍ୱରରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୧୬୪  । ତେଣୁ ପ୍ରଶ୍ନ ଉଠୁଛି କାହିଁକି ଖୋଲିବ ନାହିଁ ଭୁବନେଶ୍ୱର?

ସେହିପରି ରାଜ୍ୟରେ ବାଣିଜ୍ୟିକ ରାଜଧାନୀ କଟକରେ ମାଟ ୯ ଲକ୍ଷ ୨୧ ହଜାର ୬୨ଜଣଙ୍କୁ ଟିକାକରଣ କରାଯାଇଛି । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୧ ହଜାର ୪୯୪ ଜଣଙ୍କୁ ସଂପୂର୍ଣ୍ଣ ଟିକାକରଣ କରାଯାଇଛି । ରାଜ୍ୟର ରାଜଧାନୀ ଓ ବାଣିଜ୍ୟିକ ରାଜଧାନୀ ଉପରେ କାହିଁକି ସରକାରଙ୍କ ଫୋକସ ନାହିଁ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି ।