ଦିଲ୍ଲୀ-ମୁମ୍ବାଇରେ କମିଲା, ରାଜ୍ୟର କିଛି ଜିଲ୍ଲାରେ କାହିଁକି କମୁନି ସଂକ୍ରମଣ ? ଅଧିକ ଯାତାୟତ ନେଇ ଅଜବ ଯୁକ୍ତି ରଖୁଛନ୍ତି ସରକାରଙ୍କ ସ୍ୱାସ୍ଥ୍ୟ ବିଶେଷଜ୍ଞ

139

କନକ ବ୍ୟୁରୋ : ସାରା ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଥିବା ବେଳେ ଲକଡ଼ାଉନ୍ ମଧ୍ୟ କୋହଳ ହୋଇଛି । ତେବେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ କରୋନା ଗ୍ରାଫ୍ ଖସିବାର ନାଁ ଧରୁନାହିଁ । ଏହି ଦୁଇ ଜିଲ୍ଲାରେ ଟିପିଆର ବି ୫ପ୍ରତିଶତ ଉପରେ ରହୁଛି । ବିଶେଷକରି ଯେଉଁଠି କରୋନା ନିୟନ୍ତ୍ରଣ ପାଇଁ ସବୁ ଯୋଜନା ନିର୍ଦ୍ଧାରଣ ହେଉଛି, ସେହି ରାଜଧାନୀ ଭୁବନେଶ୍ୱରରେ କରୋନାକୁ କାବୁ କରିପାରୁନାହାନ୍ତି ସରକାର ।

ପ୍ରତ୍ୟେକ ଦିନ ଡ଼ିଏମଇଟି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ କରୋନା କମିବା ନେଇ ଭବିଷ୍ୟବାଣୀ କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ତାର ପ୍ରତିଫଳନ ଦେଖିବାକୁ ମିଳୁନି । କଟକ ଓ ଭୁବନେଶ୍ୱରରେ ସଂକ୍ରମଣ କମିବ ବୋଲି ଗତ କିଛି ସପ୍ତାହ ଧରି ଯାହା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ସବୁ ଭୁଲ ପ୍ରମାଣିତ ହୋଇଛି । ଏପେଟ ତୃତୀୟ ଲହରର ସମ୍ଭାବନା ବଢିଚାଲିଥିବା ବେଳେ ଆଗକୁ ଏହି ଦୁଇ ଜିଲ୍ଲାର ଚିତ୍ର କ’ଣ ହେବ ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଭୁବନେଶ୍ୱର ରାଜ୍ୟର ରାଜଧାନୀ ହୋଇଥିବାରୁ ଏଠାରେ ବିମାନ ବନ୍ଦର ଓ ପମୁଖ ରେଳ ଷ୍ଟେସନ ଥିବାରୁ ପ୍ରତେକ ଦିନ ହଜାର ହଜାର ଲୋକ ଯାତାୟତ କରୁଛନ୍ତି ।

ସଂକ୍ରମଣ ନକମିବା ଏହାର ପ୍ରମୁଖ କାରଣ ବୋଲି ଅଜବ ଯୁକ୍ତି କରୁଛନ୍ତି ଡ଼ିଏମଇଟି । ଆମେ ଏଇଥିପାଇଁ କହୁଛୁ ଯେ, ଦିଲ୍ଲୀ ଦେଶର ରାଜଧାନୀ ହୋଇଥିଲେ ମଧ୍ୟ ସମାନ କାରଣ ପାଇଁ ସେଠାରେ କାହିଁକି ସଂକ୍ରମଣ ବଢୁନାହିଁ । ଏବଂ ଦୈନିକ ମୃତ୍ୟୁ ସଂଖ୍ୟା ଶୁନ୍ରେ ମଧ୍ୟ ପହଂଚି ସାରିଛି । ସରକାର ଏହାକୁ ଉଦାହରଣ ଭାବେ ନେଇ କେବଳ ଲକଡ଼ାଉନକୁ ଆଧାର ନକରି କିଛି ଠୋସ ପଦକ୍ଷେପ ନନେଲେ ଖୋର୍ଦ୍ଧା ଓ କଟକର କରୋନା ଚିତ୍ର ବଦଳିବ ନାହିଁ ବୋଲି ଚର୍ଚ୍ଚା ହେଉଛି ।