କେମିତି ଆସେ କେମିତି ଯାଏ କରୋନା ? ବିଶେଷଜ୍ଞ କହିଲେ, ଭୁତାଣୁ ଓ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଭିତରେ ଚାଲିଛି ଲଢେଇ, ତୃତୀୟ ଲହରକୁ ନେଇ ରହିବା ଦରକାର ସତର୍କ ।

520

କନକ ବ୍ୟୁରୋ : କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ପୁଣି ଆଉ ଏକ ଲହର ଆସିବ ବୋଲି ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ । ଥରେ କରୋନା କମିଗଲା ପରେ ପୁଣି କାହିଁକି ସଂକ୍ରାମକ ହେଉଛି ଭୂତାଣୁ । ତେବେ ବିଶେଷଜ୍ଞ କହିଛନ୍ତି, ଭୂତାଣୁକୁ ଅଟକାଇବା ପାଇଁ ଶରୀର ଯେପରି ଆଂଟିବଡି ସୃଷ୍ଟି କରୁଛି, ସେହିପରି ଭୂତାଣୁ ବଂଚି ରହିବା ପାଇଁ ଅନବରତ ରୂପ ବଦଳାଇ ଚାଲିଛି । ଫଳରେ କେତେବେଳେ କରୋନା କମୁଛି ତ ପୁଣି କେତେବେଳେ କରୋନା ବଢୁଛି ।

କାହିଁକି ବଢ଼େ, କାହିଁକି କମେ କରୋନା ? ଗୋଟିଏ ଲହର ପରେ କାହିଁକି ଆସେ ଆଉ ଏକ ଲହର? ପ୍ରଥମ ଲହର ପରେ ଦ୍ୱିତୀୟ ଲହର ଅଧିକ ଘାତକ ହୋଇଥିବା ବେଳେ ଏବେ ତୃତୀୟ ଲହର ନେଇ ଆଶଙ୍କା ବଢ଼ୁଛି । ସମସ୍ତଙ୍କ ମନରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ଥରେ କରୋନା କମିଗଲା ପରେ କାହିଁକି ପୁଣି ଥରେ ବଢୁଛି କରୋନା ସଂକ୍ରମଣ ।

ଯେତେବେଳେ ନୂଆ ଭୂତାଣୁ ପୃଥିବୀକୁ ଆସେ, ସେତେବେଳେ ଅଧିକ ଲୋକଙ୍କୁ ସଂକ୍ରମଣ କରିଥାଏ । କାରଣ ପୂର୍ବରୁ ଏହି ଭୂତାଣୁ ସହ ଲଢ଼ିବାକୁ ମଣିଷ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ନଥାଏ । ତେଣୁ ସହଜରେ ଲୋକଙ୍କୁ ଆକ୍ରାନ୍ତ କରେ, ଆଉ ଧୀରେ ଧୀରେ ମହାମାରୀର ରୂପ ନେଇଥାଏ । ଏପଟେ ଭୂତାଣୁ ଓ ଆଂଟିବଡି ମଧ୍ୟରେ ଲଢ଼େଇ ଭିତରେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିପାଏ ।

ଗୋଟିଏ ପଟେ ହର୍ଡ ଇମ୍ୟୁନିଟି ବା ସମୂହ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୁଏ ଏବଂ ଅନ୍ୟପଟେ ଲକଡାଉନ ଓ ସଟଡାଉନ ଭଳି ବିଭିନ୍ନ କଟକଣା ଯୋଗୁଁ ଭୂତାଣୁ ନୂଆ ଶରୀର ପାଏ ନାହିଁ । ଫଳରେ ସଂକ୍ରମଣ ହ୍ରାସ ପାଏ । ତେବେ ଏଇଠି କଥା ସରେନାହିଁ । ଭୂତାଣୁ ବଂଚିବା ପାଇଁ ନୂଆ ନୂଆ ମ୍ୟୁଟାଣ୍ଟ ବା ରୂପ ବଦଳାଇ ଚାଲିଥାଏ । ଯଦି କୌଣସି ମ୍ୟୁଟାଂଟ ପୂର୍ବଠାରୁ ଶକ୍ତିଶାଳୀ ହୋଇଉଠେ, ତେବେ ଶରୀରର ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧ ବଳୟକୁ ଭେଦ କରି ଲୋକଙ୍କୁ ସଂକ୍ରମିତ କରିବାକୁ ସମର୍ଥ ହୋଇଥାଏ । ଯାହାକୁ ଆଉ ଏକ ଲହର ବୋଲି କୁହାଯାଏ ।

ହର୍ଡ ଇମ୍ୟୁନିଟି, ଯେମିତି ଭାଇରସକୁ ଅଟକାଏ, ଟିକାକରଣ ଦ୍ୱାରା ମଧ୍ୟ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି କରାଯାଇ ସଂକ୍ରମଣକୁ ରୋକା ଯାଇଥାଏ । ତେଣୁ ତୃତୀୟ ଲହରକୁ ବ୍ୟାପକ ଟିକାକରଣ ଦ୍ୱାରା ପ୍ରଭାବହୀନ କରିହେବ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର ।

ମଣିଷ ସହ ଭୂତାଣୁର ଏହି ଲଢ଼େଇ ଆଜିର ନୁହେଁ, ବହୁ କାଳରୁ ଏହା ଚାଲିଆସିଛି । ମହାମାରୀ ଆସିଛି, ମହାମାରୀ ଯାଇଛି । ଏହି ପ୍ରକ୍ରିୟା ଅନବରତ ଜାରି ରହିଛି । ତେବେ ନୂଆ ତଥା ଶକ୍ତିିଶାଳୀ ଭୂତାଣୁ ଯେତେବେଳେ ଆସିଛି, ମାନବ ସମାଜ ପ୍ରତି ବିପଦ ସୃଷ୍ଟି କରିଛି । ତା’ର ବଡ଼ ଉଦାହରଣ ହେଉଛି, ବର୍ତମାନର କୋଭିଡ-୧୯ ପାଣ୍ଡେମିକ୍ ।