ଗାଁ ଦାଣ୍ଡରେ ପାଠପଢା । ନବରଙ୍ଗପୁରରୁ ଆସିଲା ଶିକ୍ଷାଦାନର ବିକଳ ଚିତ୍ର, ଅସ୍ୱାସ୍ଥ୍ୟକର ପରିବେଶରେ ପାଠ ପଢୁଛନ୍ତି ପିଲା ।

88

କନକ ବ୍ୟୁରୋ : ଅସ୍ୱାସ୍ଥ୍ୟକର ପରିବେଶରେ ପାଠପଢା । ରାସ୍ତାକଡରେ ଗଛମୂଳରେ ଚାଲିଛି କୁନିକୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ପ୍ରାଥମିକ ଶିକ୍ଷାର ଏହି ବିକଳ ଚିତ୍ର ଆସିଛି ନବରଙ୍ଗପୁର ଜିଲ୍ଲାର ଉପାନ୍ତ ନନ୍ଦାହାଣ୍ଡି ବ୍ଲକରୁ । ପିଲାଙ୍କୁ ଶିକ୍ଷାଭିମୁଖୀ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ମୌଖିକ ନିର୍ଦ୍ଦେଶରେ ଗାଁ ଦାଣ୍ଡରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଛନ୍ତି ଶିକ୍ଷୟିତ୍ରୀ ।

ଗାଁ ଦାଣ୍ଡ, ଗଛମୂଳ, ପରିତ୍ୟକ୍ତ ଘର, ଖୋଲା ପଡିଆ ଓ ଗୁହାଳରେ ଚାଲିଛି ଶିକ୍ଷାଦାନ । କରୋନା ବେଳେ ପ୍ରାଥମିକ ସ୍କୁଲ ଖୋଲିବାକୁ ସରକାରୀ ନିର୍ଦ୍ଦେଶ ନଥିବାରୁ ଆଦିବାସୀ ଅଞ୍ଚଳର ପିଲାଙ୍କୁ ଏମିତି ପାଠ ପଢାଉଛନ୍ତି ଶକ୍ଷକ । ଆଉ ଏଥିପାଇଁ କୁଆଡେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମୌଖିକ ନିର୍ଦ୍ଦେଶ ରହିଛି । ତେବେ ଗାଁ ଦାଣ୍ଡରେ ଶ୍ରେଣୀ ଗୃହର ଶୈକ୍ଷିକ ବାତାବରଣ ନଥିବାରୁ ପିଲାଙ୍କ ପାଠପଢା ଆଗ୍ରହ କମି ଯାଉଥିବା କହିଛନ୍ତି ଶିକ୍ଷକ ।

କରୋନା ଯୋଗୁଁ ପ୍ରାୟ ଦେଢ ବର୍ଷରୁ ଅଧିକ ସମୟ ଧରି ପ୍ରାଥମିକ ସ୍କୁଲ ବନ୍ଦ ଥିବା ବେଳେ ନନ୍ଦାହାଣ୍ଡିରେ ଚାଲିଥିବା ଶିକ୍ଷା ବ୍ୟବସ୍ଥାକୁ ବିରୋଧ କରିଛି ପ୍ରାଥମିକ ଶିକ୍ଷକ ସଂଘ । ଖୋଲା ସ୍ଥାନରେ ପାଠ ପଢ଼ାଇବା ବେଳେ ଅଘଟଣର ଆଶଙ୍କା କରି ସ୍କୁଲ ଖୋଲିବାକୁ ଦାବି ହୋଇଛି । ଅନ୍ୟପଟେ ଅସ୍ୱାସ୍ଥ୍ୟକର ପରିବେଶରେ ପାଠପଢା ପ୍ରସଙ୍ଗରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିବାକୁ ମନା କରି ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । କୁନି ପିଲାଙ୍କ ଜୀବନକୁ ଗୁରୁତ୍ୱ ଦେଇ ସରକାର ପ୍ରାଥମିକ ବିଦ୍ୟାଳୟ ନଖୋଲିବାକୁ ନିଷ୍ପତ୍ତି ନେଇଥିବା ବେଳେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ କାହିଁକି ଏଭଳି ଅଜବ ନିଷ୍ପତ୍ତି ନିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।