କାହିଁକି ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ହ୍ରାସକଲେ ଉତ୍ପାଦ ଶ୍ଳୁକ ? ଜାଣନ୍ତୁ ୩ ଟି କାରଣ

972

କନକ ବ୍ୟୁରୋ : ଦୀର୍ଘଦିନର ଅପେକ୍ଷା ପରେ ଏବେ ତୈଳ ଉପଭୋକ୍ତାଙ୍କୁ ଆଶ୍ୱସ୍ଥି ମିଳିଛି । ଆକାଶଛୁଆଁ ତୈଳଦର ବିରୋଧରେ ବାରମ୍ବାର ଆନ୍ଦୋଳନ ଓ ସାମାଜିକ ଗଣମାଧ୍ୟମରେ ସରକାର ସମାଲୋଚିତ ହେବା ପରେ ଗତକାଲି ଉତ୍ପାଦ ଶ୍ଳୁକ ହ୍ରାସ ନେଇ ସରକାର ଘୋଷଣା କରିଛନ୍ତି । ଏହି କ୍ରମରେ ଏବେ ପେଟ୍ରୋଲ ଦାମ ୯.୫୦ ଟଙ୍କା ଓ ଡିଜେଲ ଦାମ ୭ ଟଙ୍କା ହ୍ରାସ ପାଇଛି । ସେପଟେ ରାଜସ୍ଥାନ ଓ କେରଳ ସରକାର ବି ରାଜ୍ୟ ସ୍ତରରେ ଭାଟ କମ କରି ନିଜ ରାଜ୍ୟର ଉପଭୋକ୍ତାଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ହେଲେ ଅର୍ନ୍ତଜାତୀୟ ବଜାରରେ ଅଶୌଧିତ ତୈଳ ଦାମ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର କାହିଁକି ତରବରିଆ ଭାବେ ପେଟ୍ରୋଲ ଓ ଡିଜେଲ ଉପରେ ଏତେ ପରିମାଣର ଉତ୍ପାଦ ଶ୍ଳୁକ ହ୍ରାସ କରିଛନ୍ତି ।

ଏବେ କେନ୍ଦ୍ର ସରକାରଙ୍କ ମୁତାବକ ଦେଶରେ ତୈଳଦର ଦେଶର ବଜାର ଉପରେ ନିର୍ଭର କରେ । ହେଲେ ଦେଖାଯାଇଥିଲା କି ନିର୍ବାଚନ ସମୟରେ ଏହା ସ୍ଥିର ହୋଇଯାଏ । ଏହାର ପ୍ରମାଣ ସ୍ୱରୂପ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲୁଥିବା ବେଳେ ପାଖା ପାଖି ୩ ମାସ ଧରି ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ସ୍ଥିର ରହିଥିଲା । ଏଥିରୁ ପ୍ରମାଣିତ କି ଏବେ ବି ପେଟ୍ରୋଲ ଡିଜେଲର ଦାମ ପରୋକ୍ଷରେ ସରକାର ନିର୍ଦ୍ଧାରଣ କରୁଛନ୍ତି ।

ନିର୍ବାଚନ ସରିବା ପରେ ମାର୍ଚ୍ଚ ୨୨ ତାରିଖରେ ପେଟ୍ରୋଲ ଡିଜେଲର ଦାମ ପୁଣି ଦୈନିକ ବଢି ଚାଲିଲା । ଲଗାତର ଭାବେ ୧୬ ଦିନରେ ପେଟ୍ରୋଲ ଓ ଡିଜେଲର ଦାମ ଆନୁମାନିକ ଲିଟର ପ୍ରତି ୧୦ ଟଙ୍କା ବୃଦ୍ଧି ପାଇଥିଲା । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀଦଳମାନେ ସମାଲୋଚନା କରିଥିଲେ ।

ସେପଟେ ତୈଳଦର ବୃଦ୍ଧି ପରେ ଦେଶରେ ସମସ୍ତ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଥିଲା । ଏସବୁ ଭିତରେ ଦେଶର ଖୁଚୁରା ମହଙ୍ଗାଦର ପୂର୍ବ ସମସ୍ତ ରେକର୍ଡ ଭାଙ୍ଗି ୧୫.୮ ପ୍ରତିଶତରେ ପହଂଚିଥିଲା । ଏସବୁକୁ ନଜରରେ ରଖି ସରକାର ଏବେ ଉତ୍ପାଦ ଶ୍ଳୁକ ଉପରେ ଏତେ ଅଧିକ ପରିମାଣ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି ।