କନକ ବ୍ୟୁରୋ: ଜନତାଙ୍କ ମୈାଳିକ ଆବଶ୍ୟକତା ପୂରଣ କରିବା ନିର୍ବାଚିତ ସରକାରଙ୍କ ଦାୟିତ୍ୱ । ଦେଶ ସ୍ୱାଧୀନତା ପରେ ଅନେକ ସରକାର ଆସିଲେଣି ଆଉ ଗଲେଣି, ହେଲେ ଏବେ ବି ମୌଳିକ ଆବଶ୍ୟକତା ପୂରଣ କରିବାର ପ୍ରତିଶ୍ରୃତି ଦେଇ ନିର୍ବାଚନ ଲଢାଯାଉଛି । ସ୍ୱାଧୀନତାର ୭୬ ବର୍ଷ ପରେ ମାଗଣା ଚାଉଳ, ସ୍ୱାସ୍ଥ୍ୟ ଓ ପକ୍କା ଘର ଭଳି ପ୍ରତିଶ୍ରୃତି ନିର୍ବାଚନ ଇସ୍ତାହାରରେ ପ୍ରକାଶ ପାଉଛି ।
ସ୍ୱାଧୀନତାର ୨୦ ବର୍ଷ ପରେ ଅର୍ଥାତ ୧୯୬୭ ଚତୁର୍ଥ ସାଧାରଣ ନିର୍ବାଚନ ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କ ଲୋକପ୍ରିୟ ସ୍ଲୋଗାନ ଥିଲା-ରୁଟି କପଡ଼ା ମକାନ୍ । ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହର ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିବାକୁ ପ୍ରୟାସ କରୁଥିଲେ ନେତା ।

Advertisment

ଏହାରି ଭିତରେ ସ୍ୱାଧୀନତାକୁ ୭୬ ବର୍ଷ ବିତିଗଲାଣି । ହେଲେ ନିର୍ବାଚନର ଏହି ସ୍ଲୋଗାନ୍ ସେଇଠି ଅଟକି ଯାଇଛି । ଦେଶ ବିକାଶ ପଥରେ ଆଗେଇଛି ସତ, କିନ୍ତୁ ଦେଶରେ ସେହି ଗରିବ ଅଛନ୍ତି, ଆଉ ଏହି ପ୍ରତିଶ୍ରୁତି ଏବେ ବି ଦିଆଯାଉଛି । ୮୦ କୋଟିରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବାର ପ୍ରତିଶ୍ରୁତି, ଆଜି ବି ଦଳୀୟ ଇସ୍ତାହାରରେ ସ୍ଥାନ ପାଉଛି । ୧୮ ତମ ସାଧାରଣ ନିର୍ବାଚନରେ ମାଗଣା ଖାଦ୍ୟ, ମାଗଣା ଘର ଯୋଗାଣ ପାଇଁ ପ୍ରତିଶ୍ରୁତି ସରକାରଙ୍କୁ ଦେବାକୁ ପଡୁଛି । ଏହାର କାରଣ ହେଉଛି – ଦେଶର କୋଟି କୋଟି ଲୋକ ନିଜ ମୌଳିକ ଚାହିଦା ନିଜେ ମେଂଟାଇ ପାରୁନାହାନ୍ତି ।

ମାଳ ମାଳ ଯୋଜନା ପରେ ବି ଦେଶରେ ଗରିବ ରହିଛନ୍ତି । ଏହି ସଂଖ୍ୟା ଏତେ ଅଧିକ ଯେ ନିର୍ବାଚନ ଆସିଲେ, ସେମାନଙ୍କ ଭୋଟ ହାତେଇବାକୁ ସବୁ ରାଜନୈତିକ ଦଳ ଲାଗି ପଡନ୍ତି । କୌଣସି ନିର୍ଦ୍ଦିଷ୍ଟ ଦଳ ନୁହଁନ୍ତି, ନିର୍ବାଚନ ବେଳେ ସମସ୍ତେ ଏକା ଭଳି ପ୍ରତିଶ୍ରୁତି ବାଂଟନ୍ତି । ଏଠି ପ୍ରଶ୍ନ ଉଠୁଛି -

ନିଜ ଆବଶ୍ୟକତା କାହିଁକି ମେଂଟାଇ ପାରୁନାହାନ୍ତି ଲୋକ?
ଯୁବକମାନଙ୍କୁ ନିଯୁକ୍ତି ଦେବ କିଏ?
କାହିଁକି ଦରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ଲୋକ?

ବିଜେପି ହେଉ କି କଂଗ୍ରେସ ବା ଅନ୍ୟ ରାଜନୈତିକ ଦଳ, ନିର୍ବାଚନ ଆସିଲେ ମାଗଣା ବଂଟାର ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଥାନ୍ତି । ୫ ଟ୍ରିଲିୟନ ଅର୍ଥନୀତି ଓ ବୁଲେଟ୍ ଟ୍ରେନ ପାଇଁ ସ୍ୱପ୍ନ ଦେଖୁଥିବା ଭାରତରେ ଏହା ସବୁଠୁ ବଡ଼ ବିଡ଼ମ୍ବନା ।