କାହିଁକି ହୋଇପାରୁନି ମହାପ୍ରଭୁଙ୍କ ବନକଲାଗି? ଅଧିକ ପାଉଣା ଦାବିରୁ ହୋଇଛି କି ବିବାଦ...

କାହିଁକି ହୋଇପାରୁନି ମହାପ୍ରଭୁଙ୍କ ବନକଲାଗି? ଅଧିକ ପାଉଣା ଦାବିରୁ ହୋଇଛି କି ବିବାଦ...

କନକ ବ୍ୟୁରୋ: ଦତ୍ତମହାପାତ୍ରଙ୍କ ଜିଦ୍ ଯୋଗୁଁ ବୁଧବାର ମହାପ୍ରଭୁଙ୍କ ବନକଲାଗି ହୋଇନଥିଲା । ଗୁରୁବାର ଶ୍ରୀମନ୍ଦିର ପ୍ରଶାସନର ଜିଦ୍ ଯୋଗୁଁ ହୋଇପାରିନି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର । ଆଉ ୨୭ ଦିନ ହେଲା ମହାପ୍ରଭୁଙ୍କ ବନକଲାଗି ନୀତି ନହେବା, ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦତ୍ତ ମହାପାତ୍ର ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ପଛର କାରଣ କଣ ସେ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । କୁହାଯାଉଛି, ଏହି ବିବାଦ ପଛରେ ରହିଛି ଦତ୍ତମହାପାତ୍ର ସେବାୟତଙ୍କ ଅଧିକ ପାଉଣା ଦାବି! ହେଲେ, ସେବାୟତଙ୍କ ଦାବି ଅନୁସାରେ ପ୍ରଶାସନ ପାଉଣା ଦେବାକୁ ରାଜି ନହେବାରୁ ଏହି ବିଭ୍ରାଟ ହୋଇଛି!

ମହାପ୍ରଭୁଙ୍କ ବନକଲାଗି ନୀତି ବିଭ୍ରାଟ ପାଇଁ ପରସ୍ପରକୁ ଦାୟୀ କରୁଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବାୟତ । କିନ୍ତୁ, ବିଭ୍ରାଟର ଅସଲ କାରଣ କଣ ତାହା କେହି କହୁ ନାହାନ୍ତି । ସେପଟେ ଆସନ୍ତା ବୁଧବାର ବନକଲାଗି କରିବାକୁ ଦତ୍ତମହାପାତ୍ର ସେବକ ଲିଖିତ ପ୍ରତିଶ୍ରୁତି ଦେଲେ, ବନକଲାଗି ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ କୁମାର ଦାସ  । ତେବେ ଏହି ବିବାଦର ସମାଧାନ ପାଇଁ ଆସନ୍ତାକାଲି ନୀତି ସବକମିଟି ବୈଠକ ଡକାଯାଇଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ ।

ତେବେ ମହାପ୍ରଭୁଙ୍କ ବନକଲାଗି କିପରି ହୁଏ, କେଉଁଦିନ ହୁଏ, କେଉଁମାନେ କରନ୍ତି, ଶ୍ରୀମନ୍ଦିର ସତ୍ୱଲିପି ଓ ବାମସଂହିତାରେ ସ୍ପଷ୍ଟ ଉଲ୍ଲେଖ ରହିଛି ।

ଶ୍ରୀଜିଉଙ୍କ ବନକଲାଗି ନୀତି ନିୟମ

-ପ୍ରତି ବୁଧବାର କିମ୍ବା ଗୁରୁବାର ଦ୍ୱିପହର ଧୂପ ପରେ ବନକଲାଗି ନୀତି ହେବାର ବିଧି

- ଶ୍ରୀମନ୍ଦିର ସତ୍ତ୍ୱଲିପିର ୪୫ ନମ୍ବର ପୃଷ୍ଠାରେ ଉଲ୍ଲେଖ ରହିଛି

- ନୀତି ପାଇଁ ରତ୍ନଭଣ୍ଡାରରୁ ରୁପା ପିଙ୍ଗଣ ଓ ରୁପା ଷଢେଇ ଯୋଗାଇ ଦିଆଯାଏ

- ୭ ପ୍ରକାର ସେବକ ବନକଲାଗି ସେବା ସମ୍ପାଦନ କରିଥାନ୍ତି

- ପାଳିଆ ଖଂଟୁଆ, ଗରାବଡୁ, ୩ ଜଣ ପାଳିଆ ପୁଷ୍ପାଳକ, ଦତ୍ତମହାପାତ୍ର ସେବା କରିଥାନ୍ତି

- ପ୍ରାୟ ୫ଘଂଟା ଧରି ଏହି ନୀତି ଚାଲେ 

ମହାପ୍ରଭୁଙ୍କ ବନକଲାଗି ନୀତି ବିଭ୍ରାଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ । ମହାପ୍ରଭୁଙ୍କ ନୀତିରେ ଏତେ ଦିନ ଧରି ବିଭ୍ରାଟ ଲାଗି ରହିବା, ଭଲ ସଂକେତ ନୁହେଁ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe