କାହିଁକି ୩ଟି ଆସନରେ ପ୍ରାର୍ଥୀ ଘୋଷଣା କଲାନି ବିଜେପି? କାହିଁକି ତାଲିକାରେ ରହିଲା ନାହିଁ କଟକ, କନ୍ଧମାଳ ଓ ଯାଜପୁର ପ୍ରାର୍ଥୀଙ୍କ ନାଁ ?

2,673

କନକ ବ୍ୟୁରୋ: ଗୋଟିଏ ପଟେ ମେଣ୍ଟ ଚର୍ଚ୍ଚା ଜୋର ଧରିଥିଲା, ଅନ୍ୟପଟେ ପ୍ରାର୍ଥୀ ତାଲିକା ଘୋଷଣା କରି ଚାଲିଥିଲା ବିଜେପି । କିନ୍ତୁ ଗତ ୪ଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ନାଁ ନଥିଲା । ହେଲେ ମେଣ୍ଟ କସରତ ଥମିଯିବା ପରେ ୫ମ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଆଉ ଏକାଥରେ ୧୮ ଲୋକସଭା ଆସନରେ ଟିକେଟ ଦିଆଗଲା । ଏବେ କେବଳ ବାକି ରହିଗଲା କଟକ, କନ୍ଧମାଳ ଓ ଯାଜପୁର ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଚୟନ ।

  • କେଉଁଠି ଉପୁଜିଲା ଦ୍ୱନ୍ଦ୍ୱ?
  • କାହିଁକି ୩ଟି ଆସନରେ ପ୍ରାର୍ଥୀ ଘୋଷଣା କଲା ନାହିଁ ବିଜେପି?

୨୦୧୯ ନିର୍ବାଚନରେ କଟକ ଲୋକସଭା ଆସନରେ ବିଜେପି ଟିକେଟରେ ଲଢ଼ିଥିଲେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର । ସେହିପରି ଯାଜପୁରରୁ ଅମୀୟ ମଲ୍ଲିକ ପ୍ରାର୍ଥୀ ହୋଇଥିବା ବେଳେ କନ୍ଧମାଳରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିଲେ ଖାରବେଳ ସ୍ୱାଇଁ । ଆଉ ଏହି ତିନି ଆସନରେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା । 

ହେଲେ ୨୦୨୪ରେ ଏହି ସବୁ ଆସନରେ ନିର୍ବାଚନ ଗଣିତ ବଦଳିଯାଇଛି । ପ୍ରକାଶ ମିଶ୍ର ଆଉ ରାଜନୀତିରେ ସକ୍ରିୟ ଥିବା ଭଳି ଲାଗୁନାହିଁ । କଟକ ଲୋକସଭା ପାଇଁ ଏବେ ତିନି ଜଣଙ୍କ ନାଁ ଅଧିକ ଚର୍ଚ୍ଚା ହେଉଛି । ସେମାନେ ହେଲେ, ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସାଂସଦ ଭର୍ତ୍ତୃହରି ମହତାବ ଏବଂ ଓଲିଉଡ୍ ଅଭିନେତା ଅରିନ୍ଦମ ରୟ । ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନିଜସ୍ୱ ଲୋକପ୍ରିୟତା ରହିଛି । ଅନ୍ୟପଟେ ନିକଟରେ ବିଜେଡି ଛାଡ଼ିଛନ୍ତି ଭର୍ତ୍ତୃହରି । କୁହାଯାଉଛି ସେ ବିଜେପି ଶିବିରରେ ଯୋଗ ଦେଇପାରନ୍ତି । ଏପଟେ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ଅରିନ୍ଦମ । ଏମାନଙ୍କୁ ମଧ୍ୟରେ କାହାକୁ ଦଳ ପ୍ରାର୍ଥୀ କରିବ, ଏ ନେଇ ଚାଲିଛି ଅଙ୍କ କଷା ।

ସେହିପରି କନ୍ଧମାଳରେ ଆଉ ଲଢ଼ିବେ ନାହିଁ ବୋଲି ଖୋଲାଖୋଲି ମନା କରିଛନ୍ତି ଖାରବେଳ ସ୍ୱାଇଁ । ଏପଟେ ବିଜେପି ରାଜ୍ୟ ଉପସଭାପତି ଡକ୍ଟର ଲେଖାଶ୍ରୀ ସାମନ୍ତ ସିଂହାର କିଛି ଦିନ ହେଲା କନ୍ଧମାଳରେ ସକ୍ରିୟ ରହିଛନ୍ତି । ତେଣୁ କନ୍ଧମାଳ ଟିକେଟ୍ ଦୌଡ଼ରେ ରହିଛନ୍ତି ଲେଖାଶ୍ରୀ । ଅନ୍ୟପଟେ କର୍ଣ୍ଣେଲ ଶିଶିର ଘୋଷଙ୍କ ନାଁ ମଧ୍ୟ କନ୍ଧମାଳ ଆସନ ପାଇଁ ଚର୍ଚ୍ଚା ହେଉଛି ।

ସେପଟେ ଯାଜପୁରରୁ ଦଳ କାହାକୁ ପ୍ରାର୍ଥୀ କରିବ, ତାହା ଚୂଡ଼ାନ୍ତ ହୋଇନାହିଁ । କୁହାଯାଉଛି, ଅମୀୟ ମଲ୍ଲିକଙ୍କୁ ବିଜେପି ରିପିଟ୍ କରିପାରେ କିମ୍ବା ରବି ନାରାୟଣ ବେହେରାଙ୍କୁ ପ୍ରାର୍ଥୀ କରିପାରେ ଦଳ । ତେଣୁ ଏହିସବୁ ଦ୍ୱନ୍ଦ୍ୱ ଭିତରେ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇନାହିଁ କଟକ, ଯାଜପୁର ଓ କନ୍ଧମାଳ ।