କନକ ବ୍ୟୁରୋ: ବିଜେପିର ଗୁରୁତ୍ୱପୂଣ୍ଣ ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କୁ ଉପନିର୍ବାଚନ ଫଳାଫଳର ରିପୋର୍ଟ ଦେଇଛନ୍ତି ନେତା । ଧାମନଗର ରିପୋର୍ଟ ବିଜେପି ନେତା ମନମୋହନ ସାମଲ ଦେଇଥିଲେ । ପଦ୍ମପୁର ଫଳାଫଳ ରିପୋର୍ଟ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଧାମନଗରରେ ବିଜେପି ବାଜିମାତ କଲା, ହେଲେ ପଦ୍ମପୁରରେ କାହିଁକି ହାରିଲା ତାର କାରଣ ପଚାରି ବୁଝିଛନ୍ତି ସୁନୀଲ ବଂଶଲ । ପଦ୍ମପୁର ପରାଜୟ ପାଇଁ ବିଜେପି ନେତା ଯାହା ଦର୍ଶାଇଛନ୍ତି, ସେଥିରେ ବଡ କାରଣ ହେଉଛି ।

Advertisment

ବିଜେଡି ଖାତାକୁ ଗଲା କଂଗ୍ରେସ ଭୋଟ
ଭୋଟ ପାଇଁ ଉଡିଲା ନୋଟ
ବୁଥ କ୍ୟାପଚର
ମିଥ୍ୟା ପ୍ରତିଶ୍ରୁତି ଦେଲା ଶାସକ ଦଳ
ପଦ୍ମପୁରକୁ ଜିଲ୍ଲା, ପାଇକମାଲକୁ ଏନଏସି କରିବାକୁ ଘୋଷଣା

ବିଜେପିର ରାଜ୍ୟ ପଦାଧିକାରୀ ଓ କୋର କମିଟି ବୈଠକରେ ଆଗାମୀ ନିର୍ବାଚନ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ଦଳକୁ ତୃଣମୂଳସ୍ତରରୁ ଶକ୍ତିଶାଳୀ କରିବା ସହ ଲୋକଙ୍କ ସହ ରହିବା ନେଇ ଗୁରୁମନ୍ତ୍ର ଦେଇଛନ୍ତି ସୁନୀଲ ବଂଶଲ । ଏଥିସହ ରାଜ୍ୟରେ ଚାଷୀ ଓ ଚାଷ ସମସ୍ୟା, ପଞ୍ଚାୟତରାଜ ବ୍ୟବସ୍ଥାକୁ ବିଜେଡି କବଜାରେ ରଖିବା, ବିଜୁଳି ଉପଭୋକ୍ତାଙ୍କୁ ଓଇଆରସି ଏବଂ ରାଜ୍ୟ ସରକାରଙ୍କ ଅବହେଳା ଏବଂ ବେକାରୀ ପ୍ରସଙ୍ଗ ନେଇ ସାରା ରାଜ୍ୟରେ କ୍ରମାଗତ ଆନ୍ଦୋଳନ କରିବାକୁ ଦଳ ନିଷ୍ପତି ନେଇଛି ।

୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ପୂର୍ବରୁ ଦଳକୁ ତୃଣମୂଳସ୍ତରରୁ ସୁଦୃଢ କରିବାକୁ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ଅବସରରେ ପୁଣି ଥରେ କଂଗ୍ରେସ ସହ ଡିଲ କଥା କହିଛନ୍ତି ପ୍ରଦୀପ ପୁରୋହିତ । ସିଧାସଳଖ କହିଛନ୍ତି, ମନ୍ତ୍ରୀ ନବ ଦାସ କଂଗ୍ରେସ ସହ ଡିଲ କରିଛନ୍ତି । ଯାହାର ଜବାବ ରଖିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର ।

୨୦୨୪ ନିର୍ବାଚନରେ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ହେଉଛି ବିଜେପି । ଆଗକୁ ପ୍ରତ୍ୟେକ ସଂସଦୀୟ କ୍ଷେତ୍ରକୁ କେନ୍ଦ୍ରମନ୍ତ୍ରୀମାନେ ଆସିବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସି ବିଭିନ୍ନ ସ୍ଥାନରେ ସଭାସମିତି କରିବେ । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଓଡିଶା ଆଣିବା ପାଇଁ ଯୋଜନା କରିଛି ରାଜ୍ୟ ବିଜେପି ।