କନକ ବ୍ୟୁରୋ: ପଦ୍ମପୁରରେ ବିଜେଡିର ବିଜୟ ପରେ, ବିଜେପି ଏବେ କାହିଁକି ହାରିଲା ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବଡ ବଡ ରାଲି, କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର, ଧାମନଗର ବିଜୟ ପରେ ଦୃଢ଼ ମନୋବଳ ସତ୍ତେ୍ୱ ବିଜେପି କାହିଁକି ହାରିଲା ତାହା ଆଲୋଚନାର ବିଷୟ ହୋଇଛି । ଗୋଟିଏ କଥା କିନ୍ତୁ ସ୍ପଷ୍ଟ ହୋଇଯାଇଛି, ବିଜେଡିର ରଣନୀତିକୁ କେଉଁଠି ନା କେଉଁଠି ଭେଦିବାରେ ସକ୍ଷମ ହୋଇପାରିନି ବିଜେପି ।

Advertisment

ପଦ୍ମପୁର ପରିଣାମ ଏଭଳି କିଛି ସଂଖ୍ୟା ସାମ୍ନାକୁ ଆଣିଛି, ଯେଉଁ ସଂଖ୍ୟାକୁ ନା’ ଶାସକ ବିଜେଡି ଦଳ ଆକଳନ କରିଥିଲା, ନା’ ବିରୋଧୀ ବିଜେପି ଦଳ ଆଶା କରିଥିଲା । ଫଳାଫଳ ପୂର୍ବରୁ କୁହାଯାଉଥିଲା ବିଜେଡି-ବିଜେପି ଭିତରେ ଟକ୍କର ହେବ । କିନ୍ତୁ ପଦ୍ମପୁରରେ ରେକର୍ଡ ବ୍ୟବଧାନରେ ବିଜେଡି ବିଜୟୀ ହୋଇଛି ।

  • ବିଜେପି ପଦ୍ମପୁର ଲଢ଼େଇରେ ହାରିଲା କାହିଁକି?
  • ନିର୍ବାଚନ ପରିଚାଳନାରେ ଭୁଲ ରହିଲା କେଉଁଠି?

ଜିଲ୍ଳା ମାନ୍ୟତା, ରେଳ ଲାଇନ୍. ଚାଷୀ ବୀମା, ଧାନକିଣା । ଗୋଟି ଗୋଟି କରି ସମସ୍ତ ପ୍ରମୁଖ ପ୍ରସଙ୍ଗକୁ ଉତଥାପନ କରିଥିଲା ବିଜେପି । ଏମିତି କି ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପାଇଥିବା ଭୋଟକୁ ନିଜ ହାତରେ ରଖିବାରେ ସକ୍ଷମ ହୋଇଛି । ହେଲେ ଏତେ ସବୁ ପରେ ବି ବିଜେପି ପଦ୍ମପୁରରେ ପଦ୍ମ ଫୁଟାଇ ପାରିଲାନି କାହିଁକି? ନଜର ପକାନ୍ତୁ ବିଜେପି ପରାଜୟର କ’ଣ ହୋଇପାରେ କାରଣ ?

ଅଡ଼ୁଆ କଲା କଂଗ୍ରେସ ଭୋଟ୍ 

ଗତ ନିର୍ବାଚନରେ କଂଗ୍ରେସ ୩୨ ହଜାରରୁ ଅଧିକ ଭୋଟ୍ ପାଇଥିବା ବେଳେ ଏଥର ମାତ୍ର ୩ ହଜାର ୫ଶହ ଭୋଟରେ ସୀମିତ ରହିଲା କଂଗ୍ରେସର ଭୋଟ୍ । ପ୍ରାୟ ୨୯ ହଜାର ଭୋଟ୍, ବିଜେପି ନିଜ ଖାତାକୁ ଆଣିବାରେ ବିଫଳ ହେଲା । ଯାହା ଫଳରେ ବିଜେଡିି ତୁଳନାରେ ବିଜେପି ପଛରେ ପଡ଼ିଗଲା ।

କାମ ଦେଲାନି କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର !

ଚାଷୀଙ୍କ କଥା କହିବାକୁ କେନ୍ଦ୍ରକୃଷି ମନ୍ତ୍ରୀ ପ୍ରଚାର କଲେ । ବରଗଡ଼-ନୂଆପଡ଼ା ରେଳ ଲାଇନ୍ କଥା କହିବାକୁ କେନ୍ଦ୍ର ରେଳମନ୍ତ୍ରୀ ପ୍ରଚାର କଲେ । ଏମିତି କି ବିଶେଶ୍ୱର ଟୁଡୁ ଏବଂ ଧର୍ମେନ୍ଦ୍ର ପ୍ରଧାନ, ପଦ୍ମପୁର ଯାଇ ଘନଘନ ପ୍ରଚାର କରି ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଠିଆ କରିଥିଲେ । ହେଲେ ଏହି ପ୍ରଚାର ହୁଏତ ଭୋଟରଙ୍କୁ ପ୍ରଭାବିତ କରିପାରିଲାନି ।

ବୁମେରାଂ ହେଲା ବିଦେଶିନୀ ପ୍ରସଙ୍ଗ

ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଜେପିର ବିଦେଶିନୀ ଆକ୍ଷେପ, ବିଜେପିକୁ ଲାଭ ଦେବା ବଦଳରେ କ୍ଷତି ପହଞ୍ଚାଇଛି । ଭୋଟର ଏହାକୁ ଗ୍ରହଣ କରିବା ବଦଳରେ ବର୍ଷାଙ୍କ ପ୍ରତି ଥିବା ସହାନୁଭୁତିକୁ ଦ୍ୱି-ଗୁୁଣିତ କରିଦେଇଛି । ଯାହାର ପରିଣାମ ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳିଛି ।

କାମ ଦେଲାନି ଚାଷୀ ପ୍ରସଙ୍ଗ

ଚାଷୀ ବୀମା ଓ ଧାନ କିଣାକୁ ନେଇ ପଦ୍ମପୁର ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଥିଲା । ପ୍ରାୟ ୮୦% ଭୋଟର କୃଷି ଉପରେ ନିର୍ଭର କରୁଥିବାରୁ ଚାଷୀଙ୍କ ଭୋଟ୍ ନିର୍ଣ୍ଣାୟକ ମୋଡ଼ ନେବାର ସାମର୍ଥ୍ୟ ରଖୁଥିଲା । କିନ୍ତୁ ପଦ୍ମପୁର ଚାଷୀ, ବିଜେପିକୁ ବିଶ୍ୱାସ କରିବା ବଦଳରେ ହୁଏତ ଶାସକ ବିଜେଡି ଦଳ ଉପରେ ଆସ୍ଥା ରଖିଲେ । ଏ ସବୁ ଭିତରେ ରାଜନୀତିର ବୟାନବାଜି ପରେ ପଦ୍ମପୁରରୁ ଆସିଥିବା ଫଳାଫଳ, ୨୦୨୪ରେ ବିଜେପି ପାଇଁ  ଚ୍ୟାଲେଞ୍ଜକୁ ଆହୁରି ବଢ଼ାଇ ଦେଇଛି ।