ସାରା ଦେଶରେ ଚର୍ଚ୍ଚା, ଅଯୋଧ୍ୟାରେ କାହିଁକି ହାରିଲା ବିଜେପି? କାହିଁକି କାମ ଦେଲାନି ‘ରାମ ମନ୍ଦିର’ ନିର୍ମାଣ ପ୍ରସଙ୍ଗ?

1,080

କନକ ବ୍ୟୁରୋ: ଯେଉଁ ଅଯୋଧ୍ୟାକୁ ପ୍ରସଙ୍ଗ କରି ସାରା ଦେଶରେ ନିର୍ବାଚନ ଆସନକୁ ଓହ୍ଲାଇଥିଲା ଭାରତୀୟ ଜନତା ପାର୍ଟି, ସେହି ଆସନରେ ଦଳକୁ ମିଳିଛି ବଡ ପରାଜୟ । ରାମ ମନ୍ଦିର ନିର୍ମାଣ ହୋଇଥିବା ନିର୍ବାଚନ ମଣ୍ଡଳୀରେ ବିଜେପି ହାରିଯିବା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ବିଜେପି ପ୍ରାର୍ଥୀ ଲାଲୁ ସିଂହଙ୍କ ପରାସ୍ତ କରିଛି ସମାଜବାଦୀ ପାର୍ଟିର ଅଧ୍ୱେଶ ପ୍ରସାଦ । କେଉଁଠି ରହିଗଲା ତ୍ରୁଟି, କାହିଁକି ଅଯୋଧ୍ୟାରେ ବିଜେପିକୁ ମିଳିଲା ପରଜାୟ?

ସାରା ଦେଶର ନଜର ଯେଉଁ ଅଯୋଧ୍ୟାରେ ଥିଲା ସେଠାରେ କାହିଁକି ହାରିଲା ବିଜେପି । ଅଯୋଧ୍ୟା ଏକ ସଂସଦୀୟ କ୍ଷେତ୍ର ନୁହେଁ । ଉତରପ୍ରଦେଶ ଫୈଜାବାଦ ସଂସଦୀୟ କ୍ଷେତ୍ରରେ ପଡିଥାଏ ଅଯୋଧ୍ୟା । ଏହି ଆସନରେ ବିଜେପିକୁ ମିଳିଛି ବଡ ପରାଜୟ । ଆଶ୍ଚର୍ଯ୍ୟର କଥା ୧୯୯୦ ମସିହାରେ ରାମ ମନ୍ଦିର ନିର୍ମାଣ ରଥ ବାହାରିବା ପରଠାରୁ ୨୦୨୪ ପର୍ଯ୍ୟନ୍ତ ଏହି ଆସନ ବିଜେପି ହାତେଇ ଆସୁଥିଲା । ହେଲେ ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଚକମା ଦେଇ ଦେଇଛନ୍ତି ଅଯୋଧ୍ୟାବାସୀ । ୫୪ ହଜାର ୫୬୭ ଭୋଟ୍ ବ୍ୟବଧାନରେ ବିଜେପିର ଲାଲୁ ସିଂଙ୍କୁ ପରାସ୍ତ କରିଛନ୍ତି ସମାଜବାଦୀ ପାର୍ଟି ନେତା ଅୱଧେଶ ପ୍ରଧାନ ।

ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଥିଲା । ୫ଶହ ବର୍ଷ ପୁରୁଣା ଇତିହାସ ବଦଳିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏଠାରେ ରୋଡ୍ ଶୋ କଲେ, ପ୍ରଚାର କଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଏଠାରେ ପାଞ୍ଚ ପାଞ୍ଚ ଜନସଭା କଲେ । ହେଲେ ଜନତାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିଲା ନାହିଁ । ଅଯୋଧ୍ୟାବାସୀଙ୍କ ମନରେ ଥିବା ଆକ୍ରୋଷ ନିର୍ବାଚନ ଫଳାଫଳରେ ପ୍ରତିଫଳିତ ହୋଇଛି । ଆଉ ବିଜେପିର ସ୍ଥାନୀୟ ନେତାଙ୍କ ଠାରୁ ଆରମ୍ଭ କରି ବଡ ବଡ ନେତା ବି ଜନତାଙ୍କ ଆକ୍ରୋଷକୁ ନେଇ କୌଣସି ଟେର ପାଇଲେ ନାହିଁ ।

ଚଳିତ ବର୍ଷ ଆରମ୍ଭରେ ଅଯୋଧ୍ୟାରେ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ବେଶ ଧୁମଧାମରେ ପାଳିତ ହୋଇଥିଲା । ୫୦୦ ବର୍ଷ ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ତୋଳା ଯାଇ ପାରିଲା ବୋଲି ବାହା ବାହା ନେଲେ ଭାରତୀୟ ଜନତା ପାର୍ଟିର ନେତା । ପ୍ରଧାନମନ୍ତ୍ରୀ ଯେଉଁ ବି ସଭାକୁ ଗଲେ ଶ୍ରୀରାମ ମନ୍ଦିର କଥା କହିଲେ । ରାମ ମନ୍ଦିର କଥା କହି ସାରା ଦେଶରେ ଭୋଟ୍ ମାଗୁଥିବା ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାବାସୀଙ୍କ ମୁଡ୍ ପରଖି ପାରିଲେ ନାହିଁ । ତେବେ ଏହା ପଛରେ କିଛି ପ୍ରମୁଖ କାରଣ ରହିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ –

ଅଯୋଧ୍ୟାରେ ବିଜେପି ପରାଜୟର କ’ଣ ରହିଛି କାରଣ?
– ଫୈଜାବାଦ ପାଇଁ ଜଣେ ସାଂସଦ ପ୍ରାର୍ଥୀ ସଠିକ୍ ବାଛିନଥିଲା ଭାରତୀୟ ଜନତା ପାର୍ଟି
– ଯୋଗୀଙ୍କ ବୁଲଡୋଜର ନୀତି ଅଯୋଧ୍ୟା ପରାଜୟର ଅନ୍ୟତମ ପ୍ରମୁଖ କାରଣ
– ସୌନ୍ଦର୍ଯ୍ୟକରଣ ନାମରେ ଅନେକଙ୍କ ଘର- ଦୋକାନ ଭଙ୍ଗାହେଲା
– ଲୋକଙ୍କୁ ସଠିକ୍ ଭାବେ ସ୍ଥାନାନ୍ତର କରାଗଲା ନାହିଁ
– ରାମ ମନ୍ଦିର ନିର୍ମାଣ ପରେ ଗରିବ ହରାଇଲେ ରୋଜଗାରର ପନ୍ଥା
– ରାମ ମନ୍ଦିରର ୧୦ କିଲୋମିଟର ପରିଧିରେ ସବୁ ଉଠା ଦୋକାନୀଙ୍କୁ ଉଠାଗଲା
– ସ୍ଥାନୀୟ ଲୋକ ରୋଜଗାର ହରାଇବା ପରେ ଆକ୍ରୋଷ ବଢିଲା

ରାଜନୈତିକ ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଏହି ଆସନକୁ ନେଇ ଅତ୍ୟଧିକ ଆତ୍ମ ବିଶ୍ୱାସୀ ହୋଇ ପଡିଥିଲେ ବିଜେପି ନେତା । କେଉଁଠି ନା କେଉଁଠି ଏକଥା ସ୍ପଷ୍ଟ ହୋଇଛି ଧର୍ମକୁ ନେଇ ରାଜନୀତିକୁ କେବେ ବି ଗ୍ରହଣ କରିବେ ନାହିଁ ଦେଶବାସୀ । ଜନତା ଚାହାଁନ୍ତି, ବିକାଶ, ରୋଜଗାର ପନ୍ଥା ଓ ଭଲ ସ୍ୱାସ୍ଥ୍ୟ ସେବା । ଏହା ଉପରେ ସବୁ ରାଜନୈତିକ ଦଳ ଧ୍ୟାନ ଦେବା ଉଚିତ୍ ।