‘ଝାଡୁ’ ହ୍ୱାୱାରେ ଝଡ଼ିଗଲା ‘ପଦ୍ମ’ ! ଦିଲ୍ଲୀରେ ଦୋହରିଲା ଇତିହାସ, ଜାରି ରହିଲା ବିଜେପିର ବନବାସ

324

କନକ ବ୍ୟୁରୋ: ଦିଲ୍ଲୀରେ ପୁଣି ଚାଲିଲା କେଜ୍ରିୱାଲଙ୍କ କରିସ୍ମା । ବିଧିବଦ୍ଧଭାବେ ଫଳାଫଳ ଘୋଷଣା ହୋଇନଥିଲେ ବି ବର୍ତ୍ତମାନର ଟ୍ରେଣ୍ଡ ମୁତାବକ ଦିଲ୍ଳୀ ବିଧାନସଭା ନିର୍ବାଚନରେ ବାଜି ମାରିନେଇଛି ଆପ୍ । ଆଉ କ୍ରମାଗତ ଭାବେ ତୃତୀୟଥର ପାଇଁ ସରକାର ଗଢ଼ିବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିୱାଲ । ହେଲେ ବିଜେପିକୁ ପୁଣି ଦିଲ୍ଲୀ ପାଇଁ ବନବାସ ଯିବା ଏକପ୍ରକାର ସ୍ଥିର କହିଲେ ଚଳେ । କାରଣ ପ୍ରାରମ୍ଭିକ ଟ୍ରେଣ୍ଡରୁ ହିଁ ଆଗରେ ଆପ୍, ବହୁ ପଛରେ ବିଜେପି ।

ଅନ୍ୟପଟେ କାହିଁକି ବିଜେପି ହାରିଲା ତା’କୁ ନେଇ ରାଜନୈତିକ ପଣ୍ଡିତ ମାନେ ଅଙ୍କ କଷିବା ଆରମ୍ଭ କଲେଣି । ଦିଲ୍ଲୀ ଦଖଲ କରିବାକୁ ବିଜେପି ପାଇଁ କେଉଁ କେଉଁ ଚ୍ୟାଲେଞ୍ଜ ରହିଲା ତାକୁ ନେଇ ଏଭଳି କିଛି ପ୍ରସଙ୍ଗ ବା ଦିଗ ସାମ୍ନାକୁ ଆସୁଛି ।
— ନାଗରିକତା ସଂଶୋଧନ ଆଇନ୍ ଓ ଏନ୍ଆରସି ଉପରେ ଲୋକମତ
— ଜାମିଆ ବିଶ୍ୱବିଦ୍ୟାଳୟ ଓ ସାହିନବାଗ ଅଶାନ୍ତିକୁ ନେଇ ଲୋକଙ୍କ ଆଭିମୁଖ୍ୟ
— ଭାବବିହଳତାର ଭାଷଣ ଭୋଟରେ ପରିଣତ ହେଲା ନା ନାହିଁ
— ଭୋଟ୍ ପାଇଁ ଜାତୀୟତାବାଦ ଓ ହିନ୍ଦୁତ୍ୱବାଦୀ ଚିନ୍ତାଧାରା କେତେ ଠିକ୍?
— କେନ୍ଦ୍ରୀୟ ଯୋଜନା ଓ ଏଜେଣ୍ଡା ବନାମ ଆଂଚଳିକ ସମସ୍ୟା
— ନିର୍ବାଚନ ଜିତିବା ପାଇଁ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା କେତେ ଆବଶ୍ୟକ?

ସେ ଯାହା ହେଉ, ଦିଲ୍ଲୀବାସୀ ପୁଣି ତାଙ୍କ ହୃଦୟରେ କେଜ୍ରିୱାଲଙ୍କୁ ବସାଇଛନ୍ତି । ବର୍ତ୍ତମାନର ଟ୍ରେଣ୍ଡ ମୁତାବକ ଆପ୍ ୫୮ଟି ଆସନରେ ଆଗୁଆ ରହିଛି ଏବଂ ବିଜେପିକୁ ମାତ୍ର ୧୨ଟି ଆସନ ମିଳିପାରିଛି । ହେଲେ କଂଗ୍ରେସର ଖାତା ଖୋଲିନଥିବା ଟ୍ରେଣ୍ଡରୁ ଦେଖିବାକୁ ମିଳୁଛି । ତେବେ ନିକଟରେ ମୋଦି ସରକାରଙ୍କ ବଡ଼ ବଡ଼ ବିଲ୍ ଏବଂ ଐତିହାସିକ ପଦକ୍ଷେପକୁ ଦିଲ୍ଲୀବାସୀଙ୍କ ଉପର କିଛି ବି ଫରକ ପକାଇ ପାରିନି ।