ଦିଲ୍ଲୀରେ ପରାଜୟକୁ ନେଇ ଓଡିଶା ବିଜେପି ନେତାଙ୍କ ବଡ଼ ବୟାନ । ଖାରବେଳ ସ୍ୱାଇଁ କହିଲେ, ମଝିରେ ମଝିରେ ହାରିବା ଦରକାର ବିଜେପି, ଫଳରେ ଭୁଲ କଣ ଜାଣିପାରିବ ଦଳ

ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନକରିବା ଦଳକୁ ଆଣିଦେଲା କ୍ଷତି

977

କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନର ଟ୍ରେଣ୍ଡ ବିଜେପିକୁ ଜୋରଦାର ଝଟକା ଦେଇଛି । ହେଲେ ଯାହା ହୋଇଛି ତାହା ଭଲ ହୋଇଛି ବୋଲି କହିଛନ୍ତି ଓଡିଶା ବିଜେପିର ବଡ ଚେହେରା ଖାରବେଳ ସ୍ୱାଇଁ । କହିଛନ୍ତି, ବିଜେପି ଏମିତି ମଝିରେ ମଝିରେ ହାରିବା ଦରକାର । ତା ପଛରେ ଏହି ବରିଷ୍ଠ ନେତାଙ୍କ ଯଥେଷ୍ଟ ଯୁକ୍ତି ବି ରହିଛି । ହାରିବା ଫଳରେ ଭୁଲ କେଉଁଠି ରହିଲା ତାକୁ ଅନୂୁଧ୍ୟାନ କରିବାକୁ ଚେଷ୍ଟା କରିବ ଦଳ । ସେହିପରି ଦିଲ୍ଲୀରେ ବିଜେପି ବହୁତ ପରିଶ୍ରମ କରିଥିଲା । ହେଲେ ମୁଖିଆ କିଏ ହେବା ଘୋଷଣା ନକରିବା ବୋଧହୁଏ ଅସୁବିଧାରଣ କାରଣ ହେଲା ବୋଲି କହିଛନ୍ତି ଏହି ବରିଷ୍ଠ ନେତା ।
ଅନ୍ୟପଟେ, ଦିଲ୍ଲୀ ନିର୍ବାଚନ ଫଳାଫଳକୁ ନେଇ ଯେଉଁ ଏକଜିଟ ପୋଲ ପୂର୍ବାନୁମାନ ହୋଇଥିଲା ତାହା ଏକ ପ୍ରକାର ସତ ହେବାକୁ ଯାଉଛି । ବିଜେପିର କଠୋର ହିନ୍ଦୁତ୍ୱବାଦ ଓ ରାଷ୍ଟ୍ରବାଦ ଉପରେ ଭାରିପଡିଛି କେଜ୍ରିୱାଲଙ୍କ ବିକାଶର ମଡେଲ । ଶିକ୍ଷା, ସ୍ୱାସ୍ଥ୍ୟ, ପାଣି ଓ ବିଜୁଳି ଭଳି ମୌଳିକ ପ୍ରସଙ୍ଗକୁ ମୁଦ୍ଦା କରି ଦିଲ୍ଲୀ ବାସୀଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି ଆପ ମୁଖ୍ୟ ।

ବଡ କଥା ହେଉଛି , ଏକ ଅଣ ରାଜନୈତିକ ପୃଷ୍ଠଭୂମିରୁ ଆସି ଦିଲ୍ଲୀରେ ଦୁଇଟି ଜାତୀୟ ରାଜନୈତିକ ଦଳକୁ ଧୂଳି ଚଟାଇଦେଇଛନ୍ତି ଅରବିନ୍ଦ କେଜରିୱାଲ । ଇଣ୍ଡିଆ ଏଗେନଷ୍ଟ କରପସନରୁ ଆରମ୍ଭ ହୋଇଥିଲା କେନ୍ଦ୍ର ସରକାର ବିରୋଧରେ ତାଙ୍କର ଲଢେଇ । ୨୦୧୨ରେ ଏହାକୁ ରାଜନୈତିକ ଜାମା ପିନ୍ଧାଇଥିଲେ ଆମ ଆଦମୀ ପାର୍ଟି ଗଠନ କରି । ପ୍ରଥମେ ୨୦୧୩ରେ ୪୯ ଦିନ ପାଇଁ ହେଲେ ମୁଖ୍ୟମନ୍ତ୍ରୀ । କଂଗ୍ରେସ ସହ ମିଶି ସରକାରରେ ବସିଲେ । ହେଲେ ଲୋକପାଳ ବିଲ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ଏହାର ବର୍ଷକ ପରେ ୨୦୧୫ରେ କଂଗ୍ରସର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ହାତରୁ ଛଡାଇ ଆଣିଲେ ଦିଲ୍ଲୀ ସିଂହାସନ । ୫ ବର୍ଷରେ ରାଜନୈତିକ ଜୟଯାତ୍ରା ଭିତରେ ଦିଲ୍ଲୀରେ ମୋଦି ବିରୋଧୀ ମୋର୍ଚ୍ଚାା ଖୋଲିଛନ୍ତି ଅରବିନ୍ଦ କେଜରିୱାଲ । ତାଙ୍କ ବିକାଶ କାମର ମୂଲ୍ୟାୟାନ କରି ପୁଣି ଥରେ ଶାସନ କ୍ଷମତା ତାଙ୍କରି ହାତରେ ଧରାଇଦେବାକୁ ଜନାଦେଶ ଦେଇଛନ୍ତି ଦିଲ୍ଲୀ ବାସୀ ।