କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନରେ ବିଜେଡିର ଏକପାଖିଆ ବିଜୟକୁ ନେଇ ଏବେ ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା । ଚଳିତ ଥର ବିଜେଡି ଯେଉଁ ଐତିହାସିକ ବିଜୟ ହାସଲ କରିଛି ତାହା ଦଳର ପୂର୍ବ ଇତିହାସରେ କେବେ ଦେଖିବାକୁ ମିଳିନଥିଲା । ୩୦ରୁ ୩୦ ଜିଲ୍ଲା ପରିଷଦ ଦଖଲ କରି ବିଜେଡି ବାର୍ତ୍ତା ଦେଇଛି ଯେ, ଓଡ଼ିଶାବାସୀ ନବୀନଙ୍କ ସହ ରହିଛନ୍ତି । ତେବେ ବିଜେଡିର ଏହି ବିଜୟ ଯେତିକି ଚର୍ଚ୍ଚା ସାଉଁଟିଛି ତାହାଠାରୁ ଅଧିକ ଚର୍ଚ୍ଚା ହେଉଛି ପଶ୍ଚିମ ଓଡ଼ିଶାର ଫଳାଫଳକୁ ନେଇ । କାରଣ ଚଳିତଥର ପଶ୍ଚିମ ଓଡ଼ିଶାର ପଞ୍ଚାୟତ ଫଳାଫଳ କିଛି ଭିନ୍ନ ସଂକେତ ଦେଇଛି । ବିଜେପିର ସୁରକ୍ଷିତ ଗଡ କୁହାଯାଉଥିବା ପଶ୍ଚିମ ଓଡ଼ିଶାରେ ହିଁ ଦଳକୁ ଜବରଦସ୍ତ ଝଟକା ଲାଗିଛି । ଆଉ ତାହା ବି ପୁଣି ଦଳର ହେଭିୱେଟ ନେତା କ୍ଷମତାରେ ଥିବା ବେଳେ । ପଶ୍ଚିମ ଓଡ଼ିଶାରେ ବିଜେପିର ପ୍ରଦର୍ଶନକୁ ନେଇ ସମୀକ୍ଷା ଏଥିପାଇଁ ହେଉଛି କାରଣ ୨୦୧୭ରେ ବିଜେପି ଏଠାରେ ଆଶା ଠାରୁ ଅଧିକ ଆସନ ହାତେଇବା ସହ ବଲାଙ୍ଗୀର, ବରଗଡ, ସମ୍ବଲପୁର, କଳାହାଣ୍ଡି, ସୋନପୁର ଭଳି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବାକୁ ସକ୍ଷମ ହୋଇଥିଲା । ଆଉ ଏହାର ପ୍ରଭାବ ୨୦୧୯ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା । ପଶ୍ଚିମ ଓଡ଼ିଶାବାସୀ ବିଜେପିର ୫ ସାଂସଦଙ୍କ ସପକ୍ଷରେ ଏଠାରେ ଭୋଟ କରିଥିଲେ । ଯେଉଁଥିପାଇଁ ପଶ୍ଚିମ ଓଡ଼ିଶାକୁ ବିଜେପି ନିଜର ସୁରକ୍ଷିତ ଗଡ ମଣୁଥିଲା । କିନ୍ତୁ ସାଧାରଣ ନିର୍ବାଚନର ୩ ବର୍ଷ ପରେ ଏମିତି କଣ ହେଲା ଯେ, ପଶ୍ଚିମ ଓଡ଼ିଶାବାସୀ ବିଜେପିର ଯେଉଁ ନେତାଙ୍କୁ ବାଛିଥିଲେ ତାଙ୍କ ଠାରୁ ମୁହଁ ଫେରାଇ ନେଲେ । ତାହାକୁ ନେଇ ଏବେ ରାଜନୈତିକ ସ୍ତରରେ ତର୍ଜମା ଆରମ୍ଭ ହୋଇଛି ।
ଚଳିତ ପଞ୍ଚାୟତ ନିର୍ବାଚନ ଆରମ୍ଭରୁ ଉଭୟ ବିଜେପି ଓ ବିଜେଡିର ଫୋକସରେ ରହିଥିଲା ପଶ୍ଚିମ ଓଡ଼ିଶା । ବିଜେପି ନିଜର ଗଡକୁ ବଞ୍ଚାଇବାକୁ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେଡି ଏହି ଗଡ ଅକ୍ତିଆର କରିବାକୁ ଅଙ୍କ କଷିଥିଲା । ଯେଉଁଥିରେ ସଫଳ ହୋଇଛି ବିଜେଡି, ଆଉ ବିଜେପିର ହେଭିୱେଟ ଚେହେରାଙ୍କ ସାଙ୍ଗଠନିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ଛିଡା କରିଛି । ପଶ୍ଚିମ ଓଡ଼ିଶାରେ ବିଜେପିର ବଡ ଚେହେରା ଭାବେ ଜଣାଶୁଣା ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ ପଞ୍ଚାୟତ ଫଳାଫଳ ଝଟକା ଦେଇଛି । ସୁନ୍ଦରଗଡ ଜିଲ୍ଲାରେ ବିଜେପିର ୩ ବିଧାୟକ ପ୍ରାର୍ଥୀ ଥିଲେ ମଧ୍ୟ ଦଳ ଏଠାରେ ଶୋଚନୀୟ ପ୍ରଦର୍ଶନ କରିଛି । ମାତ୍ର ଗୋଟିଏ ଆସନରେ ଦଳ ଖାତା ଖୋଲିବାକୁ ସକ୍ଷମ ହୋଇଛି । ଯାହା ଦଳୀୟ ନେତୃତ୍ୱଙ୍କ ସାଙ୍ଗଠନିକ ଦକ୍ଷତା ଉପରେ ବିରାଟ ପ୍ରଶ୍ନବାଚୀ ଛିଡା କରିଛି ।
ସେହିଭଳି ସମ୍ବଲପୁରରେ ମଧ୍ୟ ଦଳର ପ୍ରଦର୍ଶନ ଏତେ ନିମ୍ନସ୍ତରକୁ ଚାଲିଯିବ ତାହା କେହି କେବେ କଳ୍ପନା ମଧ୍ୟ କରିନଥିଲେ । କାରଣ ଗତ ନିର୍ବାଚନରେ ଦଳ ଏଠାରେ ଜିଲ୍ଲା ପରିଷଦ ଗଠନ କରିଥିବା ବେଳେ ଏଥର ଦଳୀୟ ଖାତାକୁ ଆସିଛି ମାତ୍ର ୨ଟି ଆସନ । ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ବିଜେପି ସାଂସଦ, ୩ ଜଣ ବିଜେପି ବିଧାୟକ ଯେଉଁମାନଙ୍କ ମଧ୍ୟରେ ଜୟନାରାୟଣ ମିଶ୍ରଙ୍କ ଭଳି ହେଭିୱେଟ ଚେହେରା ରହିଥିଲେ ତାହା ସତ୍ତେ୍ୱ ମଧ୍ୟ ଦଳ ଏଠାରେ ଫେଲ ମାରିଛି । ଆଉ ଏହା ପଛର କାରଣ ହେଉଛି ତୃଣମୂଳସ୍ତରରେ ଲୋକଙ୍କ ପାଖରେ ଦଳୀୟ ନେତୃତ୍ୱ ନ ପହଞ୍ଚିବା । ପାରିବାରିକ ବିବାଦ ପାଇଁ ସମ୍ବଲପୁର ସାଂସଦ ପୂରା ନିର୍ବାଚନରୁ ନିଜକୁ ଦୂରେଇ ରଖିଥିବା ବେଳେ ବିଧାୟକ ଜୟ ନାରାୟଣ ମିଶ୍ର ଅସୁସ୍ଥତା ଭିତରେ ଶେଷ ମୁହୂର୍ତ୍ତରେ ପ୍ରଚାରକୁ ଓହ୍ଲାଇବା କେଉଁଠି ନା କେଉଁଠି ଦଳର ବିପର୍ଯ୍ୟୟର ବଡ କାରଣ ବୋଲି ଚର୍ଚ୍ଚା ହେଉଛି ।
ସେହିଭଳି ଝାରସୁଗୁଡା ଜିଲ୍ଲାରେ ବିଜେଡି ମନ୍ତ୍ରୀ ନବ ଦାସଙ୍କ ଗୋଟି ଚାଳନାରେ ପ୍ରଭାବଶୂନ୍ୟ ହୋଇଛି ବିଜେପି ଶିବିର । ଦଳ ଏଠାରେ ଖାତା ଖୋଲିବାକୁ ସକ୍ଷମ ହୋଇନଥିବା ବେଳେ ବିଜେଡି ଏଠାରେ କ୍ଲିନ୍ ସୁଇପ ସହ ଜିଲ୍ଲା ପରିଷଦ ଦଖଲ କରିଛି । ଏହାବାଦ୍ ବରଗଡରେ ମଧ୍ୟ ବିପର୍ଯ୍ୟୟ ବିଜେପିର ପିଛା ଛାଡିନାହିଁ । ଦଳ ଗତଥର ଏଠାରେ ଜିଲ୍ଲା ପରିଷଦ ଦଖଲ କରିଥିଲା । କିନ୍ତୁ ଏଥର ମାତ୍ର ୭ଟି ଆସନରେ ସୀମିତ ରହିଛି ଦଳ । ସାଂସଦ ସୁରେଶ ପୂଜାରୀ ଏଠାରେ ଦଳର ବିଜୟଧାରା ବଜାୟ ରଖିବାରେ ବିଫଳ ହୋଇଥିବା ଦଳୀୟ ମହଲରେ କୁହାଯାଉଛି । କାରଣ ତୃଣମୂଳସ୍ତରରେ ଲୋକଙ୍କ ପାଖରେ ନ ପହଞ୍ଚିବା କାରଣରୁ ଭୋଟର ପ୍ରତ୍ୟାଖାନ କରିଥିବା ଚର୍ଚ୍ଚା ହେଉଛି ।
ଏହାବାଦ୍ ବଲାଙ୍ଗୀରରେ ବିଜେପି ସାଂସଦ ସଙ୍ଗୀତା ସିଂହଦେଓ ଓ ହେଭିୱେଟ ଚେହେରା କନକ ବର୍ଦ୍ଧନ ସିଂହଦେଓଙ୍କ ଗୋଟି ଚାଳନା ମଧ୍ୟ ଦଳ ପାଇଁ କାମ କରିନାହିଁ । ଗତ ନିର୍ବାଚନରେ ବିଜେପି ଯେଉଁ ସଂଖ୍ୟା ହାତେଇଥିଲା ତାହା ଏଥର ବିଜେଡି ଖାତାରେ । ଜନ ସମ୍ପର୍କରୁ ଦୂରେଇ ରହିବା ଓ ସଙ୍ଗଠନକୁ ସୁଦୃଢ ନ କରିବା ବଲାଙ୍ଗୀରରେ ବିଜେପି ବିପର୍ଯ୍ୟୟର ବଡ କାରଣ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଏହାଛଡା ବଲାଙ୍ଗୀରରେ ବିଜେଡି ସଙ୍ଗଠିତ ହୋଇ ଲଢିବା ବିଜେପିର ପଞ୍ଚାୟତ ଫଳାଫଳକୁ ଓଲଟପାଲଟ କରିଥିବା କୁହାଯାଉଛି । ସେହିଭଳି ପଶ୍ଚିମ ଓଡ଼ିଶାର ଆଉ ଏକ ହାଇଭୋଲଟେଜ ଆସନ କୁହାଯାଉଥିବା କଳାହାଣ୍ଡିରେ ମଧ୍ୟ ସମଦଶା ଭୋଗିଛି ବିଜେପି । ବିରୋଧୀ ଦଳ ନେତା ଅସୁସ୍ଥତା କାରଣରୁ ପ୍ରଚାର ମୈଦାନକୁ ଓହ୍ଲାଇ ନଥିବା ବେଳେ ସାଂସଦ ବସନ୍ତ ପଣ୍ଡା ପ୍ରଚାରର ମଙ୍ଗ ଧରିଥିଲେ ମଧ୍ୟ ଦଳକୁ ବିପର୍ଯ୍ୟୟକୁ ଉଦ୍ଧାର କରିପାରିନଥିଲେ । ୨୦୧୭ରେ ଦଳ ଯେଉଁ ପ୍ରଦର୍ଶନ କରିଥିଲା ତାହାର ବିପରୀତ ଫଳାଫଳ ୨୦୨୨ରେ ଦଳକୁ ମିଳିଛି । ଅଥାର୍ତ ଗତଥର ୩୩ ଆସନ ଜିତିବା ସହ ଦଳ ଏଠାରେ ଜିଲ୍ଲା ପରିଷଦ ଦଖଲ କରିଥିବା ବେଳେ ଚଳିତଥର ମାତ୍ର ୨ଟି ଆସନରେ ସନ୍ତୁଷ୍ଟ ହୋଇଛି । ଯାହା ଦର୍ଶାଉଛି ଗତ ୫ ବର୍ଷ ମଧ୍ୟରେ କଳାହାଣ୍ଡିରେ ଦଳ ଓ ଦଳୀୟ ନେତାଙ୍କ ଗ୍ରହଣୀୟତା ବଢିବା ବଦଳରେ ଆଶା ଠାରୁ ଅଧିକ କମିଛି । ତେବେ ଏଠି ପ୍ରଶ୍ନ ଉଠୁଛି, ଯେଉଁ ପଶ୍ଚିମ ଓଡ଼ିଶାର ଫଳାଫଳ ଦମ୍ଭରେ ବିଜେପି ଓଡ଼ିଶାରେ କ୍ଷମତା ଦଖଲ ସ୍ୱପ୍ନ ଦେଖିଥିଲା ତାହା ହଠାତ୍ ଚୁରମାର ହେଲା କେମିତି? ପଶ୍ଚିମ ଓଡ଼ିଶାରେ କାହିଁକି ପ୍ରଭାବ ବିସ୍ତାର କରିବାରେ ଅସଫଳ ହେଲା ପଦ୍ମ ଦଳ? ହେଭିୱେଟ ଚେହେରା ଥିବା ସତ୍ତେ୍ୱ ମଧ୍ୟ ଭୋଟର କାହିଁକି ବିଜେପିକୁ ଭରସି ପାରିଲେ ନାହିଁ ।