କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥିବା ବେଳେ ବିଜେପି ପ୍ରାର୍ଥୀ ତାଲିକାକୁ ନେଇ ରହସ୍ୟ ବଢୁଛି । ଆଉ ଏହି ବିଳମ୍ବକୁ ନେଇ ଆରୋପ ପ୍ରତ୍ୟାରୋପର ପର୍ବ ବି ଦେଖିବାକୁ ମିଳିଛି । ବିଜେଡି କହିଛି ବିଜେପି ପାଖରେ ପ୍ରାର୍ଥୀ ନାହିଁ, ତେଣୁ ସେମାନେ ଅନ୍ୟ ଦଳର ପ୍ରାର୍ଥୀକୁ ଅପେକ୍ଷା କରିଛନ୍ତି । ସେପଟେ ଏହାର ଉତରରେ ବିଜେପି କହିଛି, ବିଜେଡି ମଧ୍ୟ ଅନ୍ୟ ଦଳରୁ ପ୍ରାର୍ଥୀ ଆଣିଛି ।

Advertisment

ଆଉ ତିନି ଦିନ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ତାରିଖ ସରିଯିବ । କିନ୍ତୁ ବିଜେପିର ଅଙ୍କ ଛିଣ୍ଡି ପାରୁନି । ବିଜେଡି କହୁଛି, ବିଜେପି ଅନ୍ୟଦଳର ନେତାଙ୍କୁ ଅପେକ୍ଷା କରିଛି । ସେଥିପାଇଁ ବିଳମ୍ବ ହେଉଛି । ବିଜେଡିରେ ଯେଉଁମାନେ ଟିକେଟ ନପାଇ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ କୌଣସି ଉପାୟରେ ପ୍ରଲୋଭିତ କରି ନିଜ ଆଡକୁ ଟାଣୁଛି ବିଜେପି । ତେବେ ଜଣେ ନେତା ଯେତେବେଳେ ପରିବର୍ତ୍ତନ କରେ ସେମାନଙ୍କ ପଛରେ ୧୦୦ ପ୍ରତିଶତ ଭୋଟ ଯାଏ ନାହିଁ । ନବୀନଙ୍କୁ ବିଶ୍ୱାସ କରି ଲୋକେ ଶଙ୍ଖ ଚିହ୍ନରେ ଭୋଟ ଦେଉଛନ୍ତି, ତେଣୁ ଯଦି କୌଣସି ନେତା ଭୁଲ ବୁଝାମଣାରୁ ଦଳ ଛାଡୁଛନ୍ତି ତେବେ ତାଙ୍କ ପଛରେ ଯେ ସବୁ ଭୋଟ ପଳାଇବ ତାହା ଭାବିବା ଭୁଲ ।

ବିଜେଡିକୁ ଜବାବ ଦେବାକୁ ଯାଇ ବିଜେପି କହିଛି, ବିଜେଡି ମଧ୍ୟ ନବ ଦାସ, ବିକ୍ରମ ପଣ୍ଡା ଏବଂ ଚନ୍ଦ୍ରଶେଖର ସାହୁଙ୍କୁ ଅନ୍ୟ ଦଳରୁ ଆଣିଛି । ୧୧୭ଟି ଆସନ ଜିତିବା ପରେ ବିଜେଡି ଏମାନଙ୍କୁ କାହିଁକି ନିଜ ଦଳରେ ନେଇଛି । ଏଭଳି କରି କାହା ଦଳରେ ବିଧାୟକ ପ୍ରାର୍ଥୀ ନାହାନ୍ତି ତାହା ବିଜେଡି ସୁପ୍ରିମୋ ଜଣାଇ ଦେଇଛନ୍ତି । ବିଜେପି କେନ୍ଦ୍ରୀୟ ଦଳ ହୋଇଥିବାରୁ ସେଠାରେ ପ୍ରାର୍ଥୀ ତାଲିକା ଘୋଷଣା ହେବ । ଅନ୍ୟ ଦଳରୁ ଆସୁଥିବା ନେତା ନିସର୍ତ ଭାବେ ବିଜେପିରେ ଯୋଗ ଦେଉଛନ୍ତି ବୋଲି କହିଛନ୍ତି ଦଳ ମୁଖପାତ୍ର ଗୋଲକ ମହାପାତ୍ର ।

ବିଜେପି ତାଲିକା ପ୍ରକାଶ ପାଇବା ଯେତେ ବିଳମ୍ବ ହେବ ଏହି ରାଜନୈତିକ ଆରୋପ ପ୍ରତ୍ୟାରୋପ ସେତିକି ଘନିଭୂତ ହେବ । ଆଉ ନେତାଙ୍କ ଦଳଡିଆଁ ବି ଆହୁରି ବଢିଯିବ ।