ତଥାପି ଛିଣ୍ଡୁନି ବିଜେପି ଅଙ୍କ ! କଳାହାଣ୍ଡି-କୋରାପୁଟକୁ ନେଇ ଦ୍ୱନ୍ଦରେ ବିଜେପି, କାହାକୁ ଟିକେଟ୍ ଦେବ ଦଳ ?

297

ନକ ବ୍ୟୁରୋ: ରାଜ୍ୟର ୧୦ ଲୋକସଭା ଆସନ ପାଇଁ ବିଜେପି ଦିଲ୍ଲୀ ଦରବାରରୁ ଘୋଷଣା ହେଲା ବିଜେପି ତାଲିକା । କିନ୍ତୁ ଘୋଷଣା ହୋଇଥିବା ଏହି ୧୦ଟି ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ତାଲିକାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ମାତ୍ର ୨ଟି ଆସନରେ ବିଜେପି ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି । ସେହିଭଳି ଦୁଇଟି ଆସନରେ ବିଜେପି କାହାକୁ ବାଛିବ ତାକୁ ନେଇ ଅଙ୍କ ଛିଣ୍ଡିପାରିନଥିବା ଜଣାପଡ଼ିଛି । ଆଉ ଏହି ଦୁଇଟି ଆସନ ହେଉଛି କୋରାପୁଟ ଓ କଳାହାଣ୍ଡି ଲୋକସଭା । ତେବେ ବିଜେପି କାହିଁକି ଏହି ଦୁଇଟି ଆସନ ନେଇ ଏତେ କନଫ୍ୟୁଜନରେ ରହିଛି, ତାହାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି ।

ଚର୍ଚ୍ଚା ମୁତାବକ, କୋରାପୁଟ ଲୋକସଭା ଆସନ ପାଇଁ ବିଜେପିରେ ଏବେ ଦୁଇ ପ୍ରମୁଖ ଦାବିଦାର । ଗତବର୍ଷ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ଜୟରାମ ପାଙ୍ଗୀ ଏବଂ କଂଗ୍ରେସରୁ ଲଗାତାର ୯ଥର ଟିକେଟ୍ ପାଇ ସାଂସଦ ହୋଇଥିବା ପୂର୍ବତନ କଂଗ୍ରେସ ହେଭିୱେଟ୍ ନେତା ତଥା ବର୍ତ୍ତମାନର ବିଜେପି ବରିଷ୍ଠ ନେତା ଗିରିଧର ଗମାଙ୍ଗ । କିନ୍ତୁ ଗତ ୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟ୍ ପାଇ ଗରିଧର ପାଖାପାଖି ୨୦ ହଜାର ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଝିନ ହିକକାଙ୍କ ଠାରୁ ପରାଜିତ ହୋଇଥିଲେ । ଆଉ ପରେ କଂଗ୍ରେସ ତାଙ୍କୁ ଅଣଦେଖା କରୁଥିବା ଦର୍ଶାଇ ୨୦୧୫ ମସିହାରେ ବିଜେପିରେ ସାମିଲ ହୋଇଥିଲେ ଗମାଙ୍ଗ ।

ସେହିପରି ଦ୍ୱିତୀୟ ଦାବିଦାର ନେତା ହେଉଛନ୍ତି ଜୟରାମ ପାଙ୍ଗୀ । ଯିଏ ଶଙ୍ଖ ଛାଡି ପଦ୍ମ ଦଳରେ ସାମିଲ ହୋଇଛନ୍ତି । ୨୦୦୯ରୁ ୨୦୧୪ ଯାଏ ବିଜେଡି ଟିକେଟରେ ସାଂସଦ ବନିଥିବା ପାଙ୍ଗୀ ଗତବର୍ଷ ବିଜେପିରେ ସାମିଲ ହୋଇଥିଲେ । ଚର୍ଚ୍ଚା ଅନୁସାରେ ଗମାଙ୍ଗ ଭଳି ଜୟରାମଙ୍କ ମଧ୍ୟ ସାଂଗଠିନକ ଦଖଲ ବେଶ ମଜବୁତ । ହୁଏତ, ଏଥିପାଇଁ ବିଜେପିର ନୀତି ନିର୍ଦ୍ଧାରଣ କରୁଥିବା ନେତାଙ୍କୁ କୋରାପୁଟ୍ ଅଙ୍କର ହିସାବ ଛିଣ୍ଡାଇବାରେ ଦ୍ୱନ୍ଦ୍ୱ ଉପୁଜିଛି ।

ସେପଟେ କଳାହାଣ୍ଡି ଲୋକସଭା ଆସନ ପାଇଁ ବିଜେପି ଗଣିତ ସହଜରେ ଛିଣ୍ଡିନି । କାରଣ ଏହି ଆସନ ପାଇଁ ଏବେ ବିଜେପିର ଆଶାୟୀ ମାଳମାଳ । ଯେଉଁଥିରେ ରହିଛନ୍ତି ଗତ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ କୁମାର ନାୟକ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ ରାଜ ପରିବାର ମହାରାଣୀ ପଦ୍ମଜା ଦେଓଙ୍କ ନାଁ ଟିକେଟ୍ ଦୌଡ଼ରେ ରହିଥିବା ଚର୍ଚ୍ଚା ହେଉଛି । କାରଣ ନିକଟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଳାହାଣ୍ଡି ଗସ୍ତ ସମୟରେ ମହାରାଣୀ ପଦ୍ମଜା ଦେଓ ଯୋଗୀଙ୍କ ସହ ମଞ୍ଚ ଉପରେ ନଜର ଆସିଥିଲେ ଏବଂ ପ୍ରତ୍ୟେକ୍ଷ ରାଜନୀତିରେ ପାଦ ଦେଇଥିଲେ । ତେଣୁ ସେ ମଧ୍ୟ ଏଠାରୁ ବିଜେପି ସାଂସଦ ପ୍ରାର୍ଥୀ ଟିକେଟ୍ ପାଇବାକୁ ଏଥର ଆଶାୟୀ ରହିଛନ୍ତି ।

ଏମାନଙ୍କ ବ୍ୟତୀତ ବିଜେଡି ଟିକେଟ୍ ନପାଇ ଗତ କିଛିଦିନ ତଳେ ଶଙ୍ଖ ଛାଡ଼ିଥିବା କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ତେଣୁ ଅର୍କଙ୍କୁ ବିଜେପି ନିଜ ଆଡ଼କୁ ମନାଇବା ପାଇଁ ଗୋଟି ଚାଳନା କରୁଥିବା ଯୋଗୁଁ ଏହି ଆସନ ନେଇ ପ୍ରାର୍ଥୀ ଚୟନ କରିପାରୁନି ବିଜେପି । ଯେଉଁଥିପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଏହି ଆସନ ନେଇ ଉପଯୁକ୍ତ ପ୍ରାର୍ଥୀ ଖୋଜୁଛି ବିଜେପି । ତେଣୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଏହି ଆସନକୁ ନେଇ ଦଳ ମଧ୍ୟ ଦ୍ୱନ୍ଦରେ ରହିଛି ବୋଲି ଚର୍ଚ୍ଚା ହେଉଛି ।