କାହିଁକି ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ବାଛିଲା ବିଜେପି? ସତ୍ତା ପଛରେ କଣ ରହିଛି ସମୀକରଣ? ପଢନ୍ତୁ, ମୁଖ୍ୟମନ୍ତ୍ରୀ ବାଛିବା ପଛର ରାଜନୀତି ଗଣିତ…

13,859

କନକ ବ୍ୟୁରୋ: କୁହାଯାଏ ରାଜନୀତିରେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ‘ସମୀକରଣ’ । ସତ୍ତାର ସମୀକରଣରେ ଯେଉଁ ନେତାଙ୍କ ଲେଖା ଛିଡିଲା, ସେ ନେତାଙ୍କ ଉପରେ ହାତୀ ସୁନାକଳସ ଢାଳିଲା ବୋଲି ବହୁ ଦିନରୁ କଥା ରହିଆସିଛି । ଆଉ ଏଥର ଓଡିଶା ରାଜନୀତିରେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ବାଛିବା ପଛରେ ସେମିତି କିଛି ସମୀକରଣ କାମ କରିଛି ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି । ପ୍ରଥମରେ ଆଦିବାସୀ ଚେହେରା, ଦ୍ୱିତୀୟରେ ଉତ୍ତର ଓଡିଶାକୁ ପ୍ରତିନିଧିତ୍ୱ ଆଉ ତୃତୀୟରେ ପଡୋଶୀ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ଆଲୋଚନା କରୁଛନ୍ତି ।

ଆଦିବାସୀ ଚେହେରା

କେନ୍ଦୁଝର ଆସନରୁ ଲଗାତାର ନିର୍ବାଚିତ ହେଇ ଆସୁଥିବା ମୋହନ ମାଝୀ ରାଜ୍ୟ ବିଜେପିର ଜଣେ ଟାଣୁଆ ଆଦିବାସୀ ନେତା । ଯେଉଁ କାରଣରୁ ମୁଖ୍ୟମନ୍ତ୍ରୀ ରେସରେ ଅଧ ଡଜନେରୁ ଅଧିକ ନେତା ରେସରେ ଥିଲେ ବି, ସମସ୍ତଙ୍କୁ ପଛରେ ପକେଇ ବାଜି ମାରି ନେଇଛନ୍ତି ମୋହନ ମାଝୀ । ସୁରେଶ ପୂଜାରୀ, କେଭି ସିଂହଦେଓ, ପ୍ରଭାତୀ ପରିଡା, ମନମୋହନ ସାମଲ, ମୁକେଶ ମହାଲିଙ୍ଗଙ୍କ ପରି ନେତା ଏଥର ମୁଖ୍ୟମନ୍ତ୍ରୀ ରେସରେ ଥିଲେ । ହେଲେ ସେ ସମସ୍ତଙ୍କୁ ପଛରେ ପକାଇ ବାଜିଗର ହେଇଛନ୍ତି ମୋହନ ମାଝୀ ।

ଅନ୍ୟପଟେ ବିରୋଧୀ ଆସନରେ ବସି ସରକାରକୁ ତୀକ୍ଷଣ୍ ତୀର ମାରିବାରେ ମଧ୍ୟ ମୋହନ ମାଝୀ ବେଶ୍ ମାହିର । ଗତ ସରକାରରେ ସେ ରାଜ୍ୟର ବିରୋଧୀ ଦଳ ମୁଖ୍ୟ ସଚେତକ ରହିଥିଲେ । ଏମିତି କି, ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗିବାର ସାହାସ ମଧ୍ୟ ଦେଖାଇଥିଲେ । ତେଣୁ ଏମିତି ଜଣେ ଚେହେରାକୁ ଆଗକୁ ଆଣି, ରାଜ୍ୟରେ ସ୍ଥିର ସରକାର ଦେବାକୁ ଲକ୍ଷ୍ୟ ରଖିଛି ବିଜେପି ।

ଉତ୍ତର ଓଡିଶାକୁ ପ୍ରତିନିଧିତ୍ୱ

ଏଥର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡିଶାରୁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଥିଲା । ଏ ଦୁଇଟି ଆସନ ହେଉଛି ପଶ୍ଚିମ ଓଡିଶାର । ତେଣୁ ପଶ୍ଚିମ ଓଡିଶା ବଦଳରେ ଅନ୍ୟ ଅଞ୍ଚଳକୁ ମଧ୍ୟ ସମାନ ପ୍ରତିନିଧିତ୍ୱ ଦେବାକୁ ବିଜେପି ଏପରି ସମୀକରଣ ଠିକ୍ କରିଥିବା ଆଲୋଚନା ହେଉଛି ।

ମୋହନ ମାଝୀ କେନ୍ଦୁଝରରୁ ଆସୁଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ବାଛି ସରକାରରେ ଉତ୍ତର ଓଡିଶାକୁ ପ୍ରତିନିଧିତ୍ୱ ଦେଇଛି ବିଜେପି । ସେହିପରି ପଶ୍ଚିମ ଓଡିଶାର ଟାଣୁଆ ନେତା କେଭି ସିଂହଦେଓଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିଛି ଦଳ । ତା ସହିତ ଉପକୂଳ ନେତା ତଥା ମହିଳା ଚେହେରା ଭାବେ ଦଳ ନିମାପଡା ବିଧାୟିକା ପ୍ରଭାତୀ ପରିଡାଙ୍କୁ ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ସହିତ ସରକାରରେ ସବୁ ଅଞ୍ଚଳକୁ ସମାନ ପ୍ରତିନିଧିତ୍ୱ ଦେବାକୁ ଚେଷ୍ଟା କରିଥିବା କୁହାଯାଉଛି ।

ଗୋଷ୍ଠୀ କନ୍ଦଳରେ ପୂର୍ଣ୍ଣଚ୍ଛେଦ 

ରାଜ୍ୟ ବିଜେପିରେ ଅଧିକାଂଶ ସମୟରେ ଗୋଷ୍ଠୀ କନ୍ଦଳ କଥା ସାମ୍ନାକୁ ଆସିଥାଏ । ହେଲେ ରାଜନୈତିକ ବିଶେଷଜ୍ଞଙ୍କ କହିବା ମୁତାବକ, ମୋହନ ମାଝୀ ହେଉଛନ୍ତି ଏମିତି ଜଣେ ନେତା, ଯିଏକି ଗୋଷ୍ଠୀ କନ୍ଦଳରେ ରୁହନ୍ତି ନାହିଁ । ରାଜ୍ୟ ବିଜେପିର ପ୍ରତିଟି ଗୋଷ୍ଠୀର ଲୋକ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ କଥାରେ ହଁ ଭରିଥାନ୍ତି । ତେଣୁ ଗୋଷ୍ଠୀ କନ୍ଦଳରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ମୋହନଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ବଛାଯାଇଥିବା ଅନୁମାନ କରାଯାଉଛି । ତା ସହିତ ତାଙ୍କ ପାଖରେ ଦୀର୍ଘ ଦିନର ଅଭିଜ୍ଞତା ରହିଛି । ଶିକ୍ଷକତା ସହିତ ସେ ଜଣେ ଉଚ୍ଚଶିକ୍ଷିତ ନେତା । ଏହାବାଦ୍ ବିରୋଧୀ ଦଳରେ ଥିବା ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି ଆସିଛନ୍ତି । ତେଣୁ ଏହି ସବୁ ସମୀକରଣକୁ ଦେଖି ମୋହନଙ୍କୁ ଦଳ ବାଛିଥିବା କୁହାଯାଉଛି ।

ମୋହନଙ୍କୁ ବାଛିବା ପଛରେ ଝାଡଖଣ୍ଡ ନିର୍ବାଚନ

ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ମୋହନ ମାଝୀଙ୍କୁ ବାଛିବା ପଛରେ ଆଗାମୀ ଝାଡଖଣ୍ଡ ବିଧାନସଭାର ଗନ୍ଧ ବାରିଛନ୍ତି ରାଜନୈତିକ ବିଶେଷଜ୍ଞ । ଆଗକୁ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଅଛି, ଆଉ ଏହା ପୂର୍ବରୁ ଆଦିବାସୀ କାର୍ଡ ଖେଳି ପଡୋଶୀ ଝାଡଖଣ୍ଡରେ ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି ପଦ୍ମ ଦଳ ।

କାହିଁକି ନା, ଗତ ଲୋକସଭା ନିର୍ବାଚନରେ ଝାଡଖଣ୍ଡର ୧୪ରୁ ୧୨ ଲୋକସଭା ଆସନ ଜିତିଥିବା ଏନଡିଏ, ଏଥର ୨୦୨୪ରେ ମାତ୍ର ୯ଟି ଆସନ ଜିତିପାରିଛି । ତେଣୁ ଆଗକୁ ଏଠାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ, ମୋହନ ମାଝୀଙ୍କ ଭଳି ଆଦିବାସୀ ଚେହେରାଙ୍କୁ ସାମ୍ନାକୁ ଆଣି ଝାଡଖଣ୍ଡର ଆଦିବାସୀ ଭୋଟରଙ୍କ ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରିଛି ଭାରତୀୟ ଜନତା ପାର୍ଟି । ଜେଏମଏମ୍ ନେତା ହେମନ୍ତ ସୋରେନଙ୍କ ଗିରଫ ପରେ ଏଠାରେ ବିଜେପି ପାଇଁ ସାମାନ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି ହେଇଛି । ଆଉ ଏହାକୁ କାଉଣ୍ଟର କରିବାକୁ ଦଳ ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଭେଟି ଦେଇଛି ବୋଲି ରାଜନୈତିକ ପଣ୍ଡିତମାନେ କହିବା ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ମୋହନ ମାଝୀ ରାଜ୍ୟର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଭୁବନେଶ୍ୱରର ଜନତା ମଇଦାନରେ ଏହି ଭବ୍ୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା ପ୍ରମୁଖ ଏଥିରେ ଯୋଗ ଦେବେ ।