ଦଳ ଛାଡିବାର ନୂଆ ଧାରା । ଟିକେଟ ମିଳିବା ପରେ ବିଜେପି ଛାଡୁଛନ୍ତି ପ୍ରାର୍ଥୀ, ବିଜେଡି ମୁଖପାତ୍ର କହିଲେ, ପଦ୍ମ ଛାଡି ଶଙ୍ଖ ଧରିବା ଅପେକ୍ଷାରେ ଆହୁରି ୧୨ ପ୍ରାର୍ଥୀ ।

455

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ଆସୁଛି, ପଦ୍ମରୁ ଝଡୁଛି ଗୋଟିଏ ପରେ ଗୋଟିଏ ପାଖୁଡା । ବିଜେପି ଶିବିରର ଯୋଦ୍ଧା ଅସ୍ତ୍ର ଧରିଥିଲେ ମଧ୍ୟ ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ ପର ଶିବିରର ସିପାହୀ ହେବାକୁ ମନ ବଳାଉଛନ୍ତି । ଯାହା ବିଜେପି ପାଇଁ ଏବେ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ବେଳେ ବିଜେଡିକୁ ବଡ ଫାଇଦା ଦେଇଛି । ନିର୍ବାଚନ ପାଖେଇ ଆସିବା ସହ ବିଜେପି ପାଦ ତଳୁ ମାଟି ଖସୁଥିବା କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ଗତ ୩ରୁ ୪ ଦିନ ମଧ୍ୟରେ ବିଜେପିର ୩ ଜଣ ପ୍ରାର୍ଥୀ ବିଜେଡି ଶିବିରରେ ଏଣ୍ଟ୍ରି ମାରିଛନ୍ତି । ଏପରିକି ଟିକେଟ ପାଇବା ପରେ ମଧ୍ୟ ବିଜେପିକୁ ବାଏ ବାଏ କରିବାକୁ ପଛାଉନାହାନ୍ତି ପ୍ରାର୍ଥୀ । ଏହା ଦର୍ଶାଉଛି ବିଜେପି ପାଦ ତଳୁ ଏବେ ମାଟି ଖସୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର । ଏପରିକି ପ୍ରାର୍ଥୀ ମାନେ ବିଜେପି ଛାଡିବା ପଛରେ ବଡ କାରଣ ଦର୍ଶାଇଛନ୍ତି । ସସ୍ମିତ କହିଛନ୍ତି, ବିଜେପି ପକ୍ଷରୁ ଦିଆଯାଇଥିବା ମିଥ୍ୟା ପ୍ରତିଶୃତିକୁ ନେଇ ଲୋକମାନେ ପ୍ରାର୍ଥୀଙ୍କୁ ପ୍ରଶ୍ନ କରୁଛନ୍ତି ଯାହା ତାଙ୍କୁ ବେଶ ଲଜ୍ଜିତ କରୁଛି । ତେଣୁ ଏଭଳି ଦଳରୁ ପ୍ରାର୍ଥୀ ହୋଇ ଲୋକଙ୍କ ସାମ୍ନାରେ ଲଜ୍ଜିତ ହେବା ଅପେକ୍ଷା ଦଳ ଛାଡି ଦେବାକୁ ଅଧିକ ଶ୍ରେୟସ୍କର ମଣୁଛନ୍ତି । ଏପରିକି ବିଜେପି ଛାଡିବା ପରେ ଏହି ପ୍ରାର୍ଥୀ ମାନ ବିଜେଡିରେ ଯୋଗଦେବାକୁ ପଛାଉନାହାନ୍ତି । ଏହିଭଳି ଭାବେ ୩ ଜଣ ପ୍ରାର୍ଥୀ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ସସ୍ମିତ ।

ପ୍ରଥମେ ଏହି ତାଲିକାରେ ସୁବାସ ଚୌହାନଙ୍କ ନାଁ ଯୋଡି ହୋଇଥିଲା । ପଶ୍ଚିମ ଓଡିଶାର ଏହି ଟାଣୁଆ ନେତା ସୁବାସ ବରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ମନ ବଳାଇଥିଲେ ମଧ୍ୟ ବିଜେପି ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯାଇନଥିଲା । ଏପରିକି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେପୁରରୁ ଲଢାଇବାକୁ ଦଳ ପ୍ରସ୍ତାବ ଦେବା ପରେ ବିଜେପିକୁ ବାଏ ବାଏ କରିଥିଲେ ସୁବାସ । ଆଉ ସୁବାସଙ୍କ ଇସ୍ତଫା ଦଳ ପାଇଁ ସବୁଠୁ ବଡ ଝଟକା ଥିଲା ।

ପରବର୍ତ୍ତୀ ସମୟରେ ଆନନ୍ଦପୁରରୁ ବିଜେପି ଟିକେଟ ପାଇଥିବା ଭାଗିରଥୀ ସେଠୀ ମଧ୍ୟ ଦଳ ଛାଡିବାକୁ ପଛାଇନଥିଲେ । ହାତରେ ଅସ୍ତ୍ର ଧରିଥିଲେ ମଧ୍ୟ ମୈଦାନକୁ ଓହ୍ଲାଇବା ପୂର୍ବରୁ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ ଭାଗିରଥୀ । ପରେ ତାଙ୍କୁ ବିଜେଡି ପକ୍ଷରୁ ଆନନ୍ଦପୁରରୁ ପ୍ରାର୍ଥୀ କରିଛି ବିଜେଡି ।

ଆଉ ଏସବୁ ଭିତରେ କାକଟପୁର ଆସନ ପାଇଁ ବିଜେପି ପ୍ରାର୍ଥୀ ହୋଇଥିବା ତୁଷାରକାନ୍ତି ବେହେରା ଆଜି ଦଳ ଛାଡିବା ବିଜେପିକୁ ଶକ୍ତ ଝଟକା ଦେଇଛି । ଏପରିକି କାକଟପୁରରୁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ଜାଣିବା ପରେ ମଧ୍ୟ ଗେରୁଆ ଶିବିର ଛାଡି ସବୁଜ ଶିିବିରରେ ଏଣ୍ଟ୍ରି ମାରିଛନ୍ତି ତୁଷାରକାନ୍ତି । କାରଣ ବିଜେପି ପକ୍ଷରୁ ଯେଉଁ ମିଥ୍ୟା ପ୍ରତିଶୃତି ଦିଆଯାଇଛି ତାହାକୁ ନେଇ ଏବେ ଲୋକେ ପ୍ରଶ୍ନ ଉଠାଉଛନ୍ତି, ଯାହା ପ୍ରାର୍ଥୀ ମାନଙ୍କୁ ଲଜ୍ଜିତ କରୁଛି ।

କେବଳ ଏହି ୩ ନୁହେଁ ଆହୁରି ୧୦ରୁ ୧୨ ଜଣ ପ୍ରାର୍ଥୀ ଯେଉଁମାନେ ଲୋକଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେବା ପରେ ଏବେ ବିଜେଡିକୁ ଆସିବା ପାଇଁ ଯୋଗାଯୋଗରେ ରହିଛନ୍ତି । ଯାହା ବିଜେପିର ମିଥ୍ୟା ପ୍ରତିଶୃତିକୁ ପଦାରେ ପକାଉଛି ବୋଲି କହିଛନ୍ତି ସସ୍ମିତ । ଏହାଛଡା ବିଜେପି ନିଜ ପାଇଁ ପ୍ରାର୍ଥୀ ପାଉନଥିବା ବେଳେ ଏବେ ବିଜେଡିର ପାର୍ଟି ଅଫିସ ଆଗରେ ବୁଲୁଛି । ବିଜେଡିରୁ ଅସନ୍ତୁଷ୍ଟ ନେତାଙ୍କୁ ନେଇ ସଙ୍ଗେ ସଙ୍ଗେ ପ୍ରାର୍ଥୀ ଘୋଷଣା କରିବା ସହ ମିଶନ ୧୨୦ର ସ୍ୱପ୍ନ ଦେଖୁଛି ବିଜେପି । କିନ୍ତୁ ମିଥ୍ୟା ପ୍ରତିଶୃତି ଦେଇ ଯେଉଁଭଳି ଭାବେ ବିଜେପି ଲୋକଙ୍କୁ ଭଣ୍ଡାଇଛି ତାହାର ଜବାବ ଆଗାମୀ ନିର୍ବାଚନରେ ଜନତା ଦେବେ ବୋଲି କହିଛନ୍ତି ସସ୍ମିତ ।