କନକ ବ୍ୟୁରୋ : ଆସନ୍ତା ବର୍ଷ ପ୍ରାରମ୍ଭରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ମୋଟ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଦେଶରେ ଖାଲି ନିର୍ବାଚନର ମାହୋଲ ରହିବ ।

Advertisment

ଗୋଟିଏ ପଟେ ଲୋକସଭା ନିର୍ବାଚନକୁ ନେଇ ଜୁନ ୨୩ ତାରିଖରେ ବିହାରର ପାଟନା ଠାରେ ବିଜେପି ବିରୋଧୀ ରାଜନୈତିକ ଦଳମାନେ ବୈଠକ କରିବାକୁ ଯାଉଛନ୍ତି । ଏହି ବୈଠକର ନେତୃତ୍ୱ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନେଉଥିବା ବେଳେ ଏହି ବୈଠକରେ କଂଗ୍ରେସ ମହାସଚିବ ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୋଗ ଦେଉଥିବାର ସୂଚନା ରହିଛି ।

ଅନ୍ୟପଟେ ବିଜେପି ତରଫରୁ ଜୁନ ୧୧ ଓ ୧୨ ତାରିଖରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡକାଯାଇଛି । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ପାର୍ଟିର ମହାସଚିବ ବଏଲ ସନ୍ତୋଷ ଓ ରାଜ୍ୟ ସଂଗଠନର ସଚିବ ସାମିଲ ହେବେ ।

ବିଜେପିର ଏହି ବୈଠକକୁ ନେଇ ଅନେକ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି । ସବୁଠାରୁ ବଡ ପ୍ରଶ୍ନ ହେଉଛି ଅଚାନକ ବିଜେପି ତରଫରୁ ଏଭଳି ବୈଠକ କାହିଁକି ଡକାଯାଇଛି । ଏନେଇ ଜଣେ ବରିଷ୍ଠ ସାମ୍ବାଦିକ କହିଛନ୍ତି କି, ବିଜେପି ସବୁବେଳେ ନିର୍ବାଚନୀ ମୋଡରେ ରହିଥାଏ । ୨୦୧୪ରୁ ୨୦୧୯ରେ ଦେଶରେ ବିଜେପି ସପକ୍ଷରେ ଲହର ଥିଲା । ହେଲେ ଏବେ ସ୍ଥିତି କିଛି ଅଲଗା ହୋଇଛି । ଏବେ ବିରୋଧୀମାନେ ଏକଜୁଟ୍ ହେବାକୁ ଅଣ୍ଟା ଭିଡିଛନ୍ତି । ତେଣୁ ବିଜେପି ମହାସଚିବ ଏହି ବୈଠକ ଡାକି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜାଣିବାକୁ ଚାହୁଁଛନ୍ତି କି ସେହି ରାଜ୍ୟଗୁଡିକରେ ବିଜେପି ନେତାଙ୍କ ଭିତରେ ସବୁ ଠିକ ଚାଲିଛି କି ନାହିଁ ! ଏହା ସହ ଲୋକସଭା ନିର୍ବାଚନ ପାଖେଇ ଆସିବା ବେଳେ ପାର୍ଟି ଭିତରେ ଯଦି କୌଣସି କନ୍ଦଳ ପଦାରେ ପଡିବ ଏହାଦ୍ୱାରା ଭୋଟ ପ୍ରଭାବିତ ହେବା ଡରରେ ଏଭଳି ବୈଠକ ଡକାଯାଇଥିବା କଥା ସାମ୍ବାଦିକଜଣଙ୍କ ପୂର୍ବାନୁମାନ କରିଛନ୍ତି ।