ନିର୍ବାଚନ ପାଇଁ ବିଜେଡିର ନୂଆ ରଣନୀତି । ଜନତାଙ୍କ ଅର୍ଥରେ ନିର୍ବାଚନୀ ବୈତରଣୀ ପାର ହେବାକୁ ସୋସିଆଲ ମିଡ଼ିଆରେ ଚାନ୍ଦା ମାଗିଲା ଦଳ ।

1,019

କନକ ବ୍ୟୁରୋ: ନୂଆ ଓଡ଼ିଶା ନା ନିର୍ବାଚନ ପାଇଁ ବିଜେଡିକୁ ଲୋଡ଼ା ଦାନ ଅର୍ଥ ? ନିର୍ବାଚନ ଯେତେ ପାଖଉଛି ରାଜନୀତି ଦୃଶ୍ୟ ପଟ କଡ଼ ଲେଉଟାଇବାରେ ଲାଗିଛି । ଆଉ ବିଜୟ ହାସଲ କରିବା ପାଇଁ ନୂଆ ନୂଆ ଉପାୟ ବାହାର କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏହାରି ମଧ୍ୟରେ ଶାସକ ବିଜେଡି ସୋସିଆଲ ମିଡିଆରେ ଆରମ୍ଭ କରିଥିବା ଏକ ଅଭିଯାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେଡି ଅଫିସିଆଲ ସୋସିଆଲ ସାଇଟ ଜରିଆରେ ଲୋକଙ୍କୁ ଡ଼ୋନେସନ୍ ବା ଚାନ୍ଦା ମାଗୁଥିବା ଦେଖିବାକୁ ମିଳିଛି ।

ମୁଖ୍ୟତଃ ବିଜେଡି ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୋବାଇଲ ଆଣ୍ଡ୍ରଏଡ଼ ଆପ୍ ଏବଂ www.bjdodisha.org.in ଅଫିସିଆଲ ୱେବସାଇଟର ସାହାଯ୍ୟ ନେଇଛି । ଯେଉଁଥିରେ ୫ଟଙ୍କା, ୧୦ ଟଙ୍କା, ୫୦ଟଙ୍କା, ୧୦୦ଟଙ୍କା, ୨୦୦ ଟଙ୍କା ୫୦୦ଟଙ୍କା ଏବଂ ୧୦୦୦ ଟଙ୍କା ଆପଣ ବିଜେଡିକୁ ଦାନ କରିପାରିବେ । ଏହା ବିଜେଡିକୁ ବଳ ଦେବା ସହ ନୂଆ ଓଡ଼ିଶା ଗଠନ କ୍ଷେତ୍ରରେ ସହାୟକ ହେବ ବୋଲି ଦଳ ଦର୍ଶାଇବାକୁ ଚାହିଁଛି । ତେବେ ରାଜ୍ୟରେ ୧୯ ବର୍ଷ ହେବ ଶାସନ ଗାଦି ବସିଥିବା ବିଜୁ ଜନତା ଦଳକୁ ହଟାତ୍ କାହିଁକି ଦାନ ଅର୍ଥ ଲୋଡ଼ା ପଡ଼ିଲା ତାକୁ ନେଇ ଏବେ ସୋସିଆଲ ମିଡ଼ିଓ ସହ ବିଭିନ୍ନ ରାଜନୈତିକ ମହଲରେ ହଟ୍ ଟପିକ୍ ପାଲଟିଛି ।

କେବଳ ବିଜେଡି ନୁହେଁ ପୂର୍ବରୁ ଏଭଳି ଦାନ ଅର୍ଥ ବିଜେପି ଓ କଂଗ୍ରେସ ଦଳକୁ ଲୋଡ଼ା ପଡ଼ିଛି । ଦେଶର ଧନୀ ଦଳଭାବେ ଗଣାଯାଉଥିବା ବିଜେପି ଆଗାମୀ ନିର୍ବାଚନ ବୈତରଣୀ ପାର ହେବାପାଇଁ ବିଭିନ୍ନ ଜରିଆରେ ଦାନ ଅର୍ଥ ଅନୁରୋଧ କରୁଥିବା ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି । ସେହିଭଳି ଦେଶର ସର୍ବପୂରାତନ ରାଜନୈତିକ ଦଳ କଂଗ୍ରେସକୁ ମଧ୍ୟ ଦାନ ଅର୍ଥର ଆବଶ୍ୟକତା ପଡ଼ିଥିବା ଦେଖିବାକୁ ମିଳିଥିଲା । ସବୁଠାରୁ ରୋଚକ ବିଷୟ ହେଲା ଯେ, କିଏ କେଉଁ କାର୍ଯ୍ୟ ପାଇଁ ରାଜ୍ୟ ବା ଦେଶବାସୀଙ୍କ ଠାରୁ ଅନୁରୋଧ କରୁଛି ତାହାର ଅସଲ ଚିତ୍ର ପଦାକୁ ଆସିପାରୁନି । ଯାହାକୁ ବିଭିନ୍ନ ମହଲରେ ନେଇ ତର୍କବିତର୍କ ଲାଗିରହିଛି ।