କନକ ବ୍ୟୁରୋ : ରାଜ୍ୟର ଶାସକଦଳ ବିଜେଡି ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି କ୍ରମରେ ଏପର୍ଯ୍ୟନ୍ତ ଦଳ ତରଫରୁ ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ୨୦ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ହେଲେ ଗୋଟିଏ ଆସନ ପାଇଁ ବାକି ରହିଛି ଲୋକସଭା ପ୍ରାର୍ଥୀ ଘୋଷଣା । ଏହି ଆସନଟି ହେଉଛି ବାଲେଶ୍ୱର ଲୋକସଭା ଆସନ । ବାଲେଶ୍ୱର ଲୋକସଭା ଆସନ ପାଇଁ ବିଜେପି ତରଫରୁ ଦ୍ୱିତୀୟଥର ପାଇଁ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ଏପର୍ଯ୍ୟନ୍ତ ଏହି ଆସନ ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କରିନାହିଁ । ହେଲେ ବିଜେଡିର ମାଳ ମାଳ ଆଶାୟୀ ଥିବା ବେଳେ କାହିଁକି ଅଟକିଛି ବାଲେଶ୍ୱର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ତାହାକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ହେଉଛି ।
ବାଲେଶ୍ୱର ଲୋକସଭା ଆସନରେ ୨୦୧୯ ରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ବିଜୟୀ ହୋଇଥିଲେ । ତାଙ୍କ ସହ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡି ପ୍ରାର୍ଥୀ ରବିନ୍ଦ୍ର ଜେନା ମାତ୍ର ୧୩ ହଜାର ଭୋଟରେ ପରାଜିତ ହୋଇଥିଲେ । ପ୍ରତାପ ଷଡଙ୍ଗୀଙ୍କୁ ୪,୮୩, ୮୫୮ ଖଣ୍ଡ ଭୋଟ ମିଳିଥିବା ବେଳେ ରବିନ୍ଦ୍ର ଜେନାଙ୍କୁ ୪,୭୦,୯୦୨ ଖଣ୍ଡ ଭୋଟ ମିଳିଥିଲା । ସେହିଭଳି କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କୁ ମାତ୍ର ୧,୭୯,୪୦୩ ଖଣ୍ଡ ଭୋଟ ମିଳିଥିଲା ।
ହେଲେ ଚଳିତ ନିର୍ବାଚନରେ ବାଲେଶ୍ୱର ପାଇଁ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ଗତ ନିର୍ବାଚନରେ ବିଜେଡିର ରବିନ୍ଦ୍ର ଜେନା ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀଙ୍କୁ କଡା ଟକ୍କର ଦେଇଥିବା ବେଳେ ଏଥର ଦଳ ରବିନ୍ଦ୍ର ଜେନାଙ୍କ ପତ୍ନୀଙ୍କୁ ବସ୍ତା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ ରବିନ୍ଦ୍ର ଜେନାଙ୍କୁ ସାଂସଦ ପ୍ରାର୍ଥୀ କରିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇନାହିଁ ।