କାହିଁକି ହାରିଲା ବିଜେଡି? ଶପଥ ନେବା ପରେ ୩ ଦଳର ବିଧାୟକ କହିଲେ ପରାଜୟ ପଛର କାରଣ? 

3,445

କନକ ବ୍ୟୁରୋ : ଦୀର୍ଘ ୨୪ ବର୍ଷ ପରେ ଶାସନ କ୍ଷମତାରୁ ବିଦା ହୋଇଛି ବିଜେଡି । ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ସରକାର ଗଢିଛି ବିଜେପି । ବିଜେଡିର ଏଭଳି ବିପର୍ଯ୍ୟୟ କାହିଁକି ହେଲା ତାହାର କାରଣ ଖୋଜିବାକୁ ଖୁବଶୀଘ୍ର କମିଟି ଗଠନ ହେବ ବୋଲି ଦଳର ବରିଷ୍ଠ ନେତା କହି ସାରିଛନ୍ତି ।  ଶୀର୍ଷସ୍ତରରୁ ତୃଣମୂଳସ୍ତର ପର୍ଯ୍ୟନ୍ତ ବିଜେଡିର ପରାଜୟକୁ ନେଇ ମାନସମନ୍ଥନ ଚାଲିବ । ତେବେ ଏସବୁ ଭିତରେ ଆଜି ବିଜେଡିର ପରାଜୟ ପଛର କାରଣ କହିଛନ୍ତି ୩ ଦଳର ନେତା ।

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ଆଞ୍ଚଳିକ, ବ୍ୟକ୍ତିଗତ ଓ ୟୁନିଭରସାଲ କାରଣ ପାଇଁ ଆମେ ନିର୍ବାଚନ ହାରିଲୁ । ପରାଜୟ ପଛର କାରଣ ତର୍ଜମା କରାଯିବ । ବରିଷ୍ଠ ନେତୃତ୍ୱଙ୍କୁ ନେଇ କମିଟି ଗଠନ କରାଯିବ ଏବଂ ସବୁ ଦିଗକୁ ତର୍ଜମା କରାଯିବ ତାକୁ ଗଣମାଧ୍ୟମ ମାଧ୍ୟମରେ ସାରା ଓଡିଶାକୁ ଜଣାଇ ଦିଆଯିବ ।

ସେହିଭଳି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ବିଜେଡି ହାରିବା ପଛରେ ଅନେକ କାରଣ ଅଛି । ନିର୍ଦ୍ଦିଷ୍ଟ ଗୋଟିଏ କାରଣ ନାହିଁ । ସରକାର ଭଲ ପ୍ରଦର୍ଶନ କରିପାରିଲେନି । ଓଡ଼ିଶା ରାଜ୍ୟ ପଛେଇଲା, ରାଜ୍ୟ ଯୁବକ ବେକାର ହେଲେ । ଚାଷୀଙ୍କ ଅବସ୍ଥା ବେହାଲ ହେଲା । କେବଳ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ସରକାର ପରିବର୍ତ୍ତନ ହୁଏ ନାହିଁ । ପାଣ୍ଡିଆନଙ୍କ ପ୍ରସଙ୍ଗରେ ଜୟନାରାୟଣ କହିଛନ୍ତି, ତାଙ୍କ କଥା କାହିଁକି ପଚାରୁଛ । ସେ ନବୀନ ପଟ୍ଟନାୟକଙ୍କ ପାଇଁ ସର୍ବେସର୍ବା ହୋଇଥିବେ ଆମ ପାଇଁ ନୁହେଁ ବୋଲି କହି କଟାକ୍ଷ କରିଛନ୍ତି ଜୟନାରାୟଣ ।

ଅନ୍ୟପଟେ ଜୟପୁର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଅହଙ୍କାର କାରଣରୁ ବିଜେଡି ହାରିଲା । ତାଙ୍କ ଅହଙ୍କାର ପାଇଁ ବିଜେଡି ହାରିଛି । ପାଣ୍ଡିଆନ ପ୍ରସଙ୍ଗ ମଧ୍ୟ ଏକ କାରଣ ହୋଇ ଥାଇପାରେ । ବିଭିନ୍ନ କାରଣରୁ ଗୋଟିଏ ଦଳ ହାରେ ଓ ବିଭିନ୍ନ କାରଣରୁ ଗୋଟିଏ ଦଳ ଜିତେ ବୋଲି କହିଛନ୍ତି ତାରାପ୍ରସାଦ ବାହିନୀପତି ।