ବିଜେପିକୁ ଯିବେ କି ଗୋପାଳପୁର ବିଧାୟକ? ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଲେ ପ୍ରଦୀପ ପାଣିଗ୍ରାହୀ । କ’ଣ କହିଲେ ପଢ଼ନ୍ତୁ…
କନକ ବ୍ୟୁରୋ: ବିଜେପିକୁ ଯିବେ କି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ? ଗତ କିଛି ଦିନ ହେବ ରାଜ୍ୟ ରାଜନୀତିକୁ ଖୁବ୍ ସରଗରମ କରିଛି ଏହି ଖବର । ଏହାରି ଭିତରେ ଖୋଦ୍ ପ୍ରଦୀପ ପାଣିଗ୍ରାହୀ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, କେଉଁ ଦଳକୁ ଯିବି କିଛି ନିଷ୍ପତ୍ତି ନେଇନାହିଁ ।

Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ରାଜଭବନରେ ରାଜ୍ୟପାଳଙ୍କ ଶପଥ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ବସିବାକୁ ସଂଯୋଗ ବୋଲି କହିଛନ୍ତି ପ୍ରଦୀପ । କାରଣ ମୋତେ ନିମନ୍ତ୍ରଣ ମିଳିଥିଲା ଏବଂ ମୁଁ ଯାଇଥିଲି । ମୋର ଗୋଟିଏ ପାଖରେ ବାଚସ୍ପତି ଏବଂ ଅନ୍ୟ ପାଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିଲେ । ତେଣୁ ଏହା ଏକ ସଂଯୋଗ ଛଡ଼ା ଅନ୍ୟ କିଛି ନୁହେଁ । ବିଜେଡି କେଉଁଠୁ ଏସବୁ ଖବର ପାଇଲା, ସେ ନେଇ ପ୍ରଶ୍ନ କରିବା ସହ ଏଜେନ୍ସି ଲଗାଇ ଡାବା ମାରୁଛି ବୋଲି ପ୍ରଦୀପ କହିଛନ୍ତି ।
ସେପଟେ ପ୍ରଦୀପଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ଗଂଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉପଟ୍ଟନାୟକ କହିଛନ୍ତି, ପ୍ରଦୀପ ପାଣିଗ୍ରାହୀ କେଉଁ ଦଳରେ ଯୋଗଦେବେ, ସେନେଇ ବିଜେଡି ଆଦୌ ଭୟଭୀତ ନୁହେଁ । ପ୍ରଦୀପ, ବିଜେପି ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ଆଲୋଚନା କରୁଛନ୍ତି । ପୂର୍ବରୁ ତାଙ୍କ ବିରୋଧରେ ଯେତେବେଳେ ଅଭିଯୋଗ ଆସିଥିଲା, ସେତେବେଳେ ଉଭୟ ବିଜେପି ଓ କଂଗ୍ରେସ ସମାଲୋଚନା କରିଥିଲେ । ତେଣୁ ଏଭଳି ନେତାଙ୍କୁ ନେବା ପୂର୍ବରୁ କୌଣସି ଦଳ ସତର୍କ ହେବା ଦରକାର । କାରଣ ପ୍ରଦୀପ ପାଣିଗ୍ରାହୀ କେବେବି ଲୋକଙ୍କ ପାଇଁ ନୁହେଁ ବରଂ ସମାଜର କ୍ଷତି ପାଇଁ କରନ୍ତି ବୋଲି ରମେଶ ଚ୍ୟାଉ ପଟ୍ଟନାୟକ କହିଛନ୍ତି ।