କଟକ ବାଲିଯାତ୍ରା ପଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସରକାରର ୪ର୍ଥ ବର୍ଷ ପୂର୍ତ୍ତି ସଫଳତା ଉତ୍ସବ ପାଳନ କରିଛନ୍ତି । କଟକରେ ଆୟୋଜିତ ହୋଇଥିବା ଜନକଲ୍ୟାଣ ସମାବେଶ ବିଜେପି ୪ ବର୍ଷରେ କଣ ସବୁ ସଫଳତା ହାସଲ କରିଛି ତାର ହିସାବ ନିକାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏବଂ ଏହି ଜନକଲ୍ୟାଣ ସମାବେଶ ପାଇଁ ରାଜ୍ୟ ବିଜେପିର ସମସ୍ତ ବରିଷ୍ଠ ନେତାମାନେ ମୋଦିଙ୍କ ସ୍ୱାଗତ ପାଇଁ ଦିନ ରାତି ଏକ କରିଦେଇଥିଲେ । ତେବେ ଏହି ଗସ୍ତର ମୂଳ ଲକ୍ଷ୍ୟ ହେଉଛି କିଭଳି ପୂର୍ବଭାରତରେ ମୋଦି ମ୍ୟାଜିକ ଲହରରେ ନବୀନଙ୍କ ଗଡକୁ ଦଖଲ କରିବ ବିଜେପି । କିନ୍ତୁ ଓଡିଶାକୁ ବିକାଶର ପ୍ରୟୋଗ ଶାଳା କରିବାକୁ ବାରମ୍ବାର ମୋଦି କହୁଥିବା ବେଳେ ରାଜ୍ୟ ବିଜେପିର କ୍ୟାମ୍ପ ଭିତରେ ଏକତା ନାହିଁ । କାରଣ କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ଜନକଲ୍ୟାଣ ସମାବେଶକୁ ରାଜ୍ୟ ବିଜେପିର କେନ୍ଦ୍ରମନ୍ତ୍ରୀ ଗଣ, ସମସ୍ତ ବରିଷ୍ଠ ନେତାଙ୍କ ସହ ଦଳୀୟ କର୍ମୀଙ୍କ ଉପସ୍ଥିତି ଥିବାବେଳେ କିନ୍ତୁ ଦଳ ପ୍ରମୁଖ ନେତା ବିଜୟ ମହାପାତ୍ର ଓ ବିଧାୟକ ଦିଲ୍ଲୀପ ରାୟ ଏହି ଜନକଲ୍ୟାଣ ସଭାରେ ଯୋଗ ଦେଇ ନାହାଁନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ବିଜେପିର ଏହି ଦୁଇ ହେଭିୱେଟ ନେତା କାହିଁକି ଏହି ସଭାରେ ଯୋଗଦେଲେନି ତାହା ଓଡିଶାବାସୀଙ୍କ ମନକୁ ଅନ୍ଦୋଳିତ କରୁଥିବ ନିଶ୍ଚିତ । ସଭାକୁ ଦୁହିଁକୁ ଡ଼କାଯାଇଛି ନା ନାହିଁ ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ଯଦି ଡ଼କାଯାଇଛି ତେବେ କାହିଁକି ଉଭୟ ନେତା ମୋଦିଙ୍କ କାର୍ଯ୍ୟକ୍ରମରୁ ଦୂରେଇ ରଖିଲେ । ଏଭଳି ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ ଆପଣଙ୍କୁ ମନେ ପକାଇ ଦେଉଛୁ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ରାଉରକେଲାରେ ସୁପର ସ୍ପେଶାଲିଟି ଡାକ୍ତରଖାନା ପ୍ରତିଷ୍ଠାକୁ ନେଇ ଦିଲ୍ଲୀପ ରାୟ ଦଳୀୟ କାର୍ଯ୍ୟକ୍ରମ ଠାରୁ ଦୂରେଇ ରହିଥିବା ଅନେକ ସମୟରେ ଦେଖାଯାଇଛି । ସେହିଭଳି ଗତ କିଛିମାସ ତଳେ ମହାନଦୀ ପ୍ରସଙ୍ଗରେ କେନ୍ଦ୍ରକୁ ବାରମ୍ବାର ପାଲଟା ପ୍ରଶ୍ନ କରି ଦଳର କୋଣଠେସା ନେତାଭାବେ ଗଣତି ହେଉଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ।
ଏଭଳି ସମୟରେ ମୋଦି ଦେଖୁଥିବା ପୂର୍ବଭାରତର ସ୍ୱପ୍ନ ଅଧୁରା ରହିଯିବନି ତ? ଦଳରେ ଥିବା ଏଭଳି ମନ ମତାନ୍ତର ଓ ଅର୍ନ୍ତକନ୍ଦଳର ଫାଇଦା ଅନ୍ୟ ଦଳ ଉଠାଇବ କି ? ନାଁ ବାରମ୍ବାର ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉ ନଥିବା ଦୁଇ ନେତା ଆଗକୁ କିଛି ବଡ ନିଷ୍ପତି ନେବେ କି ଏଭଳି ତମାମ ପ୍ରଶ୍ନର ଉତ୍ତର ୨୦୧୯ ନିର୍ବାଚନ ପୂର୍ବରୁ ହିଁ ଲୋକସମ୍ମୁଖକୁ ଆସିଯିବ ବୋଲି ଜଣାପଡୁଛି ।