କନକ ବ୍ୟୁରୋ : କେନ୍ଦ୍ରରେ ଏନଡିଏ ସରକାର ଗଠନ ହେବା ପରେ ବିହାର ଓ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଦାବି ଜୋର ଧରିଛି । ବିହାରରେ ସରକାରରେ ଥିବା ଜେଡିୟୁ ଓ ଆନ୍ଧ୍ରପ୍ରଦେଶରେ ସରକାରରେ ଥିବା ଟିଡିପି ଏନଡିର ସହଯୋଗୀଦଳ ହୋଇଥିବାରୁ ଏହା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି ।
ସେପଟେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତାର ଇତିହାସକୁ ଯଦି ନଜର କରିବା ତେବେ ଭାରତୀୟ ସମ୍ବିଧାନରେ ବିଶେଷ ରାଜ୍ୟପାହ୍ୟା ଦେବାର କୌଣସି ବ୍ୟବସ୍ଥା ନାହିଁ । ୧୯୬୯ ମସିହାରେ ପଂଚମ ଅର୍ଥ ଆୟୋଗ ଗାଡଗିଲ କମିଟିର ସୂତ୍ର ଆଧାରରେ ୩ଟି ରାଜ୍ୟକୁ ସ୍ୱତନ୍ତ୍ର୍ର ରାଜ୍ୟପାହ୍ୟା ମାନ୍ୟତା ଦେବାକୁ ପରାମର୍ଶ ଦେଇଥିଲେ । ଏହି ୩ଟି ରାଜ୍ୟ ଏପରି ରାଜ୍ୟ ଥିଲା ଯେ, ଯାହା ଅନ୍ୟ ରାଜ୍ୟର ସାମାଜିକ ଏବଂ ଆର୍ଥିକ ଦୃଷ୍ଟି କୋଣରୁ ପଛୁଆ ଥିଲେ । ଏହି ରାଜ୍ୟ ଗୁଡିକ ହେଉଛନ୍ତି ଆସାମ, ନାଗାଲାଣ୍ଡ ଏବଂ ଜାମ୍ମୁ କାଶ୍ମୀର ।
ଏହି ୩ଟି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା ପରେ ମଧ୍ୟ ଅନ୍ୟ କେତେକ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୧୧ଟି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ମିଳିଛି । ଏହି ସବୁ ରାଜ୍ୟ ହେଉଛି ,ଆସାମ, ନାଗାଲାଣ୍ଡ, ମଣିପୁର, ମେଘାଳୟ, ସିକ୍କିମ୍, ତ୍ରିପୁରା, ଅରୁଣାଚଳ ପ୍ରଦେଶ, ମିଜୋରାମ୍, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ତେଲେଙ୍ଗାନା । ବର୍ତ୍ତମାନ ବିହାର ଏବଂ ଆନ୍ଧ୍ରପ୍ରଦେଶ ଏକ ମାତ୍ର ରାଜ୍ୟ ନୁହନ୍ତି ଯିଏ ସ୍ୱତନ୍ତ୍ର ରାଜ୍ୟ ପାଇଁ ଦାବି କରୁଛନ୍ତି । ଦୀର୍ଘ ଦିନଧରି ଓଡିଶା, ରାଜସ୍ଥାନ ଏବଂ ଗୋଆ ସ୍ୱତନ୍ତ୍ର ରାଜ୍ୟ ପାଇଁ ମାନ୍ୟତା ଦାବି କରିଆସୁଛନ୍ତି ।
ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିବା ରାଜ୍ୟଗୁଡିକ କେନ୍ଦ୍ରସରକାରଙ୍କ ଠାରୁ ଅନେକ ସୁବିଧା ପାଇଥାନ୍ତି । ଯେମିତି କି, କେନ୍ଦ୍ରସରକାର ଦେଇଥିବା ରାଶି ମଧ୍ୟରୁ ୯୦ ପ୍ରତିଶତ ଅନୁଦାନ ହୋଇଥିବା ବେଳେ ୧୦ ପ୍ରତିଶତ ରାଶି ବିନା ସୁଧରେ ଦିଆଯାଏ । ଅବଶିଷ୍ଟ ରାଜ୍ୟ ଗୁଡିକ କେବଳ ୩୦ ପ୍ରତିଶତ ଅନୁଦାନ ପାଇଥାନ୍ତି ଓ ବାକି ୭୦ ପ୍ରତିଶତ ଲୋନ ଭାବରେ ଦିଆଯାଏ ।ସବୁଠାରୁ ବଡ କଥା ହେଉଛି କେନ୍ଦ୍ରିୟ ବଜେଟ୍ ରେ ଯୋଜନାବ୍ୟୟ ପାଇଁ ସ୍ଥିର ହୋଇଥିବା ଅର୍ଥର ୩୦ ଶତକଡା ସ୍ୱତନ୍ତ୍ର୍ର ରାଜ୍ୟକୁ ମିଳିଥାଏ ।
ଆନ୍ଧ୍ରପ୍ରଦେଶର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ପ୍ରମାଣ କରିଛନ୍ତି ଯେ, ୨୦୧୪ ରେ ରାଜ୍ୟ ଦୁଇ ଭାଗରେ ବିଭକ୍ତ ହେବା ପରେ କେନ୍ଦ୍ର ଦେଇଥିବା ବିଶେଷ ସହାୟତା ପାଣ୍ଠି ଯଥେଷ୍ଟ ହେଉନାହିଁ । ବିହାରର ମଧ୍ୟ ପରିସ୍ଥିତି ଏକ ପ୍ରକାର ସମାନ ଅଟେ ୨୦୦୦ ମସିହାରେ ବିହାରକୁ ଦୁଇଟି ରାଜ୍ୟରେ ବିଭକ୍ତ କରାଯାଇଥିଲା । ବିହାରରୁ ଅଲଗା ହୋଇ ଝାଡଖଣ୍ଡ ସ୍ୱତନ୍ତ୍ର ରାଜ୍ୟ ହୋଇଛି ।