କାହିଁକି ବିଜେଡି ଛାଡିଲେ ଭର୍ତ୍ତୃହରି ? କହିଲେ ସାଙ୍ଘାତିକ କାରଣ- ଦେଲେ ରାମାୟଣର ଉଦାହରଣ ?

910

କନକ ବ୍ୟୁରୋ: ଦୀର୍ଘ ବର୍ଷର ସମ୍ପର୍କ ତୁଟାଇ ବିଜେଡିରୁ ବିଦାୟ ନେଲେ ସାଂସଦ ଭର୍ତ୍ତୃହରି ମହତାବ । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଭର୍ତ୍ତୃହରି । ହଠାତ୍ ଏକ ପ୍ରେସମିଟ୍ କରି ବିଜେଡି ଛାଡିବା ନେଇ ଭର୍ତ୍ତୃହରି ସୂଚନା ଦେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।

ତେବେ ପ୍ରେସମିଟରେ ବିଜେଡି ଛାଡିବାର କାରଣ କହିଛନ୍ତି ଭର୍ତ୍ତୃହରି । ବିଜେଡି ଯେଉଁ ଲକ୍ଷ୍ୟ ନେଇ ଗଢା ହୋଇଥିଲା ଏବଂ ଯାହା କରାଯାଉଥିଲା ତାହା ଏବେ ବଦଳିଗଲାଣି । ଦଳର ସଂଚାଳନ ଏବଂ ପରିଚାଳନା ଯେଉଁଭଳି ଚାଲିଲା ସେଥିରେ ସଂଶୋଧନ ଆଣିବାକୁ ମୁଁ ବହୁବାର ଉଦ୍ୟମ କରିଛି କିନ୍ତୁ ତାହା ସଫଳ ହେଲାନି ।

ଏବଂ ପୁଣି ଯେତେବେଳେ ନିର୍ବାଚନ ଆସୁଛି ସେତେବେଳେ ଦଳଠୁ ଦୂରେଇଗଲେ ମୁଁ ସେ କାମ କରିପାରିବି ବୋଲି ଭାବୁଛି । ଯେତେବେଳେ ମୁଁ ଗୋଟେ ବନ୍ଧନରେ ରହିଯାଉଛି ଏବଂ ମୋ ଅନୁଭବକୁ ପ୍ରକାଶ କରିବାରେ ବାଧା ଦିଆଯାଉଛି ଏବଂ ଯଦି ବି କିଛି କହିଲି ତାକୁ କଦର୍ଥ କରି ସମାଲୋଚନା କରାଯାଉଛି ଭଲ ହେବ ମୁଁ ତହିଁରୁ ଦୂରେଇ ଯାଏ ବୋଲି ପ୍ରେସମିଟରେ ରହିଛନ୍ତି ଭର୍ତ୍ତୃହରି ।

ବିଗତ ୨ରୁ ଅଢେଇ ବର୍ଷ ହେବ ମୁଁ କୌଣସି ମତ ପ୍ରକାଶ କରୁନି । ତାର ଏକମାତ୍ର କାରଣ ହେଲା, ଯେଉଁମାନଙ୍କୁ କହି ସେମାନଙ୍କ ଆଚରଣର ସଂଶୋଧନ ପାଇଁ ଚାହୁଁଥିଲି ମୁଁ ବିଫଳ ହେଲି ତାହା ଏକ କାରଣ । ଧୈର୍ଯ୍ୟର ବି ଗୋଟେ ସୀମା ଥାଏ । ତାହା ସୀମା ଅତିକ୍ରମ କରିଗଲା । ସୀମା ଟପିଯିବା ନେଇ ରାମାୟଣର ଉଦାହରଣ ଦେଇ ଭର୍ତ୍ତୃହରି କହିଛନ୍ତି-ଧର୍ମରେ ଯିଏ ଥାଏ, ରାବଣ ବିରୋଧରେ ସଂଗ୍ରାମ କରିବାକୁ ଯିଏ ପଣ କରିଥାଏ ସିଏ ସାଗରକୁ ଯେତେ ଅନୁରୋଧ କଲେ ବି ତାପାଇଁ ବାଟ ଛଡା ହୋଇନଥିଲା । ତେଣୁ ପ୍ରଭୁ ଶ୍ରୀରାମ ଧନୁ ଉଠାଇଥିଲେ, ସାଗରକୁ ଶୁଖେଇବାକୁ ଧମକ ଦେଇଥିଲେ । ତେଣୁ ମୋର ସୌମ୍ୟକ ଶକ୍ତିରେ ମୋ କ୍ରୋଧକୁ କହିବାକୁ ଚାହିଁଛି ।ନବୀନଙ୍କୁ ଆପଣ ଶେଷ ଥର କେବେ ଭେଟିଥିଲେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ଭର୍ତ୍ତୃହରି କହିଛନ୍ତି- ଡାଏରୀ ଦେଖିବାକୁ ପଡିବ ।