କାହିଁକି ଭିଟାମାଟି ଛାଡିଥିଲେ ବାଂଲାଦେଶୀ? କ୍ୟାମେରା ଆଗରେ ଛାତିଥରା କାହାଣୀ କହିଲେ ୮୦ ବର୍ଷିୟା ବୃଦ୍ଧା ।

1,057

କନକ ବ୍ୟୁରୋ : ଲୋକସଭାରେ ପାରିତ ହୋଇଛି ନାଗରିକ ସଂଶୋଧନ ବିଲ୍ ୨୦୧୯ । ଏବେ କେବଳ ରାଜ୍ୟସଭାରେ ପାରିତ ହେବା ଅପେକ୍ଷାରେ ରହିଛି । ଏଭଳି ସ୍ଥିତିରେ ଓଡିଶାର କେନ୍ଦ୍ରାପଡାରେ ରହୁଥିବା ବାଂଲାଦେଶୀଙ୍କ ମଧ୍ୟରେ ଛନକା ପଶିଛି । ତେବେ ପାକିସ୍ତାନ ବିଭାଜନ ଏବଂ ବାଂଲାଦେଶ ଗଠନ ଭିତରେ ଶରଣାର୍ଥୀ କାହିଁକି ନିଜ ଦେଶ ଛାଡି ଭାରତର ଶରଣ ନେଇଥିଲେ , ତାହା କ୍ୟାମେରା ସାମନାରେ କହିଛନ୍ତି । ଶରଣାର୍ଥୀଙ୍କ ମୁହଁରେ ସେଦିନର ସେହି କାହାଣୀ ଶୁଣିଲେ ଦେହ ଶିତେଇ ଉଠିବ ।

ପାକିସ୍ତାନରୁ ବାଂଲାଦେଶ ଅଲଗା ହେବା ସମୟରେ ସୁବାସିନୀଙ୍କ ଭଳି ହଜାର ହଜାର ଲୋକ ଭିଟାମାଟି ଛାଡ଼ି ଚାଲି ଆସିଥିଲେ ବହୁତ ଦୂର । କାରଣ, ଘରୁ ଟାଣି ନେଇ କରାଯାଉଥିଲା ଦୁଷ୍କର୍ମ, ପାଦେ ପାଦେ ଥିଲା ମୃତ୍ୟୁର ଭୟ । ଆଉ ଶେଷରେ ଏହି ବାଂଲାଦେଶୀଙ୍କ ଠିକଣା ପାଲଟିଥିଲା କେନ୍ଦ୍ରାପଡ଼ା । ଜୀବନ ଭୟ ଓ ଇଜ୍ଜତ ବଂଚାଇବା ଆଶାରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଏହି ଅପନ୍ତରା ସ୍ଥାନରେ ମୁଣ୍ଡ ଗୁଞ୍ଜିଥିଲେ ହଜାର ହଜାର ଲୋକ । ସାଂପ୍ରଦାୟିକ ଭେଦଭାବ, ନିର୍ଯାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା ଭଳି ଜଘନ୍ୟ ପ୍ରତାଡ଼ନା ଭିତରେ ଓଡ଼ିଶା ଚାଲିଆସିଥିଲେ ବାଂଲାଦେଶୀ ଶରଣାର୍ଥ ।

ପାକିସ୍ତାନ ବିଭାଜନ ଏବଂ ବାଂଲାଦେଶ ଗଠନ ଭିତରେ ଲକ୍ଷ ଲକ୍ଷ ଲୋକ ବାସହରା ହୋଇଗଲେ । ଆଉ ଏହା ପଛରେ ଥିଲା ଧାର୍ମିକ ବିଦ୍ୱେଷ । ୧୯୭୧ ମସିହାରେ ଯେତେବେଳେ ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ, ଏହି ଶରଣାର୍ଥୀଙ୍କୁ ଭାରତ ବିଭିନ୍ନ ପ୍ରାନ୍ତରେ ଥଇଥାନ କରିଥିଲେ । ଆଉ ଏହି କ୍ରମରେ ମହାକାଳପଡ଼ା ବ୍ଲକର ଜମ୍ବୁ, ରାମନଗର, ବତୀଘର, ସୁନୀତା, ଫର୍ନାସୀ ଆଦି ପଂଚାୟତରେ ଏହି ଭଳି ହଜାର ହଜାର ବାଂଲାଦେଶୀଙ୍କ ଥଇଥାନ ହୋଇଥିଲା ।

ଏହି ନିର୍ଯାତନାର କାହାଣୀ ହିଁ ଲୋକସଭାରେ ଦୋହରାଇଥିଲେ ଗୃହମନ୍ତ୍ରୀ ଅମିତ ଶାହା, ଯେତେବେଳେ ସୋମବାର ମଧ୍ୟରାତ୍ରୀରେ ନାଗରିକ ସଂଶୋଧନ ବିଲ୍ ନେଇ ବିତର୍କ ଚାଲିଥିଲା । ଆଉ ଆଜି ଯେତେବେଳେ ନାଗରିକ ସଂଶୋଧନ ବିଲ୍ ୨୦୧୯ ଲୋକସଭାରେ ପାରିତ ହୋଇଛି ଏବଂ ରାଜ୍ୟସଭାରେ ପାରିତ ହେବା ଅପେକ୍ଷାରେ ରହିଛି, ଠିକ୍ ସେତିକି ବେଳେ ଏହି ବାଂଲାଦେଶୀ ଶରଣାର୍ଥୀଙ୍କ ମନରେ ଛନକା ପଶିଛି । କିନ୍ତୁ ଏହି ଶରଣାର୍ଥୀଙ୍କୁ ବିଚଳିତ ହେବାର କୌଣସି କାରଣ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଗୃହମନ୍ତ୍ରୀ ।