ଗତ ସପ୍ତାହରେ ନୂଆଦିଲ୍ଲୀରେ ଅନୁଷ୍ଠିତ G-20 ଶିଖର ସମ୍ମିଳନୀରେ ଭାରତ ବାଂଲାଦେଶକୁ ଏକ ବିଶେଷ ଅତିଥି ଭାବରେ ନିମନ୍ତ୍ରଣ କରିଥିଲା ।

Advertisment

ବାଂଲାଦେଶ ଏକମାତ୍ର ପଡୋଶୀ ଦେଶ ଯାହାକୁ  G-20 ରେ ଭାରତ ନିମନ୍ତ୍ରଣ କରିଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୮ ରେ ତାଙ୍କ ବାସଭବନରେ ଦ୍ୱିପାକ୍ଷିକ ବୈଠକ କରିଥିଲେ ଏଥିରେ ତିନୋଟି ଦେଶ ସାମିଲ ହେଇଥିଲେ । ମରିସସ୍ ଏବଂ ଆମେରିକା ସହିତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଶେଖ ହସିନାଙ୍କ ସେଲଫି ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ତାଙ୍କ ଫଟୋ  ସୋସିଆଲ ମିଡିଆରେ ବହୁ ଚର୍ଚ୍ଚିତ ହୋଇଥିଲା।କେବଳ ଏତିକି ନୁହେଁ, ଜି -20 ସମାପ୍ତ ହେବା ମାତ୍ରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଢାକା ଗସ୍ତରେ ଯାଇଥିଲେ ।  ଶେଖ ହସିନା ନିଜେ ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିବାକୁ ଆସିଥିଲେ। ଏହାପୂର୍ବରୁ ରୁଷର ବୈଦେଶିକ ମନ୍ତ୍ରୀ ସରଗେଇ ଲାଭ୍ରୋଭ ବାଂଲାଦେଶ ଗସ୍ତରେ ଯାଇଥିଲେ। କୌଣସି ରୁଷ ବୈଦେଶିକ ମନ୍ତ୍ରୀଙ୍କ ଏହା ପ୍ରଥମ ବାଂଲାଦେଶ ଗସ୍ତ ଥିଲା ।

G-20 ଶିଖର ସମ୍ମିଳନୀ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ହେଇଥିବା ବ୍ରିକ୍ସ ଶିଖର ସମ୍ମିଳନୀକୁ ବାଂଲାଦେଶକୁ ନିମନ୍ତ୍ରଣ କରାଯାଇଥିଲା। ବାଂଲାଦେଶ ବ୍ରିକ୍ସର ସଦସ୍ୟ ନୁହେଁ କିମ୍ବା G-20 ର ସଦସ୍ୟ ନୁହେଁ କିନ୍ତୁ ଉଭୟ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ଫୋରମରେ ଏହାକୁ ଏକ ବିଶେଷ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା । ଭାରତ ଉଭୟ ବ୍ରିକ୍ସ ଏବଂ G-20 ର ସଦସ୍ୟ, ତେଣୁ ବାଂଲାଦେଶକୁ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀୟ ସ୍ତରରେ ସ୍ଥାନ ଦେବା ପାଇଁ ଭାରତ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହିଁ ।

ଏଠି ସାଧାରଣତଃ ଦୁଇଟି ପ୍ରଶ୍ନ ଉଠେ ।

ପ୍ରଥମତଃ ଆନ୍ତର୍ଜାତୀୟ ଫୋରମରେ ବାଂଲାଦେଶର ଗୁରୁତ୍ୱ କାହିଁକି ବୃଦ୍ଧି ପାଇଲା ଏବଂ ଭାରତ ବାଂଲାଦେଶକୁ କାହିଁକି ଏତେ ଗୁରୁତ୍ୱ ଦେଉଛି ?

୧୯୭୧ ମସିହାରେ ବାଂଲାଦେଶ ପାକିସ୍ତାନଠାରୁ ଅଲଗା ହୋଇ ନୂତନ ଦେଶ ଭାବେ ସ୍ଥାପନା ହୋଇଥିଲା । କିନ୍ତୁ ବର୍ତ୍ତମାନ ଅନେକ ପ୍ରସଙ୍ଗରେ ଏହା ପାକିସ୍ତାନକୁ ବହୁ ପଛରେ ପକାଇ ଦେଇଛି । ଯଦିଓ ପାକିସ୍ତାନ ଆଣବିକ ଶକ୍ତିସମ୍ପନ୍ନ ଦେଶ କିନ୍ତୁ ଆନ୍ତର୍ଜାତୀୟ ଫୋରମରେ ପାକିସ୍ତାନ ଅପେକ୍ଷା ବାଂଲାଦେଶର ବିଶ୍ୱସନୀୟତା ଢେର ଅଧିକ ବୃଦ୍ଧି ପାଇଛି ଏବଂ ଏହା ଆର୍ଥିକ ଦୃଷ୍ଟିରୁ ଅଧିକ ସ୍ଥିର ଏବଂ ଶକ୍ତିଶାଳୀ ଅଟେ।

ଭାରତ ବାଂଲାଦେଶକୁ ନେଇକି କାହିଁକି ଏତେ ବ୍ୟଗ୍ର ?

ବାଂଲାଦେଶ ରାଜନୀତିର ଦୁଇ ବଡ ପ୍ରମୁଖ ତଥା ପ୍ରତିଷ୍ଠିତ ଚେହେରା ହେଉଛି ବାଂଲାଦେଶ ଆୱାମୀ ଲିଗର ଶେଖ ହସିନା ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)ର ଖାଲିଦା ଜିଆ । ଶେଖ ହସିନାଙ୍କ ପାର୍ଟି ଆୱାମୀ ଲିଗ୍ ଗତ ୧୪ ବର୍ଷ ଧରି ବାଂଲାଦେଶରେ କ୍ଷମତାରେ ଅଛି ଏବଂ ସେ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ୨୦୧୪ ସାଧାରଣ ନିର୍ବାଚନକୁ ବହିଷ୍କାର କରିଥିଲା । ​​ଏବଂ ୨୦୧୮ ନିର୍ବାଚନରେ ​​ଏହା ମାତ୍ର ସାତୋଟି ସିଟ୍ ଜିତିଥିଲା। ବିଶେଷଜ୍ଞ ମାନେ କୁହନ୍ତି ଯେ ଭାରତ ବାଂଲାଦେଶରେ ଶେଖ ହସିନାଙ୍କ ସରକାର ଦେଖିବାକୁ ଚାହୁଁଛନ୍ତି। ସେମାନଙ୍କ କହିବ ଅନୁସାରେ “ ଖାଲିଦା ଜିଆଙ୍କ  ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି କଟ୍ଟର ଇସଲାମିକ ମୋଳବାଦୀ ମାନଙ୍କୁ ସମର୍ଥନ ଦେଇଆସୁଛି । ସେ ସବୁବେଳେ ପାକିସ୍ତାନ ପାଇଁ  ଓକିଲାତି କରିଆସୁଛନ୍ତି ।  ଯାହା ଚୀନ୍ ପାଇଁ ଲାଭଦାୟକ ଅଟେ କାରଣ ଚୀନ୍ ଏବଂ ପାକିସ୍ଥାନ ଉଭୟ ଭାରତ ବିରୋଧୀ ଏବଂ ଭଲ ବନ୍ଧୁ ଅଟନ୍ତି । ଅପରପଟେ ଆୱାମୀ ଲିଗ୍ ସରକାର ଉଦାରବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ପଦ୍ଧତି ଉପରେ ବିଶ୍ୱାସ କରେ । ଏହି କାରଣରୁ ଭାରତ ବାଂଲାଦେଶ ଅଧିକ ପସନ୍ଦ କରେ। ”ଏଭଳି ପରିସ୍ଥିତିରେ ଭାରତ କେବେ ବି ଚାହିଁବ ନାହିଁ କି ପଡ଼ୋଶୀ ବାଂଲାଦେଶରେ ଏପରି ସରକାର ରହୁ ଯିଏ ଆମର ଶତ୍ରୁଦେଶକୁ ସମର୍ଥନ ଦେବ । ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)କୁ କେବଳ ପାକିସ୍ତାନ ନୁହେଁ ଚୀନ୍ ମଧ୍ୟ ସମର୍ଥନ କରୁଛି। ବାଂଲାଦେଶ ସହିତ ଭାରତର ଏକ ସୁଦୀର୍ଘ ସୀମାରେଖା ଲାଗିଛି ।  ଦୁଇ ଦେଶ ମଧ୍ୟରେ ବହୁ ପୁରୁଣା ସାମାଜିକ-ଅର୍ଥନୈତିକ ତିକ ସମ୍ପର୍କ ରହିଛି  ଯାହାକୁ ଭାରତ ଦୁର୍ବଳ କରିବାକୁ ଚାହୁଁନାହିଁ।

ଶେଖ ହସିନା ସରକାର ଭାରତ ପାଇଁ ଭଲ 

ବାଣିଜ୍ୟ ଦୃଷ୍ଟିରୁ ଦକ୍ଷିଣ ଏସିଆରେ ବାଂଲାଦେଶ ହେଉଛି ଭାରତର ସବୁଠାରୁ ବଡ ଭାଗିଦାରୀ । ଯଦି ବାଂଲାଦେଶ ଏସିଆର କାହାକୁ ସର୍ବାଧିକ ସାମଗ୍ରୀ ବିକ୍ରି କରୁଥାଏ ତେବେ ଏହା ହେଉଛି ଭାରତ ।  ଦୁଇ ଦେଶ ମଧ୍ୟରେ ୨ ହଜାର କୋଟିରୁ ଅଧିକ ଆମେରିକୀୟ ଡଲାରର ବାଣିଜ୍ୟ କାରବାର ହେଉଛି । ଶେଖ ହସିନା କ୍ଷମତାକୁ ଆସିବା ପରଠାରୁ ଉଭୟ ଦେଶ ମଧ୍ୟରେ ବଣିଜ୍ୟ କାରବାରରେ ଢେର ବୃଦ୍ଧି ଘଟିଛି ।

ବିଶେଷଜ୍ଞ ମାନେ କହନ୍ତି ଯେ “ଭାରତ ଏହାର‘ ଆକ୍ଟ ଇଷ୍ଟ ’ନୀତି ପାଇଁ ବାଂଲାଦେଶକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରେ। ଆମର ପୂର୍ବୋତ୍ତର ରାଜ୍ୟଗୁଡିକ ଏବଂ ବାଂଲାଦେଶ ପରସ୍ପରକୁ ଘେରି ରହିଛନ୍ତି। ସେଗୁଡ଼ିକର  ବିକାଶ ଏବଂ ସଂଯୋଗ ପାଇଁ ବାଂଲାଦେଶର ସମର୍ଥନ ଆବଶ୍ୟକ ଏବଂ ଏହା ବାଂଲାଦେଶ ପାଇଁ ମଧ୍ୟ ପ୍ରଯୁଜ୍ୟ ।

ଭାରତ ପ୍ରଥମେ ଯେତେବେଳେ ବାଂଲାଦେଶର ଚଟଗାଁଓ ବନ୍ଦରକୁ ବ୍ୟବହାର କରିବାକୁ ଅନୁରୋଧ କରିଥିଲା ସେତେବେଳେ ଶେଖ ହସିନା ସରକାର ଏହାକୁ ଅଗ୍ରାହ୍ୟ କରିଦେଇଥିଲା ଏବଂ ପରେ ଅନୁମତି ଦେଇଥିଲା । ଏବେ ଭାରତ ଚଟଗାଁଓ ବନ୍ଦର ଦେଇ ପରିବହନ କରୁଛି । ପୂର୍ବରୁ ଭାରତକୁ ଅଗରତାଲା ଠାରୁ କୋଲକାତା ବନ୍ଦରକୁ ସାମଗ୍ରୀ ଆଣିବା ପାଇଁ ୧୫୦୦ କିଲୋମିଟରରୁ ଅଧିକ ଯାତ୍ରା କରିବାକୁ ପଡୁଥିଲା କିନ୍ତୁ ଆଜି ୨୦୦ କିଲୋମିଟରରୁ କମ୍ ଦୂରତାରେ ଏହି ସାମଗ୍ରୀ ଚଟଗାଁଓ ବନ୍ଦରକୁ ଅଣାଯାଇ ବିଶ୍ୱର ଯେ କୌଣସି ସ୍ଥାନକୁ ପଠାଯାଇ ପାରୁଛି । ଗତ ଆଠ ବର୍ଷ ମଧ୍ୟରେ ସଡ଼କ, ରେଳପଥ, ପରିବହନ ଏବଂ ବନ୍ଦର ଭଳି କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ପାଇଁ ଭାରତ ବାଂଲାଦେଶକୁ ପ୍ରାୟ ୮୦୦ କୋଟି ଆମେରିକୀୟ ଡଲାରର ଋଣ ପ୍ରଦାନ କରିଛି । ଏହା ବ୍ୟତୀତ ଅଖୌରା-ଅଗରତାଲା ରେଳ ଲିଙ୍କ, ଆନ୍ତର୍ଜାତୀୟ ଜଳପଥ ଏବଂ ମୈତ୍ରୀ ପାଇପଲାଇନ ଖୋଳିବା ପାଇଁ ଅନୁଦାନ ମଧ୍ୟ ଦେଇଛି ।

ଭାରତ ଦେଇଥିବା ଋଣ ମୁଖ୍ୟତ ବିକାଶ ସମ୍ବନ୍ଧୀୟ ପ୍ରକଳ୍ପଗୁଡ଼ିକ ପାଇଁ ଉଦ୍ଧିଷ୍ଟ ।  ଯାହା ପର୍ଯ୍ୟଟନ ଏବଂ ବାଣିଜ୍ୟ ପାଇଁ ବାଂଲାଦେଶକୁ ପୂର୍ବ ଭାରତ ସହ ଯୋଡିବାରେ ସହାୟକ ହେବ । କହିବାକୁ ଗଲେ ଏହା ଏକ ଋଣ  ନୁହେଁ ବରଂ ବିକାଶ ସହାୟତା ଯାହା ଭଲ ରିଟର୍ଣ୍ଣ ଦେଇଥାଏ । ଏପରି କରି ଭାରତ ବାଂଲାଦେଶକୁ ଶ୍ରୀଲଙ୍କା ପରି ଚୀନର ଋଣଯନ୍ତାରେ ପଡ଼ିବାକୁ ଦେବନାହିଁ ।

ସୀମା ସୁରକ୍ଷା ପାଇଁ ବାଂଲାଦେଶ ସହ ବନ୍ଧୁତା ଆବଶ୍ୟକ

ଭାରତ ବାଂଲାଦେଶ ସହିତ ପ୍ରାୟ ଚାରି ହଜାର କିଲୋମିଟର ସୀମାରେଖା ଲାଗିଛି ।  ତେଣୁ ଚୀନ୍ ଏବଂ ପାକିସ୍ଥାନ ପରି ଶତ୍ରୁଦେଶଗୁଡିକର ଆହ୍ବାନକୁ ଦୃଷ୍ଟିରେ ରଖି ଭାରତ ବାଂଲାଦେଶରେ ଏମିତି ଏକ ସରକାର ଆବଶ୍ୟକ କରୁଛି ଯିଏ ଏ ଦିଗରେ ଭାରତକୁ ସମର୍ଥନ ଦେବ । ଶେଖ ହସିନାଙ୍କ ପୂର୍ବ ସରକାର ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡିକରେ  ବିଚ୍ଛିନ୍ନତାବାଦୀମାନଙ୍କୁ ସହାୟତା ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ପୂର୍ବରୁ ବାଂଲାଦେଶରେ ଚାଲିଥିବା ଆତଙ୍କବାଦୀ ଶିବିର ଗୁଡିକ ବନ୍ଦ କରିବାରେ ଶେଖ ହସିନା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ବାଂଲାଦେଶ ସରକାର ସେଠାରେ ରହୁଥିବା ବିଚ୍ଛିନ୍ନତାବାଦୀ ଆନ୍ଦୋଳନର ବଡ ନେତାମାନଙ୍କୁ ଭାରତ ହସ୍ତାନ୍ତର କରିଥିଲେ, ଯେଉଁଥିରେ ULFA ନେତା ଅରବିନ୍ଦ ରାଜକୋୱା ଏବଂ ଅନ୍ୟାନ୍ୟ ବିଚ୍ଛିନ୍ନତାବାଦୀ ନେତା ମଧ୍ୟ ରହିଥିଲେ।

ଭାରତ ବାଂଲାଦେଶ ପାଇଁ ଓକିଲାତି କରୁଛି କି?

ଡିସେମ୍ବର ୨୦୨୧ ରେ ବାଂଲାଦେଶର ସାମରିକ ବାହିନୀ ରାପିଡ୍ ଆକ୍ସନ୍ ବାଟାଲିଅନ୍ (RAB) ଏବଂ ଏହାର ବହୁ ବରିଷ୍ଠ ଅଧିକାରୀଙ୍କ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଥିଲା। ମେ ୨୦୨୩ ରେ ବାଂଲାଦେଶର ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ଉପରେ ଭିସା ପ୍ରତିବନ୍ଧକ ଲାଗୁ କରିବାକୁ ଆମେରିକା ଚେତାବନୀ ଦେଇଥିଲା। ଆମେରିକା କହିଛି ଯେ ଯଦି ଏହା ରାଜନୈତିକ ଦଳ, ନାଗରିକ ଗୋଷ୍ଠୀ କିମ୍ବା ଗଣମାଧ୍ୟମର ଅଭିବ୍ୟକ୍ତିର ସ୍ୱାଧୀନତାକୁ ପ୍ରଭାବିତ କରେ ତେବେ ଏହି ପଦକ୍ଷେପ ଗ୍ରହଣ କରାଯିବ । କିଛି ପ୍ରସଙ୍ଗରେ ବାଂଲାଦେଶ ସରକାର ଏବଂ ଆମେରିକା ମଧ୍ୟରେ ନିଶ୍ଚିତ ଭାବେ ତିକ୍ତତା ରହିଛି କିନ୍ତୁ G-20 ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନର ପ୍ରଧାନମନ୍ତ୍ରୀ ସୁନକ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଶେଖ ହସିନାଙ୍କ ସାକ୍ଷାତ ଏହି ତିକ୍ତତାକୁ କମ କରିବାରେ ସଫଳ ହେଇଛି । ଏହା ନିଶ୍ଚିତ ଭାବରେ ଆମେରିକା ସହିତ ବାଂଲାଦେଶର ସମ୍ପର୍କକୁ ସୁଦୃଢ କରିବ ଏବଂ ବାଂଲାଦେଶ ଉପରେ  ଉପରେ ଚାପ କମିବ ।

ଗତ ଦଶନ୍ଧିରେ ଏହା ପ୍ରମାଣିତ ହୋଇଛି ଯେ ଶେଖ ହସିନା ଭାରତ ପାଇଁ ଜଣେ ଭଲ ବନ୍ଧୁ ।  ଏଭଳି ପରିସ୍ଥିତିରେ ଭାରତ ତାଙ୍କ ପାଇଁ ଓକିଲାତି କରିବା ସ୍ବାଭାବିକ ଅଟେ ।

ବିଶେଷଜ୍ଞ ମନେ କୁହନ୍ତି, “ବଡ଼ ବଡ଼ ଆମେରିକୀୟ ଏବଂ ୟୁରୋପୀୟ ଟେକ୍ସଟାଇଲ୍ କମ୍ପାନୀ ବାଂଲାଦେଶ ସହିତ କାରବାର କରୁଛନ୍ତି ଯଦି ଭବିଷ୍ୟତରେ ସମ୍ପର୍କ ଭଲରୁହେ ତେବେ ବାଂଲାଦେଶ ଟେକ୍ସଟାଇଲ୍ କୁ ଛାଡି ଅନ୍ୟକିଛି କ୍ଷେତ୍ରରେ ମଧ୍ୟ ବଡ଼ବଡ଼  ପ୍ରକଳ୍ପ ପାଇବାର ସମ୍ଭାବନା ରହିଛି ।”

ଆମେରିକାର ଇଣ୍ଡୋ ପାସିଫିକ୍ ନୀତି ପାଇଁ ବାଂଲାଦେଶର ସମର୍ଥନ ମଧ୍ୟ ଆବଶ୍ୟକ।

ଅନ୍ୟପଟେ  ଫ୍ରାନ୍ସ ବିରୁଦ୍ଧରେ ଆଫ୍ରିକାରେ ଅନେକ ଫ୍ରଣ୍ଟ ଗଠନ ଚାଲିଛି ।  ଏଭଳି ପରିସ୍ଥିତିରେ ସେ ଅର୍ଦ୍ଧ-ବିକଶିତ ତଥା ବିକଶିତ ଦେଶମାନଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି ।   ଆମେରିକା ଏବଂ ୟୁରୋପ ଚାହୁଁନାହାଁନ୍ତି ଯେ ବାଂଲାଦେଶ ଚୀନ୍ ଜାଲରେ ପଡୁ । କାରଣ ପୂର୍ବରୁ ମିଆଁମାର ଏବଂ ଶ୍ରୀଲଙ୍କାର ଚୀନ୍ ପ୍ରତି ଆଗ୍ରହୀ ଅଛନ୍ତି। ନେପାଳର ପାଶ୍ଚାତ୍ୟ ପ୍ରତି କୌଣସି ବିଶେଷ ଆଗ୍ରହ ନାହିଁ, ତେଣୁ ଏଭଳି ସ୍ଥିତିରେ ଆମେରିକା ଦକ୍ଷିଣ ଏସିଆରେ ଭଲ ସହଯୋଗୀ ମାନଙ୍କୁ ସହାୟତା ଦେଉଛି ।