କାହିଁକି ରାତି ଅଧରେ ହୋଇଥିଲା ବାଲାକୋଟ ଏୟାରଷ୍ଟ୍ରାଇକ୍? ଏହା ପଛର କାରଣ କହିଲେ ବାୟୁସେନା ମୁଖ୍ୟ

7,107

କାହିଁକି ଅଧ ରାତିରେ ହୋଇଥିଲା ବାଲାକୋଟ ଏୟାରଷ୍ଟ୍ରାଇକ । ଏହା ଉପରୁ ପରଦା ହଟାଇଛନ୍ତି ବାୟୁସେନା ମୁଖ୍ୟ ବିଏସ ଧନୱା । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ କନକ୍ଲେଭରେ ବାଲୋକୋଟ ଏୟାରଷ୍ଟ୍ରାଇକକୁ ନେଇ ବଡ  କଥା କହିଛନ୍ତି ବାୟୁସେନା ମୁଖ୍ୟ । ଭଲ ରଣକୌଶଳ ଜାଣିଥିବା ଦେଶ ରାତିରେ ହିଁ ଆକ୍ରମଣ କରିଥାନ୍ତି । ଗଲ୍ଫ ଯୁଦ୍ଧ ସମୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଏହି ଯୁଦ୍ଧର ଆରମ୍ଭ ରାତିରୁ ହିଁ ହୋଇଥିଲା ।

ବାୟୁସେନା ମୁଖ୍ୟଙ୍କ ଅନୁଯାୟୀ, ଯେଉଁ ଦେଶ ପାଖରେ ଭଲ ରଣକୌଶଳ ରହିଥାଏ ସେ ଦେଶ ରାତିରେ ଆକ୍ରମଣ କରିଥାନ୍ତି । ସେହିଭଳି ଯେଉଁ ଦେଶ ପାଖରେ ଯୁଦ୍ଧ ପାଇଁ ସେଭଳି ଖାସ୍ ରଣନୀତି ନଥାଏ ସେହି ଦେଶ ଦିନରେ ଆକ୍ରମଣ କରିଥାନ୍ତି । ଏହାପୂର୍ବରୁ ପଡୋଶୀ ପାକିସ୍ତାନ ବାରମ୍ବାର କହି ଆସୁଥିଲା ଯେ, ଭାରତ ରାତିରେ ଆକ୍ରମଣ କରି ପଳାୟନ କଲା । ତେବେ ଧନୱା କହିଛନ୍ତି, ପୁଲୱାମା ଆକ୍ରମଣ ପରେ ଫେବ୍ରୃଆରୀ ୨୬ରେ ବାଲାକୋଟରେ ଥିବା ଆତଙ୍କବାଦୀ ଶିବିରରେ ରାତି ଅଧିଆ ବମ ବର୍ଷା କରିଥିଲା ଭାରତୀୟ ବାୟୁସେନା । କେହି କିଛି ଭାବିବା ପୂର୍ବରୁ ଧ୍ୱଂସ ପାଇସାରିଥିଲା ଆତଙ୍କୀ ଶିବିର । ଆଉ ଏହାସହ ସଫଳ ହୋଇଥିଲା ଅପରେସନ ବନ୍ଦର ।

ଧନୱା କହିଛନ୍ତି, ରାତି ଅଧିଆ ଏହି ଅପରେସନ କରାଯାଇଥିବାରୁ ଭାରତକୁ ବଡ ସଫଳତା ମିଳିଥିଲା । ଏହାର ପରଦିନ ପାକିସ୍ତାନ ବାୟୁସେନାର ଯୁଦ୍ଧ ବିମାନ ଆକ୍ରମଣ କରିବାକୁ ଭାରତ ସୀମାକୁ ପଶିଥିଲା ।  ତେବେ ଭାରତୀୟ ସେନାର ପାଲଟା ଆକ୍ରମଣରେ ଆକାଶପଥରେ ହିଁ କ୍ରାସ ହୋଇଯାଇଥିଲା ପାକିସ୍ତାନର ଯୁଦ୍ଧ ବିମାନ । ତେବେ ଏହି ଅପରେସନରେ କେଉଁ ଅସ୍ତ୍ରଶସ୍ତ୍ର ବ୍ୟବହାର ହୋଇଥିଲା ସେ ବାବଦରେ କହିବାକୁ ମନା କରିଛନ୍ତି ବାୟୁସେନା ମୁଖ୍ୟ । କିନ୍ତୁ ସବୁ ପ୍ରକାର ଆକ୍ରମଣର ମୁକାବିଲା ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତ ଅଛି । କେବଳ ସରକାରଙ୍କ ନିଷ୍ପତି ଦେଲେ ବାୟୁସେନା ନିଜର ପରାକ୍ରମ ଦେଖାଇବ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ବିଏସ ଧନୱା ।