ଖାକି ଖଳନାୟକଙ୍କୁ ନିଲମ୍ବିତ କରି କାହିଁକି ଚୁପ୍ ବସିଛି ପୋଲିସ? ଲକଡାଉନ ଲକ୍ଷ୍ମଣରେଖା ପାର କରିଥିବା ଆଇଆଇସିଙ୍କୁ ହାତକଡି କେବେ ପିନ୍ଧାଇବ ପୋଲିସ?

1,344

କନକ ବ୍ୟୁରୋ : ଚୋରା ଗାଡିରେ ଆସିଲେ, ନିୟମ ଭାଙ୍ଗି ମନ୍ଦିରରେ ପଶିଲେ, ଆଉ ସତ ସାମ୍ନାକୁ ଆସିବା ପରେ ନିଲମ୍ବିତ ହେଲେ । ଗତ କାଲି ଠାରୁ ଆରମ୍ଭ ହୋଇଥିବା ଖାକି ଖଳନାୟକଙ୍କ କାହାଣୀରେ ବାସ୍ ନିଲମ୍ବିତର ଟ୍ୟାଗ ଲଗାଇଦେଇ ପୂର୍ଣ୍ଣଚ୍ଛେଦ ପକାଇଛି ଓଡ଼ିଶା ପୋଲିସ । ଲକଡାଉନ ନିୟମ ଭାଙ୍ଗିବା, ଚୋରା ଗାଡିରେ ଜିଲ୍ଲା ପରେ ଜିଲ୍ଲା ପାର କରି ପୁରୀରେ ପହଞ୍ଚିବା ପାଇଁ କଣ ଏହି ଦଣ୍ଡ । ନା ପୋଲିସ ବାବୁ ବୋଲି କମ ପଡିଗଲା ପନିସମେଣ୍ଟ । ହାତକଡି ବଦଳରେ ନିଲମ୍ବିତ କରି କାହିଁକି ହାତ ଟେକିଦେଲା ପୋଲିସ ବିଭାଗ । ବଡଚଣା ଆଇଆଇସି ଦୀପକ ଜେନାଙ୍କ ନିଲମ୍ବନକୁ ନେଇ ଏବେ ଉଠିଛି ପ୍ରଶ୍ନ ।

କେବେ ବନ୍ଧା ହେବେ ଖାକି ଖଳନାୟକ?
କେବଳ ନିଲମ୍ବିତ କରି ବସି ପଡିବ କି ଓଡ଼ିଶା ପୋଲିସ?
ଆଇଆଇସିଙ୍କ ଉପରେ ଆକ୍ସନ କେବେ?
ଆଇଆଇସିଙ୍କ ପାଇଁ କଣ ଅଲଗା ଆଇନ?
ଜିଲ୍ଲା ପାର ହେଲେ, ଜେଲ ଯିବେ କେବେ?

ତାଲାବନ୍ଦ ବେଳେ ଘରୁ ଗୋଡ କାଢିଲେ, କିମ୍ବା ବିନା କାରଣରେ ପଦାରେ ଗାଡି ଧରି ବୁଲିଲେ ସାଧାରଣ ଲୋକଙ୍କୁ ପୋଲିସର ଲାଠି ପାହାର ଖାଇବାକୁ ପଡୁଛି । କାହା ନାଁରେ ମାମଲା ରୁଜୁ ହେଉଛି ତ ପୁଣି କିଏ ଗାଡି ସହ ବନ୍ଧା ହୋଇ ଥାନାକୁ ଯାଉଛି । ଲକଡାଉନ ନିୟମ ପାଳନ ନକଲେ କଡା କାର୍ଯ୍ୟାନୁଷ୍ଠାନ ନେଇ ପୋଲିସ ବାହାବା ସାଉଁଟୁଛି । କିନ୍ତୁ ବଡଚଣା ଆଇଆଇସି ବଡ ଭୁଲ କରିବା ପରେ ବି କାହିଁକି ନିଲମ୍ବନରେ ଅଟକି ଯାଇଛି ପୋଲିସର ହାତ । ଆଇନର ହାତ ବହୁତ ଲମ୍ବା ବୋଲି କୁହାଯାଏ କିନ୍ତୁ ଆଇଆଇସିଙ୍କ ପାଖରେ କାହିଁକି ପହଞ୍ଚି ପାରୁନି ଆଇନର ଏହି ଲମ୍ବା ହାତ ।

ଲକଡାଉନରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ମନା ଥିବା ବେଳେ, ବିନା କାରଣରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଉପରେ ମଧ୍ୟ କଡା କଟକଣା ରହିଛି । ଏପରିକି ଏହି ନିୟମ ଭାଙ୍ଗିଲେ ଗିରଫ କରିବାକୁ କଡା ନିର୍ଦ୍ଦେଶ ମଧ୍ୟ ରହିଛି । କିନ୍ତୁ ବର୍ଦ୍ଦିର ବହପ ଆଗରେ ଲକଡାଉନର ସବୁ ନିୟମ ଲିଭିଯାଇଛି । ସାଧାରଣ ଲୋକଙ୍କୁ ଆଇନର ପାଠ ପଢାଉଥିବା ପୋଲିସ କାହିଁକି ଲକଡାଉନର ଲକ୍ଷ୍ମଣରେଖା ପାର କରିଥିବା ଆଇଆଇସିଙ୍କ ଉପରେ ଆକ୍ସନ ନେଉନାହିଁ । ଦୀପକଙ୍କୁ ନିଲମ୍ବିତ କରି ତଦନ୍ତ ନିର୍ଦ୍ଦେଶ ଦେଇ କାହିଁକି ଚୁପ୍ ବସିଛନ୍ତି ପୋଲିସ ଡିଜି । ଖାକି ଖଳନାୟକଙ୍କୁ ଗିରଫ କରିବାକୁ କାହିଁକୁ ପଛଘୁଞ୍ଚା ଦେଉଛି ପୋଲିସ । ଖାଲି ନିଲମ୍ବିତ କଣ ବାର୍ତ୍ତା ଦେବାକୁ ଚାହୁଁଛି ପୋଲିସ ବିଭାଗ । ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ।