ଗୋଲ୍ଡ ମେଡାଲକୁ କାହିଁକି ଦାନ୍ତରେ କାମୁଡିଥାନ୍ତି ଖେଳାଳି ?

1,205

କନକ ବ୍ୟୁରୋ : ଶେଷ ହୋଇଛି କ୍ରୀଡା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ  । ଏଥିରୁ ଅନେକ ଦେଶ ପଦକ ହାସଲ କରିଛନ୍ତି  । ଭାରତ ମଧ୍ୟ ଟୋକିଓ ଅଲିମ୍ପିକ୍ସରୁ ୭ଟି ମେଡାଲ ଜିତିଥିବା ବେଳେ ପାରା ଅଲିମ୍ପିକ୍ସରୁ ଦେଶ ପାଇଁ ଆସିଛି ୧୯ଟି ପଦକ  । ଟୋକିଓ ଅଲିମ୍ପିକ୍ସରେ ଗୋଟିଏ ସ୍ୱର୍ଣ୍ଣ ପଦକ ଆସିଥିବା ବେଳେ ପାରା ଅଲିମ୍ପିକ୍ସରୁ ଆସିଛି ୫ଟି ଗୋଲ୍ଡ ମେଡାଲ  । ବିଶ୍ୱର ଏହି ସବୁଠୁ ବଡ଼ କ୍ରୀଡା ମଂଚରୁ ପଦକ ଜିତିବା ପ୍ରତି କ୍ରୀଡାବିତଙ୍କ ସ୍ୱପ୍ନ ଥାଏ  । ସେମାନଙ୍କ ପାଇଁ ଟଙ୍କା ଜିତିବାଠୁ ଅଧିକ ଗୌରବ ହେଉଛି ନିଜ ଦେଶପାଇଁ ପଦକ ଜିତିବା  । ଅଲିମ୍ପିକ୍ସରୁ ପଦକ ଜିତିବା ଖେଳାଳିଙ୍କ ପରିଶ୍ରମ ଓ ସର୍ମପଣର ପ୍ରତୀକ ଭାବେ ଧରାଯାଏ ।

ବିଶେଷ କରି ସ୍ୱର୍ଣ୍ଣ ପଦକ ଜିତିବା ପରେ କ୍ରିଡାବିତ୍ ମେଡାଲକୁ ଦାନ୍ତରେ କାମୁଡୁଥିବାର ଦେଖିବାକୁ ମିଳିଥାଏ  । ତେବେ ଗୋଲ୍ଡ ମେଡାଲକୁ କାହିଁକି ଦାନ୍ତରେ କାମୁଡିଥାନ୍ତି ଖେଳାଳି ? ଏହା ପଛରେ କ’ଣ ରହିଛି କାରଣ ? ୧୮୯୬ ମସିହାରେ ଆରମ୍ଭ ହୋଇଥିଲା ଅଲିମ୍ପିକ୍ସ  । ସେତେବେଳେ ପ୍ରଥମ ବିଜେତାଙ୍କୁ  ରୌପ୍ୟ ଓ ଦ୍ୱିତୀୟ ବିଜେତାଙ୍କୁ ବ୍ରୋଞ୍ଜ ଦିଆଯାଉଥିଲା  । କିନ୍ତୁ ପରେ ୧୯୦୪ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଶ୍ରେଷ୍ଠ ଖେଳାଳିଙ୍କୁ ସୁଦ୍ଧ ସୁନାର ପଦକ ଦିଆଗଲା । ସେତେବେଳେ ସୁନାର ସୁଦ୍ଧତା ପରୀକ୍ଷା ପାଇଁ ଏହାକୁ ଦାନ୍ତରେ କାମୁଡ଼ି ଦେଖାଯାଉଥିଲା । ସାଧାରଣତ ସୁନା ଏକ କୋମଳ ଓ ନମନୀୟ ଧାତୁ ହୋଇଥାଏ । ସୁଦ୍ଧ ସୁନାକୁ ଦାନ୍ତରେ କାମୁଡିବା ଦ୍ୱାରା ଏଥିରେ ଦାନ୍ତର ଚିହ୍ନ ରହିଯାଏ । ଯାହା ସୁନାର ସୁଦ୍ଧତାକୁ ଦର୍ଶାଇଥାଏ । ସେତେବେଳେ ସୁନାର ସୁଦ୍ଧତା ଜାଣିବା ପାଇଁ ଖେଳାଳିମାନେ ଏହାକୁ ଦାନ୍ତରେ କାମୁଡ଼ୁଥିଲେ ।

କିନ୍ତୁ ପ୍ରଥମ ବିଶ୍ୱ ଯୁଦ୍ଧ ପରେ ସୁନାର ଦାମ ବଢ଼ିବା ଆରମ୍ଭ ହୋଇଥିଲା । ୧୯୧୨ ଷ୍ଟୋକହୋଲମ୍ ସମର ଅଲମ୍ପିକ୍ସ ପରେ ସୁଦ୍ଧ ସୁନାର ପଦକ ଦେବା ବନ୍ଦ କରାଯାଇଥିଲା । ତେବେ ଏବେ ଖେଳାଳିଙ୍କୁ ଦିଆଯାଉଥିବା ପଦକରେ କେବଳ ୬ ଗ୍ରାମର ହିଁ ସୁନା ରହୁଛି । ୨୧୦ ଗ୍ରାମ ରୂପା ଉପରେ ୬ଗ୍ରାମ ସୁନାର ପ୍ରଲେପ ଦିଆଯାଉଛି । କିନ୍ତୁ ପୂର୍ବରୁ ସୁନା ପଦକକୁ ପାଟିରେ କାମୁଡ଼ିବାର ସେ ପରମ୍ପରା ଆଜି ମଧ୍ୟ ରହିଛି । ଆଜି ମଧ୍ୟ ଖେଳାଳି ପଦକ ଜିତିବା ପରେ ଏହାକୁ ପାଟିରେ କାମୁଡ଼ିଥାନ୍ତି । ଫଟୋ ପୋଜ୍ ପାଇଁ ଫୋଟଗ୍ରାଫରଙ୍କ ଡିମାଣ୍ଡ ପାଇଁ ସ୍ୱର୍ଣ୍ଣ ବିଜେତାମାନେ କାମୁଡିଥାନ୍ତି  ।