କନକ ବ୍ୟୁରୋ : ରାଜକୋଟରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଜ୍ୟାକ୍ କ୍ରାଉଲିଙ୍କ ୱିକେଟ ନେବା ସହ ଟେଷ୍ଟ କ୍ରିକେଟରେ ୫୦୦ତମ ୱିକେଟ ପୂରା କରିଛନ୍ତି ଆର ଅଶ୍ୱିନୀ । ତେବେ ରାଜକୋଟ ଟେଷ୍ଟର ଆଜି ତୃତୀୟ ଦିନ ଖେଳ ଚାଲୁଥିବା ବେଳେ ଅଶ୍ୱିନୀ ଆଗାମୀ ୨ ଦିନ ମ୍ୟାଚ ପାଇଁ ଉପଲବ୍ଧ ରହିବେ ନାହିଁ । ମ୍ୟାଚ୍ ମଝିରୁ ଘରକୁ ଫେରିଛନ୍ତି ଅଶ୍ୱିନୀ ।
ବିସିସିଆଇ ପକ୍ଷରୁ ପ୍ରେସ ରିଲିଜ ଜାରି କରି କୁହାଯାଇଛି ଯେ, ଅଶ୍ୱିନୀଙ୍କ ପରିବାରରେ ମେଡିକାଲ ଇମରଜେନ୍ସି ରହିଛି । ତେଣୁ ତୃତୀୟ ଟେଷ୍ଟ ମ୍ୟାଚର ଅବଶିଷ୍ଟ ଦିନ ଗୁଡିକ ପାଇଁ ଅଶ୍ୱିନୀ ଉପଲବ୍ଧ ରହିବେ ନାହିଁ । ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଅଶ୍ୱିନୀଙ୍କର ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ପୂରା ଟିମ୍ ଅଶ୍ୱିନୀଙ୍କ ସହ ଅଛି । ଖେଳାଳୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେବା ଆବଶ୍ୟକ । ଅଶ୍ୱିନୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ବିସିସିଆଇ ପ୍ରସ୍ତୁତ । ସେହିଭଳି ବସିସିଆଇ ଉପ-ସଭାପତି ରାଜୀବ ଶୁକ୍ଳା ଟ୍ୱିଟ୍ କରି ଅଶ୍ୱିନୀଙ୍କ ମା’ଙ୍କ ଆରୋଗ୍ୟ କାମନା କରିଛନ୍ତି । ମା’ଙ୍କ ସାଥୀରେ ରହିବାକୁ ଅଶ୍ୱିନୀ ରାଜକୋଟ ଟେଷ୍ଟର ଦ୍ୱିତୀୟ ଦିନ ସରୁ ସରୁ ଚେନ୍ନାଇ ଅଭିମୁଖେ ଉଡାଣ ଭରିଥିଲେ ।
R Ashwin withdraws from the 3rd India-England Test due to family emergency.
In these challenging times, the Board of Control for Cricket in India (BCCI) and the team fully supports Ashwin.https://t.co/U2E19OfkGR
— BCCI (@BCCI) February 16, 2024
ଅନ୍ୟପଟେ ଅଶ୍ୱିନୀ ମ୍ୟାଚ୍ ମଝିରୁ ଘରକୁ ଫେରିଥିବାରୁ ଟିମ୍ ଇଣ୍ଡିଆ ପାଖରେ ରବୀନ୍ଦ୍ର ଜାଡେଜା ଓ କୁଳଦୀପ ଯାଦବ ଭାବେ ଦୁଇ ସ୍ପିନର ରହିଛନ୍ତି । ତେବେ ଅଶ୍ୱିନୀଙ୍କ ଅନୁପସ୍ଥିତି ଭାରତର ଚିନ୍ତା ବଢାଇଛି । କାରଣ ମ୍ୟାଚ୍ ମଝିରୁ ଭାରତ ଜଣେ ଅନୁଭବୀ ସ୍ପିନରଙ୍କ ସହ ଅଲରାଉଣ୍ଡର ପ୍ରଦର୍ଶନ କରୁଥିବା ଖେଳାଳୀଙ୍କ ମ୍ୟାଚ୍ ଇନିଂସରୁ ବଞ୍ଚିତ ହେବ ।